Unknown

 

 

 

 

 

 

 

 

 

 

 

ଯଥା ନଳସ୍ୟ ଦମୟନ୍ତୀ

କୃଷ୍ଣଚରଣ ବେହେରା

 

 

 

 

 

 

 

 

କବି ବନ୍ଧୁ ଶ୍ରୀ ମନମୋହନ ମିଶ୍ରଙ୍କୁ––

 

 

 

ନିଜ କଥା

 

ଏହି ଏକାଙ୍କିକାଗୁଡ଼ିକ ବିଭିନ୍ନ ସ୍ଥାନରେ ଅଭିନୀତ ହୋଇ ଉଚ୍ଚ ପ୍ରଶଂସା ଲାଭ କରିଛି । ମୋର ଶ୍ରଦ୍ଧେୟ ବନ୍ଧୁ ସୁଲେଖକ ଶ୍ରୀ ଯତୀନ୍ଦ୍ରକୁମାର ଦାସ ଏଗୁଡ଼ିକ ‘ସାହିତ୍ୟ ସଂସାର’ ତରଫରୁ ପ୍ରକାଶ କରିବାକୁ ଆଗ୍ରହୀ ହୋଇ ମୋତେ କୃତଜ୍ଞତା-ପାଶରେ ଆବଦ୍ଧ କରିଛନ୍ତି । ମୋର ପ୍ରିୟ ଛାତ୍ର-ଛାତ୍ରୀ ଶ୍ରୀମାନ୍ ରଘୁନାଥ ସାମଲ ଓ ଶ୍ରୀମତୀ ସରଳା ଜେନା ପୁସ୍ତକର ପାଣ୍ଡୁଲିପି ଲେଖା କାର୍ଯ୍ୟରେ ମୋତେ ବିଶେଷ ସାହାଯ୍ୟ କରିଛନ୍ତି । ଦୁହିଁଙ୍କ ପ୍ରତି ମୋର ଆନ୍ତରିକ ସାଧୁବାଦ ।

 

ଏହି ସଂକଳନଟି ଓଡ଼ିଆ ଏକାଙ୍କିକାର ଦୁର୍ଭିକ୍ଷ କିଞ୍ଚିତ୍ ପରିମାଣରେ ଘୁଞ୍ଚାଇ ପାରିଲେ, ମୋର ଶ୍ରମ ସାର୍ଥକ ବୋଲି ମନେ କରିବି । ଇତି

 

ଭଦ୍ରକ କଲେଜ

କୃଷ୍ଣଚରଣ ବେହେରା

୧୦ । ୭ । ୧୯୫୯

 

✽✽✽

 

ନିର୍ଦ୍ଦେଶିକା

 

୧.

ଯଥା ନଳସ୍ୟ ଦମୟନ୍ତୀ

୨.

ମାଣିକ ମାତା

୩.

ନଷ୍ଟ ନୀଡ଼

୪.

ଛିନ୍ନ ପୃଷ୍ଠା

୫.

ଏମ୍ : ଏଲ୍ : ଏ :

✽✽✽

 

ଯଥା ନଳସ୍ୟ ଦମୟନ୍ତୀ...

ପ୍ରଥମ ଦୃଶ୍ୟ

 

[ପରଦା ଉଠିଲା । ଦେଖାଗଲା ଗୋଟିଏ ସୁନ୍ଦର ସୁସଜ୍ଜିତ ପ୍ରକୋଷ୍ଠ । ଝରକା ଦେଇ ସକାଳର ଆଲୋକ ପ୍ରକୋଷ୍ଠ ମଧ୍ୟରେ ପ୍ରବେଶ କରୁଛି । ପ୍ରକୋଷ୍ଠ ମଧ୍ୟରେ ଛିଡ଼ା ହୋଇ ବ୍ୟାୟାମ (exercise) କରୁଛି–ଆଡ଼ଭୋକେଟ୍ ଭୂପତି ମହାପାତ୍ରଙ୍କ ସାନ ଝିଅ ‘ମଞ୍ଜୁ’ । ମଞ୍ଜୁ ବିଶେଷ ସୁନ୍ଦରୀ ନୁହେଁ, ବୟସ ୧୭ ହେବ, ସାବନ ବର୍ଣ୍ଣ, ତନୁପାତଳୀ, ସ୍ୱାସ୍ଥ୍ୟହୀନା ଝିଅ । ଏଥର ମେଟ୍ରିକ ପରୀକ୍ଷା ଦେବ । କିନ୍ତୁ ପଢ଼ାରେ ତାହାର ମନ ନାହିଁ । କିପରି ଉତ୍ତମ ସ୍ୱାସ୍ଥ୍ୟ ଲାଭ କରି ନିଜ ଫେମିଲି ଡକ୍ଟର ବିଜୟବାବୁଙ୍କୁ ବିବାହ କରିବ–ଏଇଥିପାଇଁ ବଡ଼ ବ୍ୟସ୍ତ । ଡାକ୍ତରବାବୁଙ୍କ ଉପଦେଶାନୁଯାୟୀ ସେ ସଞ୍ଜ-ସକାଳେ ବ୍ୟାୟାମ କରୁଛି । ସୁଷମ ଖାଦ୍ୟ ଖାଉଛି । ବର୍ତ୍ତମାନ ବ୍ୟାୟାମ କରି କରି ସେ ଧଇଁସଇଁ ହୋଇଗଲାଣି । ଅଣ୍ଟାରେ ପଣତ ଭିଡ଼ା ହୋଇଛି । ବିଭିନ୍ନ ପ୍ରକାର exercise କରୁଛି । ପ୍ରକୋଷ୍ଠ ମଧ୍ୟରେ ସେ ଏକଲା]

 

 

ମଞ୍ଜୁ—ଓ୍ୟାନ୍—ଟୁ—ଥ୍ରୀ—ଫୋର୍—(exercise କରୁ କରୁ ବାରମ୍ବାର ଉଚ୍ଚାରଣ)

 

 

(ଏହି ସମୟରେ ହାତରେ ଜଳଖିଆ ଘେନି ଘରେ ପ୍ରବେଶ କରିଛି ଚାକରାଣୀ ‘ରାଧା’ । ରାଧା ଯୁବତୀ, ଗଉଡ଼ ଘର ଝିଅ । କାଳି ହେଲେ ମଧ୍ୟ ଦେଖିବାକୁ ସୁନ୍ଦର ।)

 

 

ରାଧା—

(ମଞ୍ଜୁର ଧଇଁସଇଁ ଅବସ୍ଥା ଦେଖି ଆଗେ ମୁରୁକି ହସିଲା । କିଛି କ୍ଷଣ ପରେ କହିଲା–) ସାନ ଦେଈ, ଜଳଖିଆ...

 

 

ମଞ୍ଜୁ—

(exercise ବନ୍ଦ କରି ଅଣ୍ଟାରୁ ଭିଡ଼ା ପଣତ ଖୋଲିଲା । ଦୀର୍ଘନିଃଶ୍ଵାସ ଛାଡ଼ୁଛି) ଓ ହୋ–କି ପରିଶ୍ରମ,କି କଷ୍ଟ !

 

 

ରାଧା—

ଆଚ୍ଛା ସାନ ଦେଈ, ତମେ ଯେ ସେ ଡାକ୍ତରବାବୁଙ୍କ କଥାରେ ପଡ଼ି ନିଇତି ସଞ୍ଜ ସକାଳେ ଇମିତି ହାତ ଗୋଡ଼ ହଲାଉଛ–ଉଠ୍‍ ବସ୍‍ ହେଉଛ, ଏଥିରୁ ମିଳୁଛି କ’ଣ-? ଖାଲି ତୁଚ୍ଛାକୁ ଏ ପରିଶ୍ରମ...

 

 

(ଟେବୁଲ୍‍ ଉପରେ ଜଳଖିଆ ଓ ପାଣି ଗିଲାସ ଥୋଇଲା)

 

 

ମଞ୍ଜୁ—

ତୁ କିଇସ ଜାଣୁ ଲୋ– ଏଥିରୁ କ’ଣ ମିଳେ ! ଅଦା ବେପାରୀ ହେଇ ଜାହାଜର ଖବର ନେବାକୁ ତିଆର !

 

 

ରାଧା—

ହଁ ଲୋ ମା, ଆମେ ତ ଦି’କଡ଼ାର ମୁଣ୍ଡ ! ଏତେ କଥାରୁ ଆମର ଯାଏ କେତେ, ଆସେ କେତେ ? ତେବେ ମୁଁ କଥାଟା କ’ଣ ବୁଝିନାଇକି ସାନ ଦେଈ, ସକାଳ ପହରୁ ରାତି ଯାଏଁ ଆମେ କେତେ ପାଇଟି କରୁଛୁଁ, ସେଇଥିରେ ଆମର ଭାତ ଝଡ଼ି ଯାଉଛି । ଆଉ ତମେ ସବୁ ଦିନରାତି ଖାଲି ବସି ରହିଛ । ଇମିତି ହାତ ଗୋଡ଼ ନ ହଲେଇଲେ ଭାତ ହଜମ ହେବ କିମିତି !

 

 

ମଞ୍ଜୁ—

ଚୁପ୍‍ କର୍‍ ରାଧା ! ଭାରି ଜାଣିଲାବାଲୀ ତୁ ! କି ଜଳଖିଆ ଆଣିଚୁ ? (ଜଳଖିଆ ଦେଖି ବିରକ୍ତିରେ) ଏ କ’ଣ ? ଗଜା ମୁଗ କାହିଁ ?

 

 

ରାଧା—

କାଲି ରାତିରେ ମୁଗ ଭିଜା ହେଇ ନାହିଁ ।

 

 

ମଞ୍ଜୁ—

ମୁଁ ଏ ଜଳଖିଆ ଖାଇବି ନାହିଁ । ଦିନ୍‍ ରାତିରେ ମୁଗ, ନଇଲେ ବୁଟ ଦି’ଟା ଭିଜେଇ ପାରୁନୁ । ଆଉ କ’ଣ କରୁଛୁ ତୁ ? ଡାକ୍ତର ବାବୁ ବରାବର କହୁଛନ୍ତି–ଏ ଜଳଖିଆ ଛଡ଼ା...

 

 

ରାଧା—

ମଲା ମୋର ଡାକତର ବାବୁ ! ଏ ଘୋଡ଼ା-ଦାନା ପୁଣି ମଣିଷକୁ ଖୁଆଉଛନ୍ତି କାହିଁକି, ବଡ଼ ଦେଈଙ୍କ ପରି ଲୁଚି ଖାଅ, ହାଲୁଆ ଖାଅ, ନଇଲେ ଗରମ ଗରମ ପିଆଜି, କି ପକୁଡ଼ି–

 

 

ମଞ୍ଜୁ—

(ରାଗରେ) ତୋ ମୁଣ୍ଡ ଗଣ୍ଡି ! କଲି ରାତିରେ କାଇଁକି ମୁଗ ଭିଜେଇଲୁ ନାଇଁ କହ-! ଦେଖିବୁ ? (ଜୋର୍‍‍ରେ ଡାକିଲା) ବୋଉ–ବୋଉ–

 

 

ରାଧା—

ଡାକ ବୋଉଙ୍କୁ । ମୁଁ ଆଜି କହି ଦେବି ଯେ !

 

 

ମଞ୍ଜୁ—

କ’ଣ କହିବୁ ?

 

 

ରାଧା—

ସେ ଦିନ କଥା ! ସେ ଦିନ ସଞ୍ଜବେଳେ ତମେ ଆଉ ଡାକତର ବାବୁ ମୁହଁକୁ ମୁହଁ ଲଗେଇ ଯାହା କରୁଥିଲ–

 

 

ମଞ୍ଜୁ—

(ରାଗ ଥମିଗଲା, ମୁଖର ଭାବ ପରିବର୍ତ୍ତନ କରି) ଚୁପ୍ ! ଚୁପ୍ ! ରାଧା, ମୋ ସୁନା ସାଙ୍ଗଟା ପରା, ଶୁଣ୍ ! ଆଲୋ, ତୁ ଯେଉଁ ନୂଆ କାଚ ଚୁଡ଼ି ପିନ୍ଧିଥିଲୁ, କ’ଣ କଲୁ କି ?

 

 

ରାଧା—

କାଲି କୂଅରୁ ପାଣି କାଢ଼ୁ କାଢ଼ୁ ଭାଙ୍ଗିଗଲା ସାନ ଦେଈ ।

 

 

ମଞ୍ଜୁ—

(ରାଧା କନ୍ଧରେ ହାତ ପକାଇ ଆଦର କଲା ପରି) କିଛି ଚିନ୍ତା ନାଇଁ, ମୁଁ ପଇସା ଦେବି; ପୁଣି ତୁ ନୂଆ ଚୁଡ଼ି କିଣିବୁ । ବୁଝିଲୁ ? ଆଉ ଖବରଦାର୍‍, ସେଦିନ କଥା ଯିମିତି କାହାରିକି ନ କହୁ !

 

 

 

(ଡାକ୍ତର ବିଜୟବାବୁ ପଶି ଆସିଲେ । ସୁଦର୍ଶନ ଯୁବକ । ହାତରେ ଷ୍ଟେଥସ୍‍‍ସ୍କୋପ‍୍‍‍ । ଭୂପତିବାବୁଙ୍କ ଘରେ ତାଙ୍କର ଅବାଧ ପ୍ରବେଶ । ଘରକୁ ପଶି ଆସୁଁ ଆସୁଁ କହିଲେ–)

 

 

ଡାକ୍ତର—

କ’ଣ ମୋତେ ବି କହିବ ନାଇଁ !

 

 

ମଞ୍ଜୁ—

(ମଥା ହଲାଇ) ଉଁ ହୁଁ ! ଭାରି ଗୁପ୍‍ ଚୁପ୍‍ କଥା ! ଏକବାରେ ପ୍ରାଇଭେଟ୍‍ ।

 

 

ଡାକ୍ତର—

ତା’ହେଲେ ମୁଁ ତମର ବିନାନୁମତିରେ ଘରେ ପ୍ରବେଶ କରି ଭୁଲ୍‍ କରିଛି ମଞ୍ଜୁ । ମୁଁ ବର୍ତ୍ତମାନ ଆସୁଛି । (ଯିବାକୁ ଉଦ୍ୟତ ହେଲେ)

 

 

ମଞ୍ଜୁ—

ନା, ନା, ଡାକତର ବାବୁ, ରହନ୍ତୁ । ଆଜି ମୋର ସ୍ୱାସ୍ଥ୍ୟ ଟିକିଏ ପରୀକ୍ଷା କରି ଯିବେ । ପ୍ରାୟ ମାସେ ହେଲା ମୁଁ ନିୟମିତ ଏକ୍‍ସରସାଇଜ୍‍ କରୁଛି, ଭିଜା ବୁଟ, ଗଜା ମୁଗ ଖାଉଛି, ଆପଣଙ୍କ ଉପଦେଶ ଅକ୍ଷରେ ଅକ୍ଷରେ ପାଳନ କରୁଛି । ଏହା ମଧ୍ୟରେ ମୋର ଓଜନ ପାଉଣ୍ଡେ ଦି’ ପାଉଣ୍ଡ ନିଶ୍ଚୟ ବଢ଼ିଥିବ ।

 

 

ଡାକ୍ତର—

ଖାଲି ଓଜନ ବଢ଼ିଲେ ତ ହେବ ନାଇଁ–

 

 

ମଞ୍ଜୁ—

ହଁ, ପାଇଖାନା ପରିଷ୍କାର ହେଉଛି, ଦେହ ଖୁବ୍‍ ଫୁର୍ତ୍ତି ଲାଗୁଛି । କିନ୍ତୁ ରାତିରେ ମଥା ଟିକିଏ ଟିକିଏ ବିନ୍ଧୁଛି, ଭଲ ନିଦ ହେଉ ନାଇଁ, ବାରମ୍ବାର ସ୍ଵପ୍ନ ଦେଖି ନିଦ ଭାଙ୍ଗିଯାଉଛି, ଛାତି ଧଡ୍‍ଧଡ୍‍ କମ୍ପୁଛି–

 

 

ଡାକ୍ତର—

(ମୁରୁକି ହସି) ଓ ହୋ–ବୁଝିଲି । ଏ ତା’ହେଲେ ମନର ରୋଗ–ହୃଦୟର ବ୍ୟାଧି-। ଏହାର ଚିକିତ୍ସା ପ୍ରଣାଳୀ ଅଲଗା ।

 

 

ରାଧା—

ଡାକତର ବାବୁ, ମୋର ଓଜନ ଟିକିଏ କିମିତି ବଢ଼ନ୍ତା !

 

 

ଡାକ୍ତର—

ତୋର ଓଜନ ! ତୁ’ କ’ଣ ଆହୁରି ମୋଟି ହେବାକୁ ଚାହୁଁ ?

 

 

ରାଧା—

ମଲା, ମୁଁ କ’ଣ ଏତେ ମୋଟି ହେଇଚି ନା ! (ନିଜ ଦେହ ଉପରେ ଥୁ ଥୁ କରି ଛେପ ପକାଇଲା) ମୋ ଦେହ ଉପରେ ଆପଣ ଆଉ ଇମିତି ଦୃଷ୍ଟି ଦେବେ ନାଇଁ ଡାକତର ବାବୁ ।

 

 

ମଞ୍ଜୁ—

ଆହା ! ସୁନା ଦେହଟା ଭାଙ୍ଗିଯିବ ଯେ !

 

 

ଡାକ୍ତର—

ଆଚ୍ଛା, ତୁ ଗୋଟେ କାମ କର ରାଧା ! ମୁଁ ଯେତେବେଳେ ଏଠିକି ଆସିବି, ତୁ ଚଟାପଟ୍‍ ଯାଇ ଗାଧୁଆ ଘରେ କିମ୍ବା ହାଣ୍ଡିଶାଳରେ ଲୁଚିବୁ । ମୋ ଆଗକୁ କେବେ ଆସିବୁ ନାହିଁ । ଇମିତି କଲେ, ତୋ ଦେହ ଉପରେ ମୋର ଆଉ ଦୃଷ୍ଟି ପଡ଼ିବ ନାହିଁ, ଆଉ ଦିନ ଦଶଟା ଭିତରେ ତୋର ଓଜନ ବଢ଼ିଯିବ ।

 

 

ରାଧା—

ସତ କଥା ଡାକ୍ତର ବାବୁ ?

 

 

ମଞ୍ଜୁ—

ସତ କି ମିଛ–ବର୍ତ୍ତମାନ ପରୀକ୍ଷା ହେଉ । ତୁ’ ଯା’ ରାଧା, ଡାକ୍ତର ବାବୁ ଏଠି ଏକ୍ଷଣି ଅଛନ୍ତି, ତୁ’ ତାଙ୍କ ଆଗରୁ ପଳା ।

 

 

ରାଧା—

ହଉ ମୁଁ ଯାଉଛି । (ଚାଲିଗଲା)

 

 

ଡାକ୍ତର—

(ଚେୟାରରେ ବସି ଟେବୁଲ୍‍ ଉପରେ ଥିବା ଜଳଖିଆରୁ ରସଗୋଲାଟିଏ ନେଇ ମୁହଁରେ ପୂରେଇଲେ । ପୂରେଇ ସାରି ପଚାରିଲେ) ଏ ଜଳଖିଆ ମୁଁ ଖାଇପାରେଁ ମଞ୍ଜୁ ?

 

 

ମଞ୍ଜୁ—

(ଟେବୁଲ୍‍ ପାଖରେ ଡାକ୍ତରକୁ ଲାଗି ଛିଡ଼ା ହେଲା) ଖାଇ ସାରିଲା ପରେ ଆଉ ଅନୁମତିର ଲୋଡ଼ା ନାଇଁ ଡାକ୍ତର ବାବୁ । ଦେଖାନ୍ତୁ, ମୁଁ ଖୋଇଦିଏଁ–

 

 

ଡାକ୍ତର—

ତମର ସ୍ନେହ ଶ୍ରଦ୍ଧା ଲାଗି ଧନ୍ୟବାଦ । ହଁ, ମନୀଷା ଦେବୀ କାହାନ୍ତି ? ଆଜି କାହିଁ ତାଙ୍କୁ ଦେଖିବାକୁ ପାଉନି ।

 

 

ମଞ୍ଜୁ—

(ଅଭିମାନ କରି) ସବୁବେଳେ ଖାଲି ମନୀଷା–ମନୀଷା ! ମଞ୍ଜୁ କ’ଣ ଆପଣଙ୍କର କେହି ନୁହେଁ ଡାକ୍ତର ବାବୁ ?

 

 

(ଅଭିମାନରେ ଟେବୁଲ୍‍ ପାଖରୁ ଘୁଞ୍ଚିଯାଇ ଛିଡ଼ା ହେଲା)

 

 

ଡାକ୍ତର—

(ଚେୟାରରୁ ଉଠି ମଞ୍ଜୁ ପାଖକୁ ଗଲେ) ଖାଲି ଟିକିଏ ଟିକିଏ କଥାରେ ଅଭିମାନ-! (ମଞ୍ଜୁର ଚିବୁକରେ ହାତ ମାରି) ଆହା, ଅଭିମାନିନୀ ! ଶୁଣ ମଞ୍ଜୁ, ମୋତେ ଭୁଲ୍ ବୁଝନା । ମୁଁ ତମର ଫେମିଲି ଡକ୍ଟର, ମୋତେ ତ ପୁଣି ତମ ଘରର ସମସ୍ତଙ୍କ ଦେହ-ପା କଥା ବୁଝିବାକୁ ହେବ ।

 

 

 

(ଏ ଦୁହିଁଙ୍କ ଅଜଣାରେ ପଛରୁ ଆସିଛନ୍ତି ମନୀଷା, ମଞ୍ଜୁର ବଡ଼ ଭଉଣୀ । ସୁନ୍ଦରୀ ଓ ସ୍ୱାସ୍ଥ୍ୟବତୀ । ଲ’ ପଢ଼ୁଛନ୍ତି । ବିବାହ ନ କରି ବାପାଙ୍କ ବ୍ୟବସାୟ କରି ବୃଦ୍ଧାବସ୍ଥାରେ ବାପ, ମା’ଙ୍କୁ ପୋଷିବା ତାଙ୍କର ଲକ୍ଷ୍ୟ । ଡାକ୍ତର, ମଞ୍ଜୁ ଅପେକ୍ଷା ମନୀଷାର ରୂପରେ ବେଶୀ ମୁଗ୍‍ଧ । ଜୀବନରେ ମନୀଷାଙ୍କୁ ଲାଭ କରି ପାରିଲେ ସେ ହୁଏତ ବେଶୀ ସୁଖୀ ହେବେ)

 

 

ମନୀଷା—

ଆଉ ସମସ୍ତଙ୍କ ଦେହ ଭଲ ଅଛି ଡାକ୍ତରବାବୁ, ଆପଣ କେବଳ ମଞ୍ଜୁର ସ୍ୱାସ୍ଥ୍ୟ ପ୍ରତି ଟିକିଏ ଅଧିକ ଦୃଷ୍ଟି ଦିଅନ୍ତୁ ।

 

 

ଡାକ୍ତର—

ନମସ୍କାର, ମନୀଷା ଦେବୀ ! ମୋତେ ସେ କଥା କହିବାକୁ ହେବ ନାହିଁ । ଏଇ ଗତ ମାସ ମଧ୍ୟରେ ମଞ୍ଜୁର ସ୍ୱାସ୍ଥ୍ୟ ଢେର୍‍ ଉନ୍ନତି କରିଛି । ତା’ହେଲେ ବି, ଆପଣମାନଙ୍କ ପ୍ରତି ମୋର ତ ପୁଣି କର୍ତ୍ତବ୍ୟ ରହିଛି ।

 

 

ମଞ୍ଜୁ—

ଫେମିଲି ଡକ୍ଟରମାନେ ଆମ ସମସ୍ତଙ୍କର ଡକ୍ଟର । ମୋ ପ୍ରତି କାହିଁକି ସେ ଅଧିକ ଦୃଷ୍ଟି ଦେବେ ଅପା, ମୁଁ ବୁଝିପାରୁ ନାହିଁ ।

 

 

ଡାକ୍ତର—

ହଁ, ଡାକ୍ତରମାନଙ୍କର ପାତରଅନ୍ତର ଭେଦଭାବ ନ ରହିବା ଉଚିତ ମନୀଷା ଦେବୀ, ଆପଣ କ’ଣ ଭାବୁଛନ୍ତି ?

 

 

ମନୀଷା—

ଡାକ୍ତରମାନେ ତ ପୁଣି ମଣିଷ । ସେମାନଙ୍କର ହୃଦୟ ଅଛି । ସେମାନେ କାହାକୁ ଭଲ ପାଆନ୍ତି, ଆଉ କାହାକୁ ବା ଘୃଣା କରନ୍ତି । ସେମାନଙ୍କର ପ୍ରିୟାପ୍ରୀତି, ବନ୍ଧୁବାନ୍ଧବ ତ ଅଛନ୍ତି ।

 

 

ଡାକ୍ତର—

ତା’ ନିଶ୍ଚୟ । କିନ୍ତୁ ଚିକିତ୍ସା କରିବାକୁ ଯାଇ ଶତ୍ରୁ ମିତ୍ର ବାଛି ବସିଲେ, ଡାକ୍ତର ଧର୍ମ ରହିବ ନାଇଁ ମନୀଷା ଦେବୀ । ଆଉ ଚିକିତ୍ସା ହେଉଛି ଏକ ପ୍ରକାର ସେବା–ଗୋଟାଏ ମାନବିକ ଧର୍ମ ।

 

 

ମନୀଷା—

କିନ୍ତୁ ସବୁ ଡାକ୍ତର କ’ଣ ଏକଥା ଭାବନ୍ତି ବିଜୟ ବାବୁ ? ଆଜିକାଲି ଦେଖୁ ନାହାନ୍ତି–ଅଧିକାଂଶ ଡାକ୍ତର ଡାକ୍ତରୀ ବ୍ୟବସାୟଟାକୁ ପଇସା ରୋଜଗାରର ଏକ ଉତ୍କୃଷ୍ଟ ପନ୍ଥା ରୂପେ ଗ୍ରହଣ କଲେଣି । ଆଗେ ସେମାନଙ୍କର ସ୍ଵାର୍ଥ, ତା’ପରେ ରୋଗୀ ସେବା ।

 

 

ଡାକ୍ତର—

କରପ୍‍ସନ୍‍ (corruption), ଦୁର୍ନୀତି । ଆଜିକାଲି ଶିକ୍ଷା, ସ୍ୱାସ୍ଥ୍ୟ–ସମସ୍ତ ବିଭାଗରେ ଦେଖିବେ ଏଇ ଦୁର୍ନୀତି ।

 

 

ମନୀଷା—

ଦୁର୍ବଳ ରୋଗୀମାନଙ୍କ ଲାଗି ଆସିବ ମହଣ ମହଣ ବଟର୍ ଅଏଲ୍ । କିନ୍ତୁ ପାଇଲା ବେଳକୁ ପାଇବେ ସୁସ୍ଥ ସବଳ ଧନୀ ଭଦ୍ରଲୋକମାନେ । ଡାକ୍ତର କମ୍ପାଉଣ୍ଡରମାନଙ୍କୁ ତ ଆଉ ତେଲ କି ଘିଅ କିଛି କିଣିବାକୁ ପଡ଼ୁନାହିଁ ! ବେଶ୍‍ ଉପୁରି ଚଳିଯାଉଛି ।

 

 

ମଞ୍ଜୁ—

ପୁଣି ଡାକ୍ତରଖାନାରେ ଆଜିକାଲି କିଛି ଔଷଧ ମିଳୁନାହିଁ । ଟିକିଏ ରୋଗ ବ୍ୟାଧି ହେଲେ, ଡାକ୍ତରବାବୁ କହୁଛନ୍ତି–ଔଷଧ କିଣି ଖାଅ । ସେଦିନ ଆମ ରାଧା ପରା ପେଟମରା ପାଇଁ ଡାକ୍ତରଖାନା ଯାଇଥିଲା, ଜାଣିଚୁ ଅପା, –ଫେରିଲା ଖାଲି ଗୋଟାଏ ପ୍ରେସ୍‍କ୍ରିପ୍‍ସନ୍‍ ଘେନି–ସାଢ଼େ ଛ’ଟଙ୍କାର ଗୋଟାଏ କି ଔଷଧର ପ୍ରେସ୍‍କ୍ରିପ୍‍ସନ୍‍ ।

 

 

ମନୀଷା—

(ଡାକ୍ତରଙ୍କୁ ଉଦ୍ଦେଶ୍ୟ କରି) କାହିଁକି, ଡାକ୍ତରଖାନାକୁ କ’ଣ କିଛି ଔଷଧ ଆସୁନାହିଁ ଡାକ୍‍ତର ବାବୁ !

 

 

ଡାକ୍ତର—

ଆସୁଛି, କିନ୍ତୁ ରୋଗୀ ଓ ରୋଗ ଅନୁପାତରେ ଯଥେଷ୍ଟ ନୁହେଁ । ତା’ଛଡ଼ା ଡାକ୍ତରଖାନା ପଛ ଦରଜା ବାଟେ ବି କିଛି କିଛି ଗାଏପ୍‍ ହେଇ ଯାଉଛି ।

 

 

ମନୀଷା—

ତା’ହେଲେ ଆପଣ କିପରି ଡାକ୍‍ତରି ଧର୍ମ ରକ୍ଷା କରିବେ କହନ୍ତୁ !

 

 

ମଞ୍ଜୁ—

କିନ୍ତୁ ଅପା, ଆମ ଡାକ୍‍ତର ବାବୁ କ’ଣ ସେମିତି ? ସେ ଭାରି ଭଲ ମଣିଷ ।

 

 

ମନୀଷା—

(ହସିଲା) ବାଃ...କେଡ଼େ ବଡ଼ ସାର୍ଟିଫିକେଟ ଗୋଟାଏ ପାଇଲେ ବିଜୟବାବୁ ! ଲେଖି ରଖନ୍ତୁ, ଦରକାର ବେଳେ କର୍ମରେ ଆସିବ ।

 

 

(ଡାକ୍‍ତର ହସି ଉଠିଲେ ଏବଂ ମଞ୍ଜୁ ଲାଜରେ ରଙ୍ଗା ପଡ଼ିଗଲା ।)

 

 

(ଏତିକିବେଳେ ପ୍ରବେଶ କଲେ ନାଥ ଅଜା–୬୦ ବର୍ଷ ବୟସର ବୃଦ୍ଧ । ଧୋତି-ପଞ୍ଜାବି ପିନ୍ଧିଛନ୍ତି, ହାତରେ ଓ୍ୟାକିଂ ଷ୍ଟିକ୍ । ଦେଖିବାକୁ ହୃଷ୍ଟପୁଷ୍ଟ, ପୋଲିସ୍ ବିଭାଗରେ ଉଚ୍ଚ ଚାକିରି କରୁଥିଲେ, ନିକଟରେ ରିଟାୟାର୍ କରିଛନ୍ତି । ଜୀବନରେ ବିବାହ କରି ନାହାନ୍ତି । ଭୂପତିଙ୍କ ସ୍ତ୍ରୀ ଶ୍ରୀମତୀ ମହାପାତ୍ରଙ୍କର ଲେଖାଯୋଖାରେ ‘କକେଇ’ ହେବେ, ତେଣୁ ପିଲାମାନଙ୍କର ‘ଅଜା’)

 

 

ନାଥ—

ଆରେ ଯାଃ, ସବୁ ଟୋକା-ଟୋକୀ ତ ଆସି ଏଇଠି, ମୁଁ ତେଣେ ମିଛଟାରେ ଖୋଜି ହେଉଛି !

 

 

(ଦୁଆର ମୁଁହରେ ଛିଡ଼ା ହେଇ ଏତକ କହିଲେ)

 

 

ଡାକ୍ତର, ମନୀଷା ଓ ମଞ୍ଜୁ—

(ଏକ ସ୍ଵରରେ) ଆରେ ନାଥ ଅଜା ! ଆସନ୍ତୁ, ଆସନ୍ତୁ ! (ନାଥ ଅଜାଙ୍କୁ ଚେୟାରରେ ବସାଇ ପିଲାମାନେ ତାଙ୍କ ଚାରିପାଖରେ ଘେରି ବସିଗଲେ)

 

 

ମନୀଷା—

ହଁ, ନାଥ ଅଜା, ଏ ସକାଳଟାରେ ଏଣିକି କୁଆଡ଼େ ଗଡ଼ି ପଡ଼ିଲେ ?

 

 

ନାଥ—

ଆରେ, ମୁଁ ନିଜେ ଗଡ଼ି ପଡ଼ି ନାହିଁ, ଏ ମେଘୁଆ ପାଗଟା ମୋତେ ଏଣିକି ଗଡ଼େଇ ପକାଇଲା । ସକାଳୁ ଉଠି ଦେଖେ ତ–ଏକାବେଳେ ମେଘ ମେଦୁର ଆକାଶ, ବାତାବରଣ ଏକବାରେ ଥଣ୍ଡା । ଭାବିଲି–ବର୍ତ୍ତମାନ ଦେହ-ମନ ପାଇଁ ଟିକିଏ ଉତ୍ତାପ ଦରକାର । ସାରା ଜୀବନଟା ତ ପୋଲିସ୍ ବିଭାଗରେ ଉତ୍ତାପ ଆବେଗ ମଧ୍ୟରେ କଟେଇ ଦେଇ ଆସିଲି, ବର୍ତ୍ତମାନ ତାହା ମିଳିବ କେଉଁଠୁ ? ମିଳିବ କେବଳ ତମରିମାନଙ୍କ ପାଖରେ–ମାଇଁ ୟଙ୍ଗ୍ ଫ୍ରେଣ୍ଡସ୍ ।

 

 

ମଞ୍ଜୁ—

ତା’ହେଲେ ଆଗେ ଆପଣଙ୍କ ପାଇଁ ବାଲ୍‍ତିଏ ଗରମ ଚା’ ଦରକାର ନାଥ ଅଜା-!

 

 

ନାଥ—

ତା’ ବଦଳରେ ଡେକ୍‍ଚିଏ ଗରମ କଫି ହେଲେ ଭଲ । କିନ୍ତୁ ସେ ସବୁ ଗୌଣ କଥା । ବଡ଼ କଥା ହେଉଛି–ଆଜି ଏ ମଧୁର ପରିବେଶ ମଧ୍ୟରେ କୌଣସି ରକମ ଗୋଟାଏ ରୋମାନ୍‍ସ ଆଡ୍‍‍ଭେଞ୍ଚର ! –ମେଜାଜ୍‍ଟାକୁ ରୋମାଣ୍ଟିକ୍ କରିବାକୁ ଦରକାର ପଡ଼ୁଛି କି ନା !

 

 

ଡାକ୍ତର—

ତା’ହେଲେ ଭଞ୍ଜଙ୍କ ଲାବଣ୍ୟବତୀ କାବ୍ୟ ପଢ଼ାଯାଉ, ନୋହିଲେ କାନନ୍ ଡୟେଲ୍‍ଙ୍କର କୌଣସି ଗୋଇନ୍ଦା ଗଳ୍ପ ।

 

 

ନାଥ—

ଏ ଡାକ୍ତରଟା ବିଲ୍‍କୁଲ୍ ବେରସିକ । ଆରେ, ଏ ପାଗରେ କିଏ ଗୋଟାଏ ବହି ଉପରେ ମୁହଁ ଗୁଞ୍ଜି ଆବୃତ୍ତି କରିବାକୁ ଯିବ ? ଏକ୍ଷଣି ଖାଲି ମୁହଁକୁ ମୁହଁ ଯୋଡ଼ି ଦେଇ ମଜା ଗପ, ନୋହିଲେ–

 

 

ମନୀଷା—

(କଥା ଛଡ଼ାଇ ନେଲା) ବେଶ୍ ବେଶ୍, ତାହାହିଁ ହେଉ ! ଆପଣ ପ୍ରଥମେ ଆରମ୍ଭ କରନ୍ତୁ ନାଥ ଅଜା !

 

 

ମଞ୍ଜୁ—

ଆଚ୍ଛା ନାଥ ଅଜା, ଆପଣ କାହାର ‘ନାଥ’–ଆମକୁ ତ କହି ନାହାନ୍ତି ।

 

 

ନାଥ—

ଆଗୋ ସଖୀ ମଞ୍ଜୁଳିକା, ସେ ଏକ ବିରାଟ ପ୍ରଶ୍ନ–ଦୀପ ପ୍ରହେଳିକା । ଜୀବନରେ ମୁଁ ଜଣେ ମାତ୍ର ନାରୀର ନାଥ ହୋଇଥିଲି–ଅବଶ୍ୟ ଟେମ୍ପରାରି (Temporary) ଭାବରେ । କିନ୍ତୁ ହା ହତୋସ୍ମି, ଏ ଓଡ଼ିଆ ଜାତି ସେ କଥା ଜାଣିପାରିଲା ନାହିଁ ।

 

 

ମନୀଷା—

ଆପଣଙ୍କ ବ୍ୟକ୍ତିଗତ କଥା ଜାଣି ଓଡ଼ିଆ ଜାତିର ଲାଭ କ’ଣ ନାଥ ଅଜା !

 

 

ନାଥ—

କଟକର ବିଖ୍ୟାତ ରିଟାୟାର୍ଡ଼ ପୋଲିସ୍ ଏସ୍‍:ପି: ଶ୍ରୀନାଥ ମହାପାତ୍ର ଖାଲି ଜଣେ ବ୍ୟକ୍ତି ନୁହେଁ ମନୀଷା, ସେ ଏ ଦେଶର ଏକ ଅନୁଷ୍ଠାନ । ତାହାର ଯାବତୀୟ ଖବର ଏ ଜାତି ନିଶ୍ଚୟ ରଖିବ । କିନ୍ତୁ ଏ ନିମକ୍‍ହାରାମ ଜାତି–

 

 

ଡାକ୍ତର—

ଆମେ ଆପଣଙ୍କ ଜୀବନଚରିତ ଲେଖିବୁଁ ନାଥ ଅଜା, ଆପଣଙ୍କ ପ୍ରଣୟ କାହାଣୀ ସବୁ ଖୋଲି କୁହନ୍ତୁ !

 

 

ନାଥ—

ସେ ପ୍ରଣୟ କାହାଣୀ ନୁହେଁ ବାପଧନ, ରୀତିମତ ଏକ ଆଡ୍‍‍ଭେଞ୍ଚର ! ଏବର ଟୋକା-ଟୋକୀ ସେପରି ଆଡ୍‍‍ଭେଞ୍ଚର କରି ପାରିବେ ? କାହା ଛାତିରେ ଏତେ ସାହସ ! କାହା ବାହୁରେ ଏତେ ବଳ !

 

 

ମଞ୍ଜୁ—

କହନ୍ତୁ, କହନ୍ତୁ ସେ ଆଡ୍‍‍ଭେଞ୍ଚର କଥା !

 

 

(ଏହି ସମୟରେ ଶ୍ରୀମତୀ ମହାପାତ୍ର ପହଞ୍ଚି କଥାରେ ବାଧା ଦେଲେ । ଶ୍ରୀମତୀ ମହାପାତ୍ର ପ୍ରୌଢ଼ା, କିନ୍ତୁ ଶରୀରର ସୌନ୍ଦର୍ଯ୍ୟ ଏବେ ବି ଅକ୍ଷୁଣ୍ଣ ରହିଛି । ବେଶଭୂଷା ସାଧାରଣ)

 

 

ଶ୍ରୀମତୀ ମହାପାତ୍ର—

ଆରେ ମନି, ମଞ୍ଜୁ, ତମେ ପରା ସବୁ ଭୁବନେଶ୍ଵର ଯିବ ! ଆଉ ବସି ଗପୁଛ କ’ଣ, ଯାଅ, ତେଣେ ତମ ବାପା ବାହାରିଲେଣି ଯେ–

 

 

ନାଥ—

ମୁଁ ଜାଣେଁ, ଏହି ସ୍ତ୍ରୀ ଜାତି ଯୋଗୁଁ ଜଗନ୍ନାଥ ମହାପ୍ରଭୁ ଖଣ୍ଡିଆ ! ଆଜି ସେଇ ଜାତି ଯୋଗୁଁ ଆମର ରୋମାଞ୍ଚକର କାହାଣୀଟା ବି ହେଲା ଖଣ୍ଡିଆ ।

 

 

ଶ୍ରୀମତୀ ମହାପାତ୍ର—

ଓହୋ କକେଇ, ଆପଣଙ୍କ ଗଳ୍ପରେ ମୁଁ ବାଧା ଦେଲି ପରା–

 

 

ମନୀଷା—

ଆଉ ନାଥ ଅଜା, ଆପଣଙ୍କ ଆଡ୍‍‍ଭେଞ୍ଚର କଥା ଆଉ ଦିନେ ଶୁଣିବୁଁ । ଆଜି ସତକୁ ସତ ଆମେ ଗୋଟିଏ ଆଡ୍‍‍ଭେଞ୍ଚର କରିବାକୁ ବାହାରିଛୁଁ ।

 

 

ନାଥ—

ଯାଃ...ଏତେ ବଡ଼ ଆସରଟା ବିଲ୍‍କୁଲ୍ ମାଟି ହୋଇଗଲା ।

 

 

ଶ୍ରୀମତୀ ମହାପାତ୍ର—

ବାବା ବିଜୟ, ତମେ ବି ଯାଅ, ଏମାନଙ୍କ ସାଙ୍ଗରେ ଭୁବନେଶ୍ଵର ବୁଲି ଆସିବ ।

 

 

ନାଥ—

ଆଉ ମୁଁ ?

 

 

ଶ୍ରୀମତୀ ମହାପାତ୍ର—

ତମେ ଏମାନଙ୍କ ସାଙ୍ଗରେ ଚାଲିଗଲେ, ମୁଁ ଏଠି ଏକୁଟିଆ ପଡ଼ିଯିବି ଯେ କକେଇ ! ଏମାନେ ସବୁ ଫେରିବା ପର୍ଯ୍ୟନ୍ତ ତମକୁ ଏଠି ରହିବାକୁ ପଡ଼ିବ । (ଏତିକିବେଳେ ଭିତରୁ ମୋଟର କାର୍ ହର୍ଣ୍ଣ୍ ଶୁଭିଲା) ହେଇ, ତମ ବାପା ପ୍ରସ୍ତୁତ ହେଇ ଗଲେଣି । ଯାଅ, ଯାଅ, ତମେ ସବୁ ବାହାରି ପଡ଼ ।

 

 

(ସମସ୍ତେ ବାହାରିଲେ)

 

 

ମଞ୍ଜୁ—

ନାଥ ଅଜାଙ୍କ ପାଇଁ କେଟ୍‍ଲିଏ କଫି କରି ଦେ ବୋଉ ! ସେ ଆଜି ଦିନସାରା ବସି ଏଠି ତୋ ସହିତ ଗପୁଥିବେ । ବାଇ–ବାଇ ନାଥ ଅଜା !

 

 

(ମନୀଷା, ମଞ୍ଜୁ ଓ ଡାକ୍ତର ଚାଲିଗଲା ବେଳେ ହାତ ହଲେଇ ଗୁଡ୍‍ବାଇ ଜଣାଇ ଗଲେ । ନାଥ ଅଜା ମଧ୍ୟ ହାତ ହଲେଇ ଟା–ଟା–ଶବ୍ଦ କଲେ ।)

 

 

ଶ୍ରୀମତୀ ମହାପାତ୍ର—

ତମକୁ ଆଜି ଏଠି ଅଟକେଇ ରଖିବାର ଆଉ ଏକ ଉଦ୍ଦେଶ୍ୟ ଅଛି କକେଇ । ତମେ ଏକ ବାହାଘର ପ୍ରସଙ୍ଗ ଆମ ବିଜୟ ବାବୁ ଡାକ୍ତର ଆଗରେ ପକେଇବ–ମଞ୍ଜୁ ବାହାଘର ପ୍ରସଙ୍ଗ ।

 

 

ନାଥ—

ଏଁ, ମନି ବାହା ନ ହେଉଣୁ ମଞ୍ଜୁର ବାହାଘର ? ବଡ଼ ଝିଅ କଥା ଆଗେ ଠିକ୍ କର୍ ମା’ । ମଞ୍ଜୁର ବୟସ କ’ଣ ଗଡ଼ି ଯାଉଛି !

 

 

ଶ୍ରୀମତୀ ମହାପାତ୍ର—

ନା କକେଇ, ମନି ବାହା ହେବନି । ତାହାର ଇଚ୍ଛା–ଲ’ ପାସ୍‍ କରି ପ୍ରାକ୍‍ଟିସ୍ କରିବ–ବୁଢ଼ା ବୟସରେ ଆମକୁ ପୋଷିବ । କାଲି ଏଇ ଶେଷ ସିଦ୍ଧାନ୍ତ ଆମକୁ ଜଣେଇ ଦେଇଛି ।

 

 

ନାଥ—

ସାବ୍‍ବାସ୍ ! ମନି ତୋ ଝିଅ ନୁହେଁ ରେ ମା, ଭେଣ୍ଡିଆ ପୁଅ ଗୋଟାଏ ! ତୋର ପୁଅଟିଏ ଥିଲେ ଆଉ କ’ଣ ବେଶି କରି ପକେଇଥାନ୍ତା ! ସେ ଠିକ୍ ବାଟ ଧରିଛି-। ବାହା ନ ହେଲେ ଏବେ କ’ଣଟା ଭାସିଯିବ ! ମୁଁ ପୁଣି ବାହା ନ ହୋଇ ଇମିତି ଜୀବନଟା କଟେଇ ଦେଲି, ନା ଆଉ ରହିଲା ?

 

 

ଶ୍ରୀମତୀ ମହାପାତ୍ର—

କିନ୍ତୁ କକେଇ, ମୋର ଭୟ ହେଉଛି–ମନି କ’ଣ ସବୁଦିନେ ନିଜ ପ୍ରତିଜ୍ଞାରେ ଅଟଳ ରହି ପାରିବ ?

 

 

ନାଥ—

କାହିଁକି ନ ପାରିବ ? ନିଶ୍ଚୟ ପାରିବ–ଅଲବତ୍ ପାରିବ, ବାଇ ଅଲ୍ ମିନସ୍ (By all means) ! ମୁଁ ଜାଣେ–ମନିଟା ବଡ଼ ଜିଦ୍‍‍ଖୋର୍‍‍ । ସେ ଥରେ ଯାହା ଠିକ୍ କରିଥିବ, ବ୍ରହ୍ମା ବିଷ୍ଣୁ, ଆସିଲେ ବି ସେଥିରୁ ତାକୁ ଟଳେଇ ପାରିବେ ନାହିଁ ।

 

 

ଶ୍ରୀମତୀ ମହାପାତ୍ର—

କିନ୍ତୁ ମାଇକିନିଆ ଝିଅ ଓକିଲାତିରେ କ’ଣ ପାରି ଉଠିବ ?

 

 

ନାଥ—

କାହିଁକି, ମାଇକିନିଆ ଝିଅ କ’ଣ ଓକିଲାତି କରୁ ନାହାନ୍ତି ? କଟକ, ବ୍ରହ୍ମପୁର କୋର୍ଟରେ ଦେଖିବୁ ଯା–ଗଣ୍ଡା ଗଣ୍ଡା ! ତା’ପରେ ମନି ଆମର କହିଲା-ପୁଛିଲା ଝିଅ, ସେ ନିଶ୍ଚୟ ପାରି ଉଠିବ । ତୁ ଦିନେ ଦେଖିବୁ ମା, ଓକିଲାତିରେ ଠିକ୍ ତା’ ବାପା ପରି ସେ ନାଁ କରିବ ।

 

 

ଶ୍ରୀମତୀ ମହାପାତ୍ର—

ହଉ ହେଲା କକେଇ । ବର୍ତ୍ତମାନ ମଞ୍ଜୁ କଥା । ଦେଖୁଛି–ତାହାର ପଢ଼ାଶୁଣାରେ ମନ ନାହିଁ । ଏଥର ମେଟ୍ରିକ୍ ଦେଉଛି ସିନା, କିନ୍ତୁ ମୁଁ ଭଲ କରି ଜାଣେ ସେ ପାସ୍ କରି ପାରିବ ନାହିଁ । ସବୁବେଳେ ନାଚ, ଗୀତ, ଖେଳ, କସରତ୍ ଘେନି ବ୍ୟସ୍ତ । ଆଉ ବାହା ହେବାକୁ ବି ମନା କରୁ ନାଇଁ । କାଲି ତା’ ବାପା କହୁଥିଲେ–ଏଇ ବିଜୟ ଡାକ୍ତର ସହିତ ତା’ର ଖୁବ୍ ମନ ମିଳିଛି ।

 

 

ନାଥ—

(ଅତି ଖୁସିରେ ଟେବୁଲ୍‍‍ରେ ହାତ ବାଡ଼େଇ) ତା’ହେଲେ ତ ସୁବର୍ଣ୍ଣ ସୁଯୋଗ– ଗୋଲ୍‍‍ଡେନ୍‍‍ ଚାନ୍‍ସ୍ ! ଡାକ୍ତର ଟୋକାଟା ବି ମନ୍ଦ ନୁହେଁ–ବେଶ୍ ସ୍ମାର୍ଟ୍ ଏଣ୍ଡ୍ ଜଲି ବୟ୍ (Smart and jolly boy), ଡାକ୍ତରୀରେ ଦି ପଇସା ମଧ୍ୟ କମଉଛି । ତୁ’ ନିଶ୍ଚିନ୍ତ ରହ ମା, ମୁଁ କାଲି ଭିତରେ କଥା ପକ୍‍କା କରି ନେଉଛି ।

 

 

ଶ୍ରୀମତୀ ମହାପାତ୍ର—

ଦେଖନ୍ତୁ ! ଜଗନ୍ନାଥେ ଭରସା ।

 

(ମଞ୍ଚ ଅନ୍ଧକାର ହୋଇଗଲା)

 

ଦ୍ଵିତୀୟ ଦୃଶ୍ୟ

 

(ଘର ଅଗଣାରେ ଅଗଣି ଦାସ ବସି ବଟୁଆ ଖୋଲି ପାନ ଭାଙ୍ଗିବାରେ ଲାଗିଛି । ପ୍ରୌଢ଼; ମଳିଆ ଲୁଗା ପିନ୍ଧିଛି । ପୋଷାକରୁ ଦାରିଦ୍ର୍ୟ ବାରି ହୋଇ ପଡ଼ୁଛି । ଏହି ପାନ ଭାଙ୍ଗୁଥିବା ବେଳେ ରାଧା ଛାଞ୍ଚୁଣି ହାତରେ ଅଗଣା ଓଳଉଁ ଓଳଉଁ ଆସି ପହଞ୍ଚିଲା)

 

 

ରାଧା—

(ଘର ଖରକା ବନ୍ଦ କରି) ବାବା, ମୋର ଆଜି ବାବୁଘରୁ ଫେରିବାକୁ ଟିକିଏ ଉଛୁର ହେବ ।

 

 

ଅଗଣି—

କାଇଁକି ଲୋ ମା’ ?

 

 

ରାଧା—

ବାବୁ, ବଡ଼ ଦେଈ, ସାନ ଦେଈ ସବୁ ଭୁବନେଶ୍ଵର ଯାଇଛନ୍ତି । ଘରେ ମା’ ଏକା । ସେମାନେ ନ ଫେରିବାଯାଏଁ ମା’ କ’ଣ ମୋତେ ଛାଡ଼ିବେ ?

 

 

ଅଗଣି—

ହଉ ମା, ରନ୍ଧାବଢ଼ା ପାଇଟି ସବୁ ଛିଡ଼ି ଯାଇଛି ତ ?

 

 

ରାଧା—

ତିଅଣ ରନ୍ଧା ସରିଛି । ଭାତ ପାଣି ଚୁଲିରେ ବସିଛି । ଆଉ ନଈରୁ ପାଣି କଳସୀଏ ଆଣି ଦେଇଯିବି । (ଏତିକି ବେଳେ ଭିତରୁ ଅଖେଇ ନାନୀର ପାଟି ଶୁଭିଲା । ଅଖେଇ ବାଳ-ବିଧବା ହୋଇ ବାପଘରେ ରହିଛି । ଦରବୁଢ଼ୀ, ବିଧବା ବେଶ, ବଡ଼ ଚତୁରୀ ସ୍ତ୍ରୀ ।)

 

 

ଅଖେଇ—

(ଭିତରୁ) ରେ ଅଗଣି—ଆରେ ଅଗଣି ଅଛୁ ନା ରେ ।

 

 

ଅଗଣି—

ଆଲୋ ଅଖେଇ ନାନୀ ନା କିଏ ! ଆ–ଆ–

 

 

(ରାଧା ପ୍ରତି) ଦେବୁଟି ଲୋ ମା, ଏଠି ଚଟେଇ ଖଣ୍ଡେ ।

 

 

(ରାଧା ଭିତରୁ ଚଟେଇ ଖଣ୍ଡେ ଆଣି ବାପ ପାଖରେ ପକାଇଲା । ଅଖେଇର ପ୍ରବେଶ)

 

 

ଅଖେଇ—

(ରାଧାକୁ ନିରେଖି ଚାହିଁ ) ମୋ ମା’ ରାଧା କି ଲୋ ! ଆଁ, ଏଡ଼ୁଟିଏ ହୋଇ ଗଲୁଣି ! ଗୋଟିଏ ଚାଉଳରେ ଗଢ଼ା ହୋଇଛୁ ଲୋ ଝିଅ–ଠିକ୍ ତୋ ମା’ ଠାଣି–ମା’ ଗଢ଼ଣ ଗୋଟିପଣେ । ହା–ହା, ମା ଚଣ୍ଡାଳୁଣୀଟା ଯାହା ଏ ସୁଖଶିରୀ ଦେଖି ପାରିଲା ନାଇଁ ! ଅହି ସୁଲକ୍ଷଣୀ ହୋଇ ଥା ମା’–ଅହି ସୁଲକ୍ଷଣୀ ହୋଇ ଥା ! (ଅଗଣି ପ୍ରତି) ଆଉ ଡେରି କର୍‍ ନା ରେ ଅଗଣି ! ଭଲ ଘର ଭଲ ବର ଦେଖି ଏବେ ଝିଅଟିକି ଦି’ହାତ କରେଇ ଦେ !

 

 

ଅଗଣି—

ମୁଁ ଚୁପ୍‍ ହୋଇ ବସିନି ନାନୀ, ଚେରେଷ୍ଟା କରୁଛି । (ଚାହିଁ ଦେଖିଲା–ରାଧା ପଛରେ ଅଛି) ତୁ ଠିଆ ହୋଇଚୁ କ’ଣ ମା ଯା–ଚାଣ୍ଡେ ପାଣି କଳସୀଏ ନଈରୁ ଘେନି ଆ’ ।

 

 

(ରାଧା ଚାଲିଗଲା)

 

 

ଅଗଣି—

(କହି ଲାଗିଲା) ଅନେକ ଜାଗାରୁ ପ୍ରସଙ୍ଗ ଆସିଲାଣି, କିନ୍ତୁ କେଉଁଠି ମୁଁ ଜବାବ ଦେଇ ନାହିଁ । ମୋର ଏକାବେଳେ ଖାଣ୍ଟି କଥା–ପାଞ୍ଚ ଶ’ ଟଙ୍କା କନ୍ୟା ସୁନା ଥୁଅ–ବସ, ନୋହିଲେ ଖସ । ଅଗଣି କଥା ତୁ ତ ଜାଣୁ ନାନୀ, ତା’ର ଗୋଟିଏ ବାପ–ଗୋଟିଏ କଥା !

 

 

ଅଖେଇ—

ସେଇ ତ ପୁରୁଷପଣିଆରେ ଅଗଣି ! ଆମ ଜାତିରେ ଯିମିତି କନିଆଁ ପାତ୍ରୀର ଅଭାବ, ସେଥିରେ ପାଞ୍ଚ ଶ’ ଟଙ୍କା ତ ନିକୁଚ୍ଛ କଥା, ହଜାର ହଜାର ଘେନି ପରା ପଛରେ ଗୋଡ଼େଇବେ ! ତେବେ ଆଉ ଗୋଟିଏ କଥା, ଡାକ ଫୁକାରି କନ୍ୟା-ସୁନା ହାଙ୍କିବୁ ନାଇଁଟି, ଖବରଦାର୍‍ ! ଷଡ଼ କାନ–ମନ୍ତ୍ର ଭେଦ ।

 

 

ଅଗଣି—

ମୁଁ ଖୁବ୍ ହୁସିଆରି ଅଛି ନାନୀ । ଦେବ ଜଣେ–ନେବ ଜଣେ, ଆଉ ପାଞ୍ଚ ପଚିଶ୍ ଲୋକ ଜାଣିବେ କିଆଁ ? କି ଦର୍କାର ?

 

 

ଅଖେଇ—

ଏ ଗାଁ କଥା ତୁ କ’ଣ ଜାଣିନୁ ରେ ! ଏଠି ପରା କାନ୍ଥ ବାଡ଼ର କାନ ଅଛି । ଆଖି ପିଛୁଳାକେ ତିଳକୁ ତାଳ କରି ଥୋଇବେ–ସଜ ମାଛରେ ପୋକ ପକେଇ ଦେବେ । ପୁଣି ଗୋଟାଏ ପଞ୍ଚାୟତ କୋର୍ଟ ଅଛି । ଏ କଥାଟା ପାଞ୍ଚାୟତ କାନରେ ପଡ଼ିଲେ, କେତେ କି ପେଞ୍ଚ କରିବେ–ଦେଖିବୁ ରହ ।

 

 

ଅଗଣି—

(ବେଖାତିର୍ ଭାବରେ) ହଃ, ଅଗଣି ଦାସ ସେ ପେଞ୍ଚକୁ ଡରିଛି ! କାଇଁକି, ଅଗଣି ଦାସ କ’ଣ ଚୋରି କରିଛି, ନା ଜନାକାରି କରିଛି ଯେ ପାଞ୍ଚାୟତ ପେଞ୍ଚକୁ ଡରିବ ? ତା’ ଝିଅକୁ ସେ ଧରି ଦେଲା ବା ବିକି ଦେଲା, ସେଥିରେ ପଞ୍ଚାୟତ କୋର୍ଟର କ’ଣ ଯାଏ ଆସେ !(ଅଖେଇକୁ ପାନ ଭାଙ୍ଗି ଦେଲା)

 

 

ଅଖେଇ—

ସେ ସତ କଥା ଅଗଣି । ତେବେ ଟଙ୍କା କଉଡ଼ି କାରବାର ଗୁପ୍‍‍ଚୁପ୍‍‍ରେ ହେବା ଭଲ । ଆଜିକାଲି କନ୍ୟାସୁନା କଥାଟାକୁ ଲୋକେ ଉପରେ ନାପସନ୍ଦ କଲେଣି, କିନ୍ତୁ ଭିତରେ ଭିତରେ ସବୁ ଚାଲିଛି । ହେଇ ପରା, ସେଦିନ ବଣିଆ ତେଲି ଭାଟପଡ଼ାରେ ଝିଅ ବାହା ଦେଲା; ନାଁ ହେଲା–ଝିଅ ଧରି ଦେଉଛି । ଏଣେ ଭିତରେ ଶୁଣିଲା ବେଳକୁ–ପାଞ୍ଚ ଶ’ ଟଙ୍କା, ଆଉ ପାଞ୍ଚ ଭରଣ ଧାନ ! ତେଲି ଟୋକା ବଡ଼ ଚାଲାଖ୍–ପୋଖରୀକ ମାଛ ଖାଇବ, ଦେହରେ କାଦୁଅ ଟିକିଏ ଲାଗିବ ନାଇଁ ।

 

 

ଅଗଣି—

ଅଖେଇ ନାନୀ, ଯୁଗ ହେଲା ଓଲଟା ! ଆମରି ବାପ ଅଜା ତ ପୁଣି ଏଇୟା କରୁଥିଲେ ! କି ପାପ ହେଉଥିଲା ତାଙ୍କର ? ହେଃ–ଏତେ କଷ୍ଟ ସହି ଝିଅ ଜନମ କରିବୁଁ, ପନ୍ଦର ଷୋଳ ବରଷ ଖୋଇ ପେଇ ବଢ଼େଇବୁଁ’ ହାନିଲାଭ ଭଲମନ୍ଦ ସହିବୁଁ, କୋଡ଼ି କୋଡ଼ି ଟଙ୍କା ଖରଚ–ଏ ସବୁ ଆସେ କୁଆଡ଼ୁ ଲୋ-?

 

 

ଅଖେଇ—

ଶେଷକୁ ପୁଣି ବାହାଘର ଖର୍ଚ୍ଚରେ ଅଗଣି ! ବାହାଘର ନୁହେଁ ଯେ–ବୁହାଘର । କେତେ ଧନ ଦିନ ଗୋଟାକରେ ବହିଯିବ, ଦେଖିବୁ ରହ ।

 

 

ଅଗଣି—

ଏଥିରେ କନ୍ୟାସୁନା ନେଲେ ଦୋଷ ହୋଇଗଲା ! ଏ ତ୍ରିସନ୍ଧ୍ୟା କାଳରେ ତୋ ଆଗରେ ମୁଁ ହଲପ୍ କରି କହୁଛି ନାନୀ ରାଧା ପାଇଁ ପାଞ୍ଚ ଶ’ ଟଙ୍କାରୁ ପଇସାଏ ଊଣା ହେଲେ ମୁଁ ଆଉ ନ ବସେଁ ।

 

 

ଅଖେଇ—

ପାଞ୍ଚ ଶ’ ଜାଗାରେ ସାତ ଶ’ ଦେବାକୁ ଲୋକେ ରାଜି ଅଛନ୍ତି । କହିବୁ ତ, ଏହି ମାସ ଭିତରେ ମୁଁ କଥା ପକାଇ ସବୁ ଠିକ୍‍ ଠାକ୍ କରି ଦେବି ।

 

 

ଅଗଣି—

କେଉଁଠି-କେଉଁଠି ଅଖେଇ ନାନୀ ?

 

 

ଅଖେଇ—

ଏଇ ମୋ ଶାଶୁଘର ଗାଁ କାଳିକାପୁର–ନିଧି ପଇଡ଼ା ଘର । ତୁ’ ଶୁଣିଥିବୁ–ବେଶ୍‍ ଥିଲାବାଲା । ଅଉଲ୍ ନମ୍ବର ଜମି ଦି’ ବାଟି, ଗୋରୁ ମଇଁଷି ଗୁଡ଼ାଏ, ପୁଣି ପାତ୍ରଟି ରୋଜଗାରିଆ–କଲିକତା, ସାହେବ ବାଡ଼ିରେ ଚାକିରି ।

 

 

ଅଗଣି—

ଏ କଥା ଆଉ ଛାଡ଼ିବାକୁ ଅଛି ନାନୀ ? ତୁ’ ଲାଗି ଯା–

 

 

ଅଖେଇ—

ଦାନ ଖଇରାତ, ବନ୍ଧୁପଣିଆରେ ନିଧି ପଇଡ଼ା ଗୋଟାଏ କର୍ଣ୍ଣ । ତୁ’ ସେଇଠି ବସ୍‍ ଅଗଣି, ସବୁଆଡ଼ୁ ସୁବିଧା । ନିଧି ପଇଡ଼ା ରୋକ୍‍‍ଠୋକ୍‍‍ ପାଞ୍ଚଶ’ ଟଙ୍କା କନ୍ୟାସୁନା ଗଣି ଦେବ । ସେଥିରେ ତୁ ତୁଳସୀ ପତ୍ର ପକେଇ ପେଡ଼ିରେ ଥୋଇବୁ । ବାକି ବାହାଘର ଖରଚ ବାବଦ ଦୁଇଶ’ ଟଙ୍କା । ଆଉ ଅଭାବ କ’ଣ ?

 

 

ଅଗଣି—

ତୁ ଚାଣ୍ଡେ କାଳିକାପୁର ଖବର ପଠା ନାନୀ ! କଥା ଠିକ୍ ହେଲେ, ଏଇ ସାଲରେ ବାହା କାମଟା ବଢ଼େଇ ଦେବି ।

 

 

ଅଖେଇ—

ଆଉ କ’ଣ କଥା ଠିକ୍ ହେବରେ ? ମୋରି କଥା ତ ଏକବାର ଠିକଣା କଥା । ମୋ କଥାରୁ କ’ଣ ନିଧି ପଇଡ଼ା ବାହାରି ଯିବ ? ତୁ ଯଦି ରାଜି ଅଛୁ ତ–

 

 

ଅଗଣି—

ମଲା, ତୋ କଥାରେ ମୁଁ କ’ଣ ଅବିଶ୍ଵାସ କରିବି ନାନୀ ? ତୁ’ କ’ଣ ଆମର ଅମଙ୍ଗଳ ପାଞ୍ଚିବୁ ? ତୋର ଯଦି ମନ ମାନିଛି, ମୋର ଆଉ ଆପତ୍ତି କ’ଣ ?

 

 

ଅଖେଇ—

ପାତ୍ର ହିସାବରେ ବଇରାଗୀଟି ଆମ ରାଧା ଲାଖି ଏକା । ବୟସ ସିନା ଟିକିଏ ବେଶି ହେଇ ଯାଇଛି, ଦେଖିବାକୁ ସାକ୍ଷାତ୍ କାର୍ତ୍ତିକରେ ଅଗଣି ! ବିଚରାର ଭାଗ୍ୟ ଖରାପ–ତେରସ୍ତା ବର୍ଷ ହଇଜାରେ ଭାର୍ଯ୍ୟାଟି ମାରା ପଡ଼ିଲା । ସେଇ ଦିନୁ ନିଧି ପଇଡ଼ା ମୋତେ ଲଗେଇଛି–

 

 

ଅଗଣି—

ସବୁ କପାଳ କଥା ନାନୀ । ଯାହା ହାଣ୍ଡିରେ ଯିଏ ଚାଉଳ ପକେଇଛି ! ଆମେ ଏଣେ ମିଛରେ ଚଷୁ କୁଟି ହେଲେ ଲାଭ କ’ଣ ?

 

(ଏହି ସମୟରେ ପରଦା ପଡ଼ିଲା–ମଞ୍ଚ ଅନ୍ଧାର ହେଲା)

 

୩ୟ ଦୃଶ୍ୟ

 

(ନଈ କୂଳ ରାସ୍ତା । ସଞ୍ଜ ହେଲାଣି । କଳସୀ କାଖରେ ନଈରୁ ପାଣି ଆଣିବାକୁ ଯାଉଛି ରାଧା । ଏତିକିବେଳେ ତାହାର ବିପରୀତ ଦିଗରୁ ଆସିଛି ନବୀନା–ବୟସ ୨୦/୨୨ ହେବ । ଗାଁର ଯାତ୍ରା ଟୋକା, ଖଦି ଓ କାମିଜ୍ ପିନ୍ଧିଛି, ଯାତ୍ରା ଟୋକାଙ୍କପରି ବେଶୀ ଚୂଳ ରଖିଛି, ବିଡ଼ି ଖାଉଁ ଖାଉଁ ଆସିଛି । ରାଧା ଓ ନବୀନା ପରସ୍ପରକୁ ସୁଖ ପାଆନ୍ତି ।)

 

 

ନବୀନା—

(ରାଧାକୁ ଦେଖି ଖୁସିଟାଏ ହେଲା) କିଏ ରାଧା କି ଲୋ ! ଆହା–ହା–(ଗାଇଲା–)

 

 

ନହୁଲି ବୟସୀ ରାଧା, ନ ମାନଇ କିଛି ବାଧା,

ମୁହଁ ସଞ୍ଜ ବେଳେ କଳସୀ କାଖରେ

ନଦୀ କୂଳେ ଚାଲେ ସିଧା ରେ–ଏ–ଏ–ଏ–

 

 

ରାଧା—

(ଛଳ କୋପ କରି ) ନବୀନା, ଏ ସଞ୍ଜ ବେଳଟାରେ ମୋ ସାଙ୍ଗରେ ଲାଗ୍‍ନା କହୁଛି । ଉଠ୍–ବାଟ ଛାଡ଼୍‍–ମୋ କାମରେ ମୁଁ ଯାଏଁ ।

 

 

ନବୀନା—

ମୋ ବୋପା ଲୋ, ଆଜି କାହିଁକି ଭାରି ତେଜ ! କ’ଣ ବାଟ ନ ଛାଡ଼ିଲେ, ମୋ ନାଁରେ ନାଲିସ୍ କରିବୁ ?

 

 

ରାଧା—

(ମୁହଁ ତଳକୁ ପୋତି ନୀରବ ରହିଲା)

ନବୀନା—

କିଲୋ, ତୁନି ହେଲୁ ଯେ ! (ପାଖକୁ ଲାଗି ଆସି) ରାଧା, ରାଧା ମ ! ଆଜି ତୋ’ ମନରେ ସୁଖ ନାଇଁ ଦେଖୁଛି । କ’ଣ ହେଇଚି କି ? (ରାଧା ମୁହଁକୁ ଚାହିଁ ଦେଖିଲା–ତା’ ଆଖି ଯୋଡ଼ିକ ଲୁହ ଛଳ ଛଳ) ଏଁ–ତୁ’ କାନ୍ଦୁଛୁ ? ରାଧା, ମୋ ରାଣ, ମୋତେ କହିବୁନି–କାଇଁକି କାନ୍ଦୁଛୁ ?

ରାଧା—

(ସେମିତି ଠିଆ ହେଇ ନୀରବରେ ପଣତ କାନିରେ ଲୁହ ପୋଛୁଥିଲା)

ନବୀନା—

ରାଧା, ମୋ ସୁନାଟା ପରା ! ମୁଁ କ’ଣ ତୋର କେହି ନୁହେଁ ? ମୋତେ କହିବୁନି ତୋ ମନ କଥା ? କହ, ମୋ ରାଣ–ମୁଁ ମରେଁ ଟି, କହ ଭଲା !

ରାଧା—

କହିବି ଆଉ ନିଆଁ ଚୁଲି ! ଘରେ ଅଖେଇ ନାନୀ, ବାବା ବସି ସଲାସୂତ୍ର କରୁଛନ୍ତି, ପାଞ୍ଚଶ’ ଟଙ୍କା କନ୍ୟାସୁନାରେ ମୋତେ ଦୋବେଇ ବୁଢ଼ା ବରରେ ବାହା ଦେବେ-

ନବୀନା—

କେଉଁଠି ଲୋ, କେଉଁଠି ?

ରାଧା—

କାଳିକାପୁର ନିଧି ପଇଡ଼ା ଘରେ ।

ନବୀନା—

ଏଁ ! (ବିସ୍ମିତ ହାତବାକ୍ ହୋଇ କିଛି ସମୟ ନୀରବ ରହିଲା । ରାଧା ସେମିତି ପଣତ କାନିରେ ଲୁହ ପୋଛୁଥାଏ) ଆଚ୍ଛା, କିଛି ଚିନ୍ତା ନାଇଁ । ତୁ ତୁନି ହ’ ରାଧା-। ମୁଁ ସେ ପାଞ୍ଚଶ’ ଟଙ୍କା କନ୍ୟାସୁନା ଯୋଗାଡ଼ କରିଦେବି ।

 

 

ରାଧା—

ଏତେଗୁଡ଼ା ଟଙ୍କା କେଉଁଠୁ ପାଇବୁ ?

 

 

ନବୀନା—

ଜମିବାଡ଼ି ଯାହା ଦି’ଗୁଣ୍ଠ ଅଛି, ସେ କ’ଣ ହେବ ? ତୋରି ଲାଗି ସିନା ମୋର ସେ ଜମିବାଡ଼ି, ଧନ ସମ୍ପତ୍ତି ଲୋ ରାଧା !

 

 

ରାଧା—

ଜମିବାଡ଼ି ବିକିଲେ, କି ବନ୍ଧକ ଦେଲେ, ଚଳିବୁ କିମିତି ? ଛି–ସେ କଥା ତୁ’ କର୍‍ନା ନବୀନା !

 

 

ନବୀନା—

ତୋ ଲାଗି ମୁଁ ସବୁ କରିପାରେଁ ଲୋ–ସବୁ କରିପାରେଁ । ଜମି ବାଡ଼ି ଗଲେ, ମୋ ବାହାରେ ତ ବଳ ଊଣା ହୋଇ ଯାଇନି ! ମୂଲ ଲାଗିବି । ନଟ ମହାନ୍ତି, କି ଭୂପତି ମହାପାତ୍ରଙ୍କ ଘରେ ମୂଲିଆ ହେବି । ଦିଇଟା ପେଟ ଆମର କ’ଣ ଅପୋଷା ରହିବ ଲୋ ରାଧା ?

 

 

ରାଧା—

(ଯେପରି ବଳ ଓ ସାନ୍ତ୍ଵନା ପାଇଲା ! କାନ୍ଦ ବନ୍ଦ ହୋଇଗଲା ! ଦୀର୍ଘନିଃଶ୍ଵାସ ପକାଇ କହିଲା) ଯାହା କରୁଛୁ କର !

 

 

ନବୀନା—

ଯେତେ ଯାହା ହେଉ, ରାଧା କୃଷ୍ଣର ଲୋ–କୃଷ୍ଣ ରାଧାର । ହଜାରେ ଚନ୍ଦ୍ରସେଣା ଆସିଲେ; ରାଧା କୃଷ୍ଣଙ୍କୁ କ’ଣ ଅଲଗା କରି ପାରିବେ ? ହଇଲୋ, କାଲି ରାତିରେ ତୁ ମହାଦେବ ପଡ଼ିଆକୁ ଯାତ୍ରା ଦେଖି ଯାଇଥିଲୁ ?

 

 

ରାଧା—

ହଁ ରେ, କାଲି ଯାତ୍ରାରେ କୃଷ୍ଣ ବେଶ ତୋତେ ଭାରି ମାନିଥିଲା । ତୁ ଯେତେବେଳେ କଂସ ରାଜାକୁ ମାରିଲୁ–ତା’ର ବୀରମାନଙ୍କୁ ଗୋଟି ଗୋଟି କରି ନିପାତ କଲୁ, ମୋ ଛାତି ଖାଲି ସେତେବେଳେ ଫୁଲି ଉଠୁଥାଏ । ଆଉ କଂସ ମଲାରୁ ତା’ ରାଣୀମାନେ ଆସି ଯେତେବେଳେ ବାହୁନି କାନ୍ଦିଲେ, ସତରେ ନବୀନା, ମୋ ଆଖିରେ ଆଉ ଲୁହ ରହିଲା ନାହିଁ । ମନେ ମନେ ତୋତେ ମୁଁ ଭାରି ଗାଳି ଦେଲି । ତୋରି ଯୋଗୁଁ ସିନା ସେ ଭୁଆସୁଣୀଗୁଡ଼ିଙ୍କର ଭେକାଳ ବୁଡ଼ିଲା, ସେମାନେ ଅନାଥ ହେଲେ ।

 

 

ନବୀନା—

ସ୍ଵାମୀ ଦୋଷରୁ ସ୍ତ୍ରୀମାନଙ୍କର ଏ ଦଶା ! ସେଥିଲାଗି ଆଉ କିଏ କ’ଣ କରିବ ? ହଁ, ଆଜି ପୁଣି ହେବ– ରୁକ୍ମିଣୀ ପରିଣୟ । ତୁ’ ଆଜି ନିଶ୍ଚେ ନିଶ୍ଚେ ଯାତ୍ରା ଦେଖି ଯିବୁ ରାଧା ! ଦେଖିବୁ–ମୁଁ ଆଜି କୃଷ୍ଣ ସାଜି ଶିଶୁପାଳଠୁଁ କି ବାଗରେ ରୁକ୍ମିଣୀ ହରଣ କରି ଘେନିଯିବି ।

 

 

ରାଧା—

ହେଉ ଯିବି । (ପଛରୁ ନାଥ ଅଜା ଓ ଡାକ୍ତରବାବୁଙ୍କ ପାଟି ଶୁଭିଲା ) ହେଇ, କିଏ ଆସୁଛନ୍ତି । ଉଠ୍ ଉଠ୍–ମୁଁ ପଳେଇ ଯାଏଁ ।

 

 

ନବୀନା—

ମଲା, ମୋ ଘର ମଣିଷ ସାଙ୍ଗରେ ମୁଁ କଥାଭାଷା କରୁଛି, ଲୋକ ଆସିଲେ କ’ଣ ହୋଇଗଲା ?

 

 

ରାଧା—

ଯାଃ–ଅତି ବାଗରେ କଥା କହୁଛୁ ! (ନଈ ଆଡ଼େ ଚାଲିଗଲା)

 

 

ନବୀନା—

ପୁଣି କାଲି ଏଇଠି, ଏଇ ବେଳକୁ ଦେଖା ! (ପଛରୁ ଡାକି କହିଲା ଓ ବିପରୀତ ଦିଗରେ ପ୍ରସ୍ଥାନ କଲା) (ନବୀନା ଯେଉଁ ଦିଗରେ ପ୍ରସ୍ଥାନ କଲା, ସେହି ଦିଗରୁ କଥାବାର୍ତ୍ତା ହୋଇ ପ୍ରବେଶ କଲେ–ନାଥ ଅଜା ଓ ଡାକ୍ତର ବିଜୟ ବାବୁ)

 

 

ନାଥ—

ତହିଁରେ ବିସ୍ମିତ ହେବାର କିଛି ନାହିଁରେ ଡାକ୍ତର ! ଏ ଜୀବନଟା ଯାବତୀୟ ବିସ୍ମୟର ଏକ ଯାଦୁଘର ।

 

 

ଡାକ୍ତର—

କିନ୍ତୁ ମୋର ମନେହୁଏ, ମନୀଷା ଦେବୀଙ୍କର ଏ ପ୍ରତିଜ୍ଞା ବଡ଼ ଦୁର୍ବଳ ନାଥ ଅଜା-। ଜୀବନରେ ସେ ବିବାହ ନ କରି ରହି ପାରିବେ ?

 

 

ନାଥ—

ସମାଜରେ ଏ କଥାଟା ଯେତେବେଳେ ସମ୍ଭବ ହେଲାଣି, ମନୀଷା କାହିଁକି ନ ପାରିବ ? ଯାହାହେଉ, ସେ ପ୍ରଶ୍ନରେ ମଥା ଖେଳାଇ ଆମର କିଛି ଲାଭ ନାହିଁ ।

 

 

ଡାକ୍ତର—

ମୁଁ ଆଶା କରିଥିଲି, ମନୀଷାଙ୍କର ବିବାହ ପ୍ରସ୍ତାବ ମୋ ଆଗରେ ଉପସ୍ଥାପିତ କରାଯିବ । ମୁଁ ବି ସେଥିପାଇଁ ପ୍ରସ୍ତୁତ ହେଉଥିଲି । କିନ୍ତୁ ବର୍ତ୍ତମାନ ଦେଖିଲା ବେଳକୁ–

 

 

ନାଥ—

ମନୀଷା ଜାଗାରେ ମଞ୍ଜୁ– ଗୁଲ୍‍‍କୋଜ‍୍ ସ୍ଥାନରେ ସୁଗାର୍‍, କିଛି ତଫାତ୍ ନାହିଁରେ ଡାକ୍ତର । ମନୀଷା ଆଉ ମଞ୍ଜୁ–ଗୋଟିଏ ବୃନ୍ତରେ ଦୁଇଟି ଫୁଲ ।

 

 

ଡାକ୍ତର—

ତଥାପି ନାଥ ଅଜା–

 

 

ନାଥ—

ଆରେ ୟଙ୍ଗ ଫ୍ରେଣ୍ଡ୍, ମୁଁ ବୁଝୁଛି ସବୁ କଥା । ଟୁ ବି ଭେରି ଫ୍ରାଙ୍କ୍–(To be very frank) ମନୀଷାହିଁ ତୁମର ମାନସ ପ୍ରତିମା । କିନ୍ତୁ ସେ ପ୍ରତିମା କେବଳ ପ୍ରତିମା ମାତ୍ର–ହୁଏତ ପ୍ରସ୍ତର ପ୍ରତିମା, ମୃତ-ଜଡ଼ ପିଣ୍ଡ । ତା’ ନିକଟରେ ପ୍ରୀତିର ଅର୍ଘ୍ୟ ନିବେଦନ କରି ତୁମେ ନିରାଶ ହେବ ଡାକ୍ତର–ନିଶ୍ଚୟ ନିରାଶ ହେବ, ମୁଁ ଆଗରୁ କହି ରଖୁଛି ।

 

 

ଡାକ୍ତର—

ସେ ନିରାଶାରେ ଆନନ୍ଦ ଅଛି ନାଥ ଅଜା, ଗୌରବ ମଧ୍ୟ ।

 

 

ନାଥ—

ଆଦୌ ନୁହେଁ । ଆନନ୍ଦ ଥାଆନ୍ତା, ଯଦି ତୁମର ପ୍ରୀତି ଅର୍ଘ୍ୟ ଗ୍ରହଣ କରିବାକୁ ତୁମ ଆଗରେ ଏକ ଜୀବନ୍ତ ପ୍ରତିମା ନ ଥାନ୍ତା ! ସେହି ଜୀବନ୍ତ ପ୍ରତିମା ଆଡ଼େ ଥରେ ଦୃଷ୍ଟି ଦିଅ ଡାକ୍ତର, ସେ ତୁମର ପ୍ରୀତି ଅର୍ଘ୍ୟ ଗ୍ରହଣ କରି ତା’ର ପ୍ରତିଦାନ ଦେବାକୁ ମଧ୍ୟ ପ୍ରସ୍ତୁତ ରହିଛି ।

 

 

ଡାକ୍ତର—

ମୋତେ ଉପାୟ ଚିନ୍ତା କରିବାକୁ ଟିକିଏ ସମୟ ଦିଅନ୍ତୁ ନାଥ ଅଜା !

 

 

ନାଥ—

ହସେଇଲ ଡାକ୍ତର–ମୋତେ ତୁମେ ହସେଇଲ । ବୋଧହୁଏ ତୃତୀୟ ବିଶ୍ଵ-ଯୁଦ୍ଧର ସମସ୍ୟା ଆସି ପହଞ୍ଚିଛି, ଉପାୟ ଚିନ୍ତା କରିବାକୁ ସମୟ ଦରକାର । ହେଃ–ହେଃ– ଚାଇଲିଡ୍‍‍ସ୍‍‍ନେସ୍‍‍ (childishness)–ଯେତେ ସବୁ ପିଲାଳିଆ କଥା !

 

 

ଡାକ୍ତର—

ପିଲାଳିଆ କଥା ନୁହେଁ ନାଥ ଅଜା । ଯେଉଁ କଥା ଉପରେ ମୋର ସମଗ୍ର ଭବିଷ୍ୟତ୍‍ ଜୀବନ ନିର୍ଭର କରୁଛି–

 

 

ନାଥ—

ଓହୋ–ମୁଁ ବୁଝିଲି । ମଞ୍ଜୁ ହେବ ତୁମର ଉପଯୁକ୍ତ ଲାଇଫ୍ ମେଟ୍ (life-mate)–ବିଶ୍ଵସ୍ତ ଜୀବନ-ସଙ୍ଗିନୀ ! ତା’ ଭଳି ଏକଂପିଲ୍‍ସ୍‍ଡ୍‍ ଗାର୍ଲ (Accomplished girl) ମୁଁ ଏ ସହରରେ ଆଉ ଦେଖୁନି । ତୁମେ ନିଶ୍ଚିନ୍ତ ରହ ଡାକ୍ତର, ମଞ୍ଜୁ ସହିତ ତୁମର ଭବିଷ୍ୟତ ଜୀବନ ନିଶ୍ଚୟ ଉଜ୍ଜ୍ଵଳ ହେବ ।

 

 

ଡାକ୍ତର—

(ଚିନ୍ତିତ ଭାବେ) ତା’ହେଲେ–

 

 

ନାଥ—

ତା’ହେଲେ ଆଡ୍‍‍ଭୋକେଟ୍‍‍ ମହାପାତ୍ରଙ୍କୁ ମୁଁ ତୁମର ସମ୍ମତି ଜଣାଇ କଥାଟା ଏକାବେଳେ ପକ୍କା କରି ନିଏଁ । ଏଇ ବର୍ଷ ହିଁ ବାହାଘର; ଶୁଭସ୍ୟ ଶୀଘ୍ରଂ ।

 

 

ଡାକ୍ତର—

କିନ୍ତୁ ମୋର ପରିବାରବର୍ଗଙ୍କର ମତାମତ ଟିକିଏ ଜାଣିବାକୁ ହେବ ନାଥ ଅଜା ।

 

 

ନାଥ—

ଡ୍ୟାମ୍ ଇଟ୍ (dam it) । ତୁମର ସମ୍ମତି ତ ମିଳିଲା ! ତୁମ ବାପା-ମା’ଙ୍କର ମତାମତ କଥା ଆମେ ବୁଝିବୁଁ ।

 

 

ଡାକ୍ତର—

ମୁଁ ଯେତେଦୂର ଜାଣେଁ–ଉଚ୍ଚ ଶିକ୍ଷା ଉଦ୍ଦେଶ୍ୟରେ ମୋର ବିଲାତ ଯିବାଲାଗି ଦଶ-ବାର ହଜାର ଟଙ୍କା ବାପା ମୋ ଶଶୁର ଘରୁ ଚାହାଁନ୍ତି । ଆଉ ମୋ ବୋଉ;–ସେ ଦଶ କୋଡ଼ିଏ ଭରି ସୁନା ଗହଣା କନ୍ୟା ଦେହରେ ଦେଖିଲେ ସନ୍ତୁଷ୍ଟ ହୋଇଯିବ ।

 

 

ନାଥ—

(ବିବ୍ରତ ହୋଇ) ହୁଁ, ବୁଝିଲି । ଡାଓରି–ଯୌତୁକ–

 

 

ଡାକ୍ତର—

ସମାଜର ଚଳଣି ନାଥ ଅଜା । ମୋର ବାପ ମା’ ସାଧାରଣ ଅର୍ଦ୍ଧଶିକ୍ଷିତ ଲୋକ । ସେମାନେ ଯାହା ଦେଖୁଛନ୍ତି–ଶୁଣୁଛନ୍ତି–

 

 

ନାଥ—

ଆଚ୍ଛା ବେଶ୍ ! ସେ କଥା ମୁଁ ବିଚାର କରି ତୁମ ବାପା ମା’ଙ୍କୁ ଜଣାଇବି । ବର୍ତ୍ତମାନ ମଞ୍ଜୁ ବିଷୟରେ ତୁମର ସମ୍ମତି ଲାଭ କରି ମୁଁ ବଡ଼ ଖୁସି ହୋଇଛି । ବ୍ରାଭୋ–ବ୍ରାଭୋ ୟଙ୍ଗ୍ ବୟ୍ ! (Bravo ! Bravo ! Young boy !) (ଆନନ୍ଦରେ ଡାକ୍ତରଙ୍କ ସହିତ କର ମର୍ଦ୍ଦନ କଲେ)

 

 

ଡାକ୍ତର—

ମୁଁ ବର୍ତ୍ତମାନ ତେବେ ଆସୁଛି ନାଥ ଅଜା । ତେଣେ ଘରେ ପେସେଣ୍ଟ୍‍ଗୁଡ଼ା ମୋତେ ଚାହିଁ ବସିଥିବେ ।

 

 

ନାଥ—

ହଁ, ଆଜିକାର ତମ ଆଡ୍‍‍ଭେଞ୍ଚର‍୍ କଥା ମୋତେ ତ କହିଲନି ଡାକ୍ତର ! ଆସ, ଆସ, ନଈ କୂଳେ ଘେରାଏ ବୁଲା ହେବ, ଆଉ ତମ ଆଡ୍‍‍ଭେଞ୍ଚର‍୍ କଥା ଶୁଣା ହେବ । ତା’ପରେ ଆଜି ତୁମର ଛୁଟି ।

 

 

(ଯେଉଁ ଦିଗରୁ ଆସିଥିଲେ, ତା’ର ବିପରୀତ ଦିଗରେ ଡାକ୍ତରଙ୍କ ହାତ ଧରି ଟାଣି ନେଇ ଚାଲିଗଲେ ।)

 

୪ର୍ଥ ଦୃଶ୍ୟ

 

(ଆଡ୍‍‍ଭୋକେଟ୍‍ ମହାପାତ୍ରଙ୍କର ଡ୍ରଇଂ ରୁମ୍ । ଆଧୁନିକ ଆସବାବପତ୍ରରେ ସୁସଜ୍ଜିତ ହୋଇଛି । ଚେୟାରରେ ଧାଡ଼ି ଧରି ବସିଛନ୍ତି–ନାଥ ଅଜା, ଶ୍ରୀମତୀ ମହାପାତ୍ର ଓ ମନୀଷା । ଗୋଟିଏ ଓଡ଼ିଶୀ ସଙ୍ଗୀତର ତାଳେ ତାଳେ ନୃତ୍ୟ କରିବାରେ ଲାଗିଛି ମଞ୍ଜୁ । ଲକ୍ଷ୍ୟ କରିବାର କଥା–ଆଜିର ଆସରରେ ଡାକ୍ତରବାବୁ ଅନୁପସ୍ଥିତ ରହିଛନ୍ତି ।)

 

ସଙ୍ଗୀତ–

 

(ପ୍ରାଣନାଥ ମୋର ବଂଶୀଧାରୀ–ରାଗିଣୀରେ )

 

(ତାକୁ) ନାହିଁ ନାହିଁ କଲି ବାର ବାର ସଖି...

ଜିଗର ତାର ସଖି ।

ମୋ ଚୋରା ପୀରତି ପାଇଁ ପାଗଳ ସେ ସଜନୀ

ନ ଛାଡ଼େ, ମୋ ପଥେ ବସେ ଛକି ।

ଜଗତେ ସୁନ୍ଦରୀ କେତେ ନାହାନ୍ତି ରେ ସଜନୀ

ମୋଠାରେ ଗଲା ତା ମନ ଲାଖି ।

ଏଣେ କାମ-ବାଣ ତେଣେ କଳଙ୍କ ରେ ସଜନୀ

ଏ ବିପଦୁ ବଞ୍ଚା ମୋତେ ରଖି ।

 

(ନୃତ୍ୟ-ଗୀତ ପରେ ମଞ୍ଚ ଅନ୍ଧାର ହେଲା–ପରଦା ପଡ଼ିଲା)

 

୫ମ ଦୃଶ୍ୟ

 

(ଗ୍ରାମ ପଥ । ଗାଁର ସରପଞ୍ଚ ନଟ ମହାନ୍ତି କାଖରେ ଛତା ଜାକି, ହାତରେ ଖବରକାଗଜ ଖଣ୍ଡିଏ ଧରି ଚାଲିଛନ୍ତି । ପଛରେ ଅନୁସରଣ କରୁଛି ନବୀନା । ନଟ ମହାନ୍ତି ପ୍ରୌଢ଼, ଆଣ୍ଠୁଲୁଚା ଖଦି ଓ କାମିଜ୍‍ ପିନ୍ଧିଛି । ମୁହଁରୁ ଟାଉଟରି, କପଟତା ଯେପରି ଫୁଟିପଡ଼ୁଛି ।)

 

 

ନବୀନା—

ମୁଁ ମାଇଲିଏ ବାଟ ପଛରେ ଗୋଡ଼େଇଲିଣି । ମୋ କଥା ଟିକିଏ ଶୁଣ ଭଲା ନଟ ମାମୁଁ !

 

 

ନଟ—

(ରାଗରେ) ଆବେ ଏ ଯାତ୍ରା ଟୋକା, ତୁ’ ପୁଣି ନଟମାମୁଁ–ନଟମାମୁଁ ଡାକି ହେଉଛୁ-! ଆବେ, ଆମେ ତ ଅଉଲ୍‍ କିସମର ଖଣ୍ଡାୟତ, ଆଉ ତୁ’ଟା ଜାତିରେ ଗଉଡ଼-। ସେଥିରେ ପୁଣି ମାମୁଁ-ଭଣଜା ସମ୍ପର୍କ କୁଆଡ଼ୁ ଆସିଲା ବେ ଛତରା ?

 

 

ନବୀନା—

ମୋ ବୋଉ ପରା ମହାପ୍ରସାଦ ଦେଇ ତୁମକୁ ଧରମଭାଇ କରିଥିଲା–

 

 

ନଟ—

ହ୍ୟାପ, କେଉଁ କାଳ କଥା ସେ ! ତୋ’ବୋଉ ମରି ମାଟିରେ ମିଶିଲାଣି, ଆଉ ପୁଣି କି ଧରମ ଭାଇ ! ଦେଖ୍‍ ନବୀନା, ସେ ଟୋକାଳିଆ ବୁଦ୍ଧି ଛାଡ୍‍ । ଟିକିଏ ମାନମହତ ଶିଖ୍ ! କାହାକୁ କିମିତି ମଜୁରା କରିବାକୁ ହୁଏ, ଜାଣି ରଖ୍‍ ! ସେ କାଳ ପଖାଳ ବାସି ହେଲାଣି । ନଟ ମହାନ୍ତି ଆଜି ଏତେ ବଡ଼ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ! ହୁଁ–ଇମିତି ସିମିତି ନୁହେଁ ବାପଧନ ।

 

 

ନବୀନା—

ହଉ, ତେବେ କ’ଣ ବୋଲି ଡାକିବି ?

 

 

ନଟ—

କାହିଁକି, ଆଖପାଖ ଦଶ ଖଣ୍ଡ ମୌଜାରେ ‘ନଟବର ବାବୁ’ ‘ନଟବର ବାବୁ’ ଡକା ପଡ଼ିଛି, ତୋ ପାଟିରେ କ’ଣ ସେ ନାମଟା ପଶୁନି’ ?

 

 

ନବୀନା—

ହଉ ନଟମାମୁଁ–ନା, ନା ନଟବର ବାବୁ, ଏ ଗରିବ କଥା ଟିକିଏ କାନକୁ ନିଅ !

 

 

ନଟ—

ଆରେ, ସେଇ ଗରିବ-ଗୁରୁବାଙ୍କ କଥା ଶୁଣିବା ପାଇଁ ତ ଆମେ ରହିଛୁଁ । ଆମ ସ୍ଵାଧୀନ ସରକାର ମୁଠା ମୁଠା ଟଙ୍କା ଖର୍ଚ୍ଚ କରି ପଞ୍ଚାୟତ ଗଢ଼ିଛି । ତମମାନଙ୍କ ହାରି-ଗୁହାରି ନ ଶୁଣି ଆମର ଚାରା ଅଛି ? ଏଇ ଦେଖୁ ନାଉଁ, ସକାଳୁ ଦାନ୍ତ ଘଷି ପାନ ଖଣ୍ଡେ କଳରେ ଜାକି ବାହାରିଥିଲି, ବର୍ତ୍ତମାନ ଆସି ବାରଟା ଟାଇମ୍ ହେଲାଣି, ଅଖିଆ ଅପିଆ ଘୂରୁଛି ଚର୍‍କି ଭଳି–ଗାଁକୁ ଗାଁ । କିଏ ବୁଝୁଛି ଆମ ଦୁଃଖ ?

 

 

ନବୀନା—

ଜନ-ସେବା ନଟବର ବାବୁ, ଏ ବଡ଼ ପବିତ୍ର କାମ । କେତେଜଣ ଏହା ପାରନ୍ତି ?

 

 

ନଟ—

ଥିଲା ଗୋଟାଏ ପୁଅ ମହାତ୍ମାଗାନ୍ଧୀ । ନିଃସ୍ଵାର୍ଥପର ଭାବରେ ଜନସେବା କିମିତି କରିବାକୁ ହୁଏ, ସେଇ ଦେଖେଇ ଦେଇ ଯାଇଛି । ଆଉ ଆଜିକାଲି କିଏ ସିମିତି–

 

 

ନବୀନା—

କାହିଁକି, ତୁମେ ନିଜ କଥା କହୁନ’ ! ତମ ଭଳି ନିଃସ୍ଵାର୍ଥପର ଜନସେବକ ଏ ଖଣ୍ଡ-ମଣ୍ଡଳରେ ମୁଁ ଆଉ ଦେଖୁନି’ !

 

 

ନଟ—

(ଖୁସି ହୋଇ) ଛାଡ୍ ଛାଡ୍, ମୋ କଥାଟା ଆଉ କ’ଣ ଧରୁଛୁରେ ନବୀନା । ଦେଶ ସେବା କରି କରି ଅଧା ଜୀବନଟା କଟେଇଦେଲି । ମୋରି ସାଙ୍ଗରେ ନବ ମହାପାତ୍ର ଆଜି ହୋଇଛି ଉପମନ୍ତ୍ରୀ । ମୁଁ କିନ୍ତୁ ଏ ଗାଁ ମାଟିର ମୋହ–ଏ ଜନସେବାର ଲୋଭ ଛାଡ଼ି ପାରିଲି ନାହିଁ । ଗତ ନିର୍ବାଚନ ବେଳେ ମୋତେ ପାର୍ଟି ଟିକଟ୍ ମିଳିଲା–ଆସେମ୍ବିଲିକୁ ଯିବା ପାଇଁ । ମୁଁ ସିଧା ସିଧା ମନା କରିଦେଲି–ମୋର ସେ ଏମ୍:ଏଲ୍:ଏ: ପଦ ଦର୍କାର ନାଇଁ । ମୋ ଗୋବିନ୍ଦପୁର ଭଲ ତ ମୁଁ ଭଲ । ଇମିତି ତ ଦେଶ ସେବା କରୁଛି ଆଉ ଆସେମ୍ବିଲି ମେମ୍ବରଟାଏ ହେଲେ ଅଧିକ କ’ଣ ହେବ ?

 

 

ନବୀନା—

ଭଲ କରିଛ ନଟ ମାମୁଁ–ନା, ନା, ନଟବର ବାବୁ !

 

 

ନଟ—

କିନ୍ତୁ ମୋତେ କ’ଣ ଏ ନେତାମାନେ ଛାଡ଼ିଲେରେ ନବୀନା ? ଗତବର୍ଷ ଉପମନ୍ତ୍ରୀ ନବ ମହାପାତ୍ରେ ଆସି କେତେ ନେହୁରା ହେଲେ–ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ତୁମକୁ ନିଶ୍ଚୟ ହେବାକୁ ପଡ଼ିବ ନଟବର ବାବୁ । ମୋର ଆଉ ଚାରା କ’ଣ ? ବାଧ୍ୟ ହୋଇ ହଁ ଭରିଲି ।

 

 

ନବୀନା—

ତମ ଛଡ଼ା ଏ ଅଞ୍ଚଳରେ ସରପଞ୍ଚ ହେବାକୁ ଆଉ ଲୋକ କିଏ ନଟବର ବାବୁ ? ତମେ ଯିମିତି ଗରିବ-ଗୁରୁବାଙ୍କର ହାନିଲାଭ ବୁଝୁଛ–

 

 

ନଟ—

ସେ କଥା ବୁଝୁଛି କିଏ ରେ ବାପ ? ଏ ଯୁଗ ହେଲା ଓଲଟା । ଲୋକଙ୍କର ଉପକାର କରିବ, ଏଣେ ପଛରେ ହେବ ଦୁର୍ନାମ । ଛି–ଛି–

 

 

ନବୀନା—

ତମର ପୁଣି ଦୁର୍ନାମ କରିବ କିଏ ? କାହା ଜିଭରେ ହାଡ଼ ।

 

 

ନଟ—

ସେପରି ଲୋକର ଅଭାବ ନାହିଁରେ ନବୀନା । ଏଇ ସ୍କୁଲ କଲେଜର ବାଇଆ ଟୋକାଗୁଡ଼ାଙ୍କୁ ଦେଖୁନୁ’ ? କିଛି ତ କାମ ନାଇଁ, ବାପ ମା’ଙ୍କ ଉପରେ ଖାଇଲେ, ଆଉ କ’ଣ କରିବେ ? ତେଣିକି ପର ନିନ୍ଦା–ପର ଚର୍ଚ୍ଚା । ଛାଡ୍ ସେ କଥା ! ବେଳ ହେଇ ଯାଉଛି, ଏବେ ତୋ କଥାଟା କ’ଣ ଶୁଣିବା ।

 

 

ନବୀନା—

କହିଲି ପରା ! ମୋତେ ଏ ବିପଦରୁ ଉଦ୍ଧାର କର ନଟବର ବାବୁ । ତମେ ଥରେ ନ ଚାହିଁଲେ–

 

 

ନଟ—

ବୁଝିଲି ବାପ ! କିନ୍ତୁ ଏତେଗୁଡ଼ା ଟଙ୍କା ତୋର କି ଦର୍କାର ମୋତେ ତ କହିଲୁ ନାହିଁରେ ନବୀନା । ତୁ ତ ଏକୁଟିଆ ମଣିଷ, ମଠରେ ଖାଇ ଖଟରେ ଶୋଉଛୁ, ତୋର ପୁଣି ପାଞ୍ଚ୍‍ ଦଶ୍‍ ନୁହେଁ, ଏକାବେଳେ ପାଞ୍ଚଶ’ ଟଙ୍କା ।

 

 

ନବୀନା—

ହଁ ଭାରି ଦର୍କାର । ନ ହେଲେ ଚଳିବ ନାଇଁ ନଟବର ବାବୁ । ମୋର ଜମି-ବାଡ଼ିତକ ରଖି ଯିମିତି ହେଉ–

 

 

ନଟ—

ଓହୋ, ଫେର୍ ସେଇ ଟୋକାଳିଆ ବୁଦ୍ଧି । କିରେ, ଜମି-ବାଡ଼ିଗୁଡ଼ାକ ତୋତେ ପିତା ଲାଗୁଛି କି ? ତୋ ବୋଉ ସୀତୟା କଥା କଥାକେ ପରା କୋଡ଼ି କୋଡ଼ି ଟଙ୍କା ମୋଠାରୁ ହାତ ଉଧାରି ଘେନି ଆସିଛି ; ପୁଣି ତୋ ବାପ ବିନା ସୁଧରେ ଛେଲାକୁ ଛେଲା ଧାନ କରଜ ଆଣିଛି । ସେ ଲୋକ ସିନା ମରି ହଜି ଗଲେଣି, କଥାଟା କାଳ କାଳକୁ ରହିଛି । ତୁ ଏ ସବୁ ଜାଣିବୁ କିମିତିରେ ? ବାପ, ନ ହେଲା ମାମୁଁ ମଉଳା । ତୋ ବିପଦ ଆପଦକୁ ମୁଁ ନ ଚାହିଁବି ତ, ଚାହିଁବ ଆଉ କିଏ

 

 

ନବୀନା—

ହଁ, ତମେ ମୋ ବାପ ବଦଳି ବାପ ନଟମାମୁଁ । ମୋତେ ଏ ବିପଦରୁ ରକ୍ଷା କର । ଅଗଣି ଦାସ ଝିଅ ରାଧା ସାଙ୍ଗରେ ମୋ ମନ ମିଳିଛି, ଆମର ବାହାଘର ହେବ । କିନ୍ତୁ ଅଗଣି ଦାସ କନ୍ୟାସୁନା ଭିଡ଼ୁଛି ପାଞ୍ଚ ଶ’ ଟଙ୍କା ।

 

 

ନଟ—

ଗାନ୍ଧୀ ମହାତ୍ମା, ରକ୍ଷା କର–ରକ୍ଷା କର ! ଆରେ ସେଇ ରାଧା ଟୋକୀଟା–ଭୂପତି ମହାପାତ୍ର ଓକିଲଙ୍କ ଚାକରାଣୀ, ନା ଅଛି ରୂପ, ନା ଅଛି ଗୁଣ । ବାରବୁଲୀ, ଅଣ୍ଡିରାଚଣ୍ଡୀ ଟୋକୀଟା । ସେଥିରେ ପୁଣି କନ୍ୟାସୁନା ପାଞ୍ଚ ଶହ । କାହିଁକିରେ ନବୀନା, ତୋତେ କ’ଣ କନିଆଁ ଅଭାବ ହେଇଛି କି ରେ ?

 

 

ନବୀନା—

ନା ନଟମାମୁଁ, ସେ କଥା ମୋତେ କହନା ! ଅଗଣି ଦାସକୁ କୌଣସି ପ୍ରକାରେ ବୁଝାଇ ସୁଝାଇ ସେଇଠି ମୋ ବାହାଘରଟା କରେଇ ଦିଅ । ତମର ବହୁତ ଧର୍ମ ହେବ ନଟ ମାମୁଁ । ତମ ଋଣ ମୁଁ ଶୁଝିପାରିବି ନାହିଁ । ମୋତେ ଯାହା କହିବ, ସାରାଜୀବନ ମୁଁ ତାହା ତମର କରିବି ପଛେ ।

 

 

ନଟ—

ଓହୋ ଏ ତ ବଡ଼ ମୁସ୍କିଲ୍‍ କଥା ! ହଉ, ମୁଁ ଚେଷ୍ଟା କରେଁ । ଆଚ୍ଛା, ତୁ’ ଆମ ପଞ୍ଚାୟତ ଫଣ୍ଡ୍‍କୁ କେତେ ଦେବୁ କହିଲୁ ଆଗେ ।

 

 

ନବୀନା—

ପଞ୍ଚାୟତ ଫଣ୍ଡ୍‍କୁ ମୁଁ କିଛି ଦେଇ ପାରିବି ନାହିଁ ନଟବର ବାବୁ , ମୋତେ ମାଫ୍ କର ! ହେଲେ, ତମକୁ ପଛେ ପକେଟ ଖର୍ଚ୍ଚ ବାବଦ–

 

 

ନଟ—

(ରାଗରେ) ଚୁପ୍ ଚୁପ୍ ! ତୋର ତ ଭାରି ସାହସରେ ଛତରା ଟୋକା ! ଦେଶସେବୀ ସରପଞ୍ଚ ନଟବର ମହାନ୍ତିଙ୍କି ତୁ ପୁଣି ଦେବୁ ପକେଟ୍ ଖର୍ଚ୍ଚା–ଲାଞ୍ଚ–ଘୁଷ୍ ! ରକ୍ଷା କର ଗାନ୍ଧୀ ମହାତ୍ମା, ରକ୍ଷାକର !

 

 

ନବୀନା—

ଭୁଲ୍‍ କରିଛି ନଟମାମୁଁ, ମୋ ପିଲା ପାଟିରୁ ଏଣୁ ତେଣୁ ପଦେ ବାହାରି ପଡ଼ିଛି, ମୋତେ କ୍ଷମା କର ! (ବିକଳ ହୋଇ ହାତ ଯୋଡ଼ିଲା)

 

 

ନଟ—

ହେଲା, ହେଲା । ତେବେ ଆମ ପଞ୍ଚାୟତ ଫଣ୍ଡ୍‍କୁ ଅତି କମ୍‍‍ରେ ଶହେ ଟଙ୍କା ଦେଲେ ମୁଁ ସବୁ ଠିକଣା କରି ଦେବି । ବୁଝିଲୁ ନବୀନା ? ଯା, ସଞ୍ଜବେଳକୁ ମୋ ଘରେ ଯାଇ ଦେଖା କରିବୁ । ଆଉ ଖବରଦାର୍‍, ଏ କଥା ଯିମିତି ଚାରି କାନରୁ ଛ’ କାନ ନ ହୁଏ : ବୁଝି ସାବଧାନ । (କହୁଁ କହୁଁ ଚାଲିଗଲା–ନବୀନା କାନମୁଣ୍ଡା ଆଉଁଷୁ ଆଉଁଷୁ ତା’ର ବିପରୀତ ଦିଗରେ ପ୍ରସ୍ଥାନ କଲା)

 

୬ଷ୍ଠ ଦୃଶ୍ୟ

 

[ଭୂପତି ମହାପାତ୍ରଙ୍କ ଘର । ଗୋଟିଏ ପ୍ରଶସ୍ତ ପ୍ରକୋଷ୍ଠରେ ମଞ୍ଜୁ ଚେୟାର ଉପରେ ବସି ଟେବୁଲ୍‍‍ରେ ମଥା ଥୋଇ କଇଁ କଇଁ ହୋଇ କାନ୍ଦୁଛି ଓ ପଣତରେ ଲୁହ ପୋଛୁଛି । ଏତିକିବେଳେ ପଛରୁ ଘର ଭିତରେ ନୀରବରେ ପ୍ରବେଶ କରିଛି ମନୀଷା ।]

 

 

ମନୀଷା—

(ମଞ୍ଜୁ କାନ୍ଧରେ ହାତ ପକାଇ ଆଦର କରି) ମୁଁ ସବୁ ଶୁଣିଛି ଲୋ ମଞ୍ଜୁ, ସବୁ ଶୁଣିଛି । ଛି, ସେଇଥିପାଇଁ ତୁ କାନ୍ଦୁଛୁ ?

 

 

ମଞ୍ଜୁ—

(ହଠାତ୍ ଏକ ଖିଆଲରେ କାନ୍ଦ ବନ୍ଦ କରି ଚେୟାରରୁ ଉଠି ପଡ଼ିଲା ) ତୁ’ ବାପା-ବୋଉଙ୍କୁ କହି ଦେ ଅପା–ମୁଁ ବି ବାହା ହେବି ନାହିଁ !

 

 

ମନୀଷା—

କାଇଁକି ଲୋ ? କ’ଣ ହେଲା ତୋର ?

 

 

ମଞ୍ଜୁ—

ନା, ନା, ମୁଁ ଆଦୌ ବାହାହେବି ନି’ । ତୁ ମୋତେ ବାଧ୍ୟ କର ନା’ ଅପା ।

 

 

ମନୀଷା—

ଆରେ ପାଗଳୀ, ଡାକ୍ତରବାବୁଙ୍କ ଭଳି ବରପାତ୍ର କେଇ ଜଣଙ୍କୁ ମିଳେ ?

 

 

ମଞ୍ଜୁ—

(ରାଗରେ) ଡାକ୍ତରବାବୁ ଠକ, ଭଣ୍ଡ, ଗୁଣ୍ଡା, ବଦମାସ୍‍ । ତାଙ୍କ କଥା–

 

 

ମନୀଷା—

(କୁହାଇ ଦେଲା ନାହିଁ) ଛି, ତୁନି ହ ! କ’ଣ ଗୁଡ଼ା ବାଜେ କଥା ବକୁଛୁ ଲୋ । ତୋ ମୁଣ୍ଡ ବୋଧହୁଏ ବିଗିଡ଼ି ଯାଇଛି । ଡାକ୍ତର ବାବୁଙ୍କୁ ଡାକେଁ–ସଜାଡ଼ି ଦେବେ ।

 

 

ମଞ୍ଜୁ—

ମୋ ମୁଣ୍ଡ ଠିକ୍‍ ଅଛି ଅପା । ମୁଁ ସେ ସଇତାନ୍‍ଟାକୁ କଦାପି ବାହାହେବି ନି ।

 

 

ମନୀଷା—

କାହିଁକି ? ଦଶ ହଜାର ଟଙ୍କା, ଆଉ ଦଶ କୋଡ଼ିଏ ଭରି ସୁନା ସେ ଯୌତୁକ ଦାବି କଲେ ବୋଲି ? ଏଥିରେ ଆଉ ଖରାପଟା କ’ଣ ହେଇଗଲା ?

 

 

ମଞ୍ଜୁ—

ତୁ’ କ’ଣ ଶୁଣନୁ’ ଅପା ? –ମୋରି ବେଳକୁ ଯୌତୁକ ପ୍ରଶ୍ନ ଉଠୁଛି, କିନ୍ତୁ ତୋ ବେଳକୁ–(ଅଧିକ କହି ପାରିଲା ନାହିଁ । ମୁହଁରେ ପଣତ ଜାକି ଧରି ପୁଣି ଫୁଲି ଫୁଲି କାନ୍ଦି ଉଠିଲା । କିଛିକ୍ଷଣ ପରେ କାନ୍ଦ କମାଇ କହିଲା) ମୁଁ ସ୍ଵାସ୍ଥ୍ୟହୀନା, ଅସୁନ୍ଦରୀ, ଅଳ୍ପ ପଢ଼ିଛି , ମୋତେ କିଏଟା ବାହା ହେବାକୁ ରାଜି ହେବ ଲୋ-?

 

 

ମନୀଷା—

କିନ୍ତୁ ଡାକ୍ତରବାବୁ ତୋତେ ଭଲ ପାଆନ୍ତି ମଞ୍ଜୁ ।

 

 

ମଞ୍ଜୁ—

ମୋ ଅପେକ୍ଷା ବେଶି ଭଲ ପାଆନ୍ତି ତୋତେ । ସେଇଥିପାଇଁ ତ ତୋ ବେଳକୁ ଯୌତୁକ କଥା ଉଠୁ ନାଇଁ ।

 

 

ମନୀଷା—

ଛି, ଛି, ତୁ ଏ ସବୁ ବାଜେ କଥାଗୁଡ଼ାକ ଭାବୁଛୁ କାହିଁକି ମଞ୍ଜୁ ! ତୁ ତ ଜାଣୁ–ମୁଁ ମୂଳରୁ ବାହା ହେବାକୁ ମନା କରି ଦେଇଛି । ଆମେ ଦି’ଜଣଯାକ ବାହା ହେଇ ପରଘରକୁ ଚାଲିଗଲେ, ବାପା ବୋଉଙ୍କୁ ବୁଢ଼ା ବୟସରେ ଦେଖାଶୁଣା କରିବ କିଏ ? ମୋର ଏ ମତି-ଗତି ଦେଖି ମୋତେ କିଏ କାହିଁକି ଭଲ ପାଇବାକୁ ଯିବ ଲୋ ?

 

 

ମଞ୍ଜୁ—

ମୁଁ ବି ତୋରି ଭଳି ବାହା ନ ହେଇ ଘରେ ରହିବି ଅପା । ଚାକିରି କରି ବାପା-ବୋଉଙ୍କୁ ସାହାଯ୍ୟ କରିବି !

 

 

ମନୀଷା—

ତା’ହେଲେ, ଆମ ପରେ ଏ ବଂଶରେ ପାଣି ଢାଳିବାକୁ ଜଣେ କେହି ରହିବା ତ ଦରକାର । ସେଥିପାଇଁ ବାପା ବୋଉ ଚାହାଁନ୍ତି–ବୁଢ଼ା କାଳେ ନାତି ନାତୁଣୀ ଦେଖି ଟିକିଏ ଶାନ୍ତି ପାଇବେ । ତୁ’ ଆଉ ଅଝଟ କର୍‍ନା ମଞ୍ଜୁ, ମୋ ସୁନା ଭଉଣୀଟା ପରା; ତୁ ବାହା ହୋଇ ଘର ସଂସାର କଲେ, ଆମେ ସବୁ କେଡ଼େ ସୁଖୀ ନ ହେବୁଁ ?

 

 

ମଞ୍ଜୁ—

କିନ୍ତୁ ମୁଁ ତ ସୁଖୀ ହୋଇ ପାରିବିନି ଅପା !

 

 

ମନୀଷା—

କାହିଁକି ଲୋ ଟୋକୀ ? ଡାକ୍ତର ବାବୁଙ୍କୁ ତୋର କ’ଣ ପସନ୍ଦ ହେଉ ନି’ ?

 

 

ମଞ୍ଜୁ—

ନା ! ସେ ବଡ଼ ନିଷ୍ଠୁର–ହୃଦୟହୀନ ! ସେ ତ ମୋତେ ବାହା ହେବାକୁ ଚାହାନ୍ତି ନି’ ! ଚାହାନ୍ତି–ମୋ ବାପର ଟଙ୍କା-ସୁନାକୁ ବାହା ହେବାଲାଗି ।

 

 

ମନୀଷା—

ପାଗଳୀଟା ! ଟଙ୍କା ସୁନା ହେଲା ଉପଲକ୍ଷ୍ୟ, ଆଉ ଲକ୍ଷ୍ୟ ହେଲା ତୁ’ (ମଞ୍ଜୁର ଚିବୁକ ଧରି ) ଜାଣେ ଲୋ ମଞ୍ଜୁ, ତୁ ଡାକ୍ତର ବାବୁଙ୍କୁ କେତେ ଭଲ ପାଉ, ମୁଁ ସବୁ ଜାଣେ । ତୁ ନିଶ୍ଚେ ଜୀବନରେ ସୁଖୀ ହେବୁ ।

 

 

ମଞ୍ଜୁ—

(ଲାଜରେ ତଳକୁ ମୁହଁ ପୋତି ନୀରବ ରହିଲା । )

 

 

ମନୀଷା—

ଆଉ ଯୌତୁକ କଥାଟାକୁ ତୁ ଇମିତି ଧରି ବସିଛୁ କାହିଁକି, ମୁଁ ଜମା ବୁଝିପାରୁ ନାହିଁ । ବାପା ବୋଉ ଡାକ୍ତର ବାବୁଙ୍କୁ ଝିଅ ଦେଇ ପୁଅ କରିବେ । ଧରି ନେ’ –ସେ ଦଶ ହଜାର ଟଙ୍କା ତାଙ୍କ ପୁଅର ପଢ଼ା ଖର୍ଚ୍ଚ । କାଲି ଯେତେବେଳେ ଡାକ୍ତର ବାବୁ ଏଫ୍.ଆର୍.ସି.ପି., (F.R.C.P) କିମ୍ବା ଏଫ୍.ଆର୍.ସି.ଏସ୍. (F.R.C.S) ହୋଇ ବିଲାତରୁ ଫେରିବେ, ସେତେବେଳେ ଆମ ଛାତି ଗର୍ବରେ କ’ଣ ଫୁଲି ଉଠିବ ନାଇଁ ? ଆଉ ତୁ–ତୁ ସେତେବେଳେ ତୋ ଅପାକୁ ଆଉ କ’ଣ ଟିକିଏ ପଚାରିବୁ ଲୋ ମଞ୍ଜୁ ।

 

 

ମଞ୍ଜୁ—

(ଖୁସି ହୋଇ) ଧେତ୍ ! ଅପା, ତୁ’ ବଡ଼ ଇଏ –

 

 

ମନୀଷା—

(ହସି ହସି ) ମୁଁ ‘ଇଏ’ ହୁଏଁ ପଛେ, ତୁ’ ବିଏ କର ! ଏ ବୁଢ଼ୀ ବୟସରେ ତୋ ଫୁଲନୋଳ ଟିକିଏ ମୁଁ ଦେଖେ । ଆଉ ଏ ଯୌତୁକ ପ୍ରଥା ତୁ’ ବନ୍ଦ କରିପାରିବୁ ନାଇଁ ଲୋ ମଞ୍ଜୁ ! ଆଜିକାଲି ସମାଜର ଶିରା ପ୍ରଶିରାରେ ଏ ରୋଗ ସଂକ୍ରମିତ ହେଲାଣି । ଏହା ସହଜରେ ବନ୍ଦ ହେବାର ନୁହେଁ । ଆଧୁନିକ ଶିକ୍ଷିତ ସମାଜରେ ଏ ଯୌତୁକ ପ୍ରଥା; ପୁଣି ଗରିବ, ଅପାଠୁଆ, ଗାଉଁଲି ସମାଜରେ କନ୍ୟାସୁନା ପ୍ରଥା । ଏଠି କନ୍ୟା ପକ୍ଷର ଦାୟ ତ, ସେଠି ବର ପକ୍ଷର ଦାୟ ।

 

 

ମଞ୍ଜୁ—

କନ୍ୟାସୁନା ! କନ୍ୟାସୁନା ପୁଣି କ’ଣ ?

 

 

ମନୀଷା—

ଝିଅ ବିକା ଟଙ୍କା ଲୋ–ଝିଅ ବିକା ଟଙ୍କା ! ଗୋରୁ ଗାଈ ବିକ୍ରି କଲା ଭଳି ବାପ ଝିଅକୁ ବିକି ବର-ଘରୁ ଟଙ୍କା ଆଣିବ । ଏଇ ଆମ ରାଧା କଥା ଶୁଣିଛୁ ? ତା’ ବାପା ଧରି ବସିଛି–ପାଞ୍ଚଶ’ ଟଙ୍କା ଯେ କନ୍ୟାସୁନା ଦେବ, ସେ ବୁଢ଼ା-ହଡ଼ା ହେଉ–କଣା କୁଜା ହେଉ, ରାଧାକୁ ବାହା ହେବ ।

 

 

ମଞ୍ଜୁ—

(ବିସ୍ମୟରେ) ଏଁ, ପାଞ୍ଚଶ’ ଟଙ୍କାରେ ଝିଅ ବିକ୍ରି ।

 

 

ମନୀଷା—

ହଁ ଲୋ, ଏଥିରେ ଆଉ ଆଶ୍ଚର୍ଯ୍ୟ ହେବାର ଅଛି କ’ଣ ? କାଲି ରାତି କଥା ଶୁଣିନୁ’ ପରା ! ରାଧା କାଲି ରାତିରୁ ତାଙ୍କ ଘରକୁ ଯାଇନି’ । ଆଉ ରାତିସାରା ସେ ମୋତେ କ’ଣ ଶୋଇ ଦେଇଛି ? ଏକାବେଳେ କାନ୍ଦିକାଟି ଅଥୟ;–ବଡ଼ ଦେଈ, ମୋତେ ଭରସା ହୁଅ, ନଇଲେ ମୁଁ ବିଷ ଖାଇ ମରିବି ।

 

 

ମଞ୍ଜୁ—

କାଇଁକି ଲୋ, ମରିବ କିଆଁ ?

 

 

ମନୀଷା—

ରାଧା ତାଙ୍କ ସାହିର ନବୀନା ବୋଲି ଜଣେ ଟୋକାକୁ ସୁଖ ପାଏ । ନବୀନା ବିଚରା ବଡ଼ ଗରିବ, ପୁଣି ବାପ ମା-ଛେଉଣ୍ଡ । ସେ ପାଞ୍ଚଶ’ ଟଙ୍କା କନ୍ୟାସୁନା ଯୋଗାଡ଼ କରି ପାରିବ, ନା ରାଧାକୁ ବାହା ହେବ !

 

 

ମଞ୍ଜୁ—

ଆହା, ରାଧା ବିଚାରୀ ବଡ଼ ବିପଦରେ ପଡ଼ିଛି ।

 

 

ମନୀଷା—

ଆମକୁ ସେ ବିପଦରୁ ତାକୁ ଉଦ୍ଧାର କରିବାକୁ ହେବ ମଞ୍ଜୁ । ନୋହିଲେ ପାଗଳୀଟା କେତେବେଳେ କ’ଣ କରି ବସିବ, ସେଥିପାଇଁ ଆମେ ହିଁ ଏଠି ଦାୟୀ ହେବା । ମୁଁ ଆଜି ସକାଳୁ ନବୀନାକୁ ଡକେଇ ପଠେଇଛି । ଆସୁ ସେ–

 

 

 

(ଏତିକିବେଳେ ରାଧା ଆସି ପହଞ୍ଚିଗଲା)

 

 

ରାଧା—

ସାନ ଦେଈ, ମା’ ଡାକୁଛନ୍ତି !

 

 

ମଞ୍ଜୁ—

ଆଲୋ, ଏଇଟାର କେତେ ଆୟୁଷ ଲୋ ! ତୋରି କଥା ପଡ଼ିଛି, ତୁ’ ଆସି ହାଜର ! ବୋଉ କାହିଁକି ଡାକୁଛି ?

 

 

ରାଧା—

ମଲା, ସକାଳ ପହରୁ କିଛି ଖାଇ ନ’–ମନ ଊଣା କରି ବସିଛ । ମା ତମ ପେଇଁ ଭାରି ବେସ୍ତ ହେଉଛନ୍ତି !

 

 

ମନୀଷା—

ତୁ ସକାଳୁ ଜଳଖିଆ ଖାଇନୁ’ ମଞ୍ଜୁ ? ଓ-ହୋ, ଅଖିଆ-ଅପିଆ ଏଠି ବସି କାନ୍ଦଣା ଚାଲିଥିଲା ! ଯା, ଯା, ଖାଇ ଆ’ ଯା’ ! (ମଞ୍ଜୁ ପ୍ରସ୍ଥାନ କଲା)

 

 

 

ନବୀନା ଆସିଲାଣି ଲୋ ରାଧା !

 

 

ରାଧା—

ହଁ ବଡ଼ ଦେଈ, ମୁଁ ତାକୁ ସେଇ ବଗିଚା ଘରେ ବସେଇ ଦେଇ ଆସିଛି !

 

 

ମନୀଷା—

ତାକୁ ଖାଇବା ପିଇବାକୁ ଦେଲୁଣି ? ଆଉ ମୁଁ ଯାହା କହିଥିଲି, ସବୁ କଥା ତାକୁ ଶୁଣେଇ ଦେଇଛୁ ତ ?

 

 

ରାଧା—

ହଁ, ସେ ତୁମକୁ ଟିକିଏ ଦେଖାକରି କ’ଣ କହିବ ବଡ଼ଦେଈ !

 

 

ମନୀଷା—

ସବୁ କଥାରେ ସେ ରାଜି ଅଛି ତ, ଆଉ କ’ଣ କହିବ ? ହଉ, ତୁ ଯା’ ! ମୁଁ ଆଜି ଭିତରେ ସବୁ କଥା ସମାଧାନ କରି ଦେଉଛି । (ରାଧା ଚାଲି ଯାଉଥିବା ବେଳେ ଡାକ୍ତରବାବୁ ଆସି ପହଞ୍ଚିଲେ) ଆରେ, ଡାକ୍ତରବାବୁ ଯେ ! ନମସ୍କାର-! ଆସନ୍ତୁ, ଆସନ୍ତୁ ! (ରାଧା ଜୋରରେ ଡାକି କହିଦେଲା) ଆଲୋ ରାଧା, ମଞ୍ଜୁକୁ କହ–ଡାକ୍ତର ବାବୁଙ୍କ ପାଇଁ ଚାହା ଘେନି ଆସିବ !

 

 

ଡାକ୍ତର—

ଧନ୍ୟବାଦ ମନୀଷା ଦେବୀ ! ଏ ପ୍ରଚଣ୍ଡ ଗରମରେ ଚାହା ବଦଳରେ ଗ୍ଲାସେ ବରଫ ସରବତ୍‍ ହେଲେ ବରଂ ମୁଁ ଆପ୍ୟାୟିତ ହେବି ।

 

 

ମନୀଷା—

ନା, ନା ଡାକ୍ତର ବାବୁ, ଆପଣଙ୍କ ପାଇଁ ବର୍ତ୍ତମାନ କେବଳ ଗରମ ଚା’ ଦରକାର–ଆପଣଙ୍କ ଦେହ ଆଉ ମନ ଲାଗି ଏକ୍ଷଣି ଟିକିଏ ଉତ୍ତାପ ଆବଶ୍ୟକ !

 

 

ଡାକ୍ତର—

କାହିଁକି ? ମୋତେ ତ ଇନ୍‍ଫ୍ଲୁଏଞ୍ଜା ଧରି ନି’ !

 

 

ମନୀଷା—

ଇନ୍‍ଫ୍ଲୁଏଞ୍ଜା ନୁହେଁ । ଆପଣଙ୍କର ବିବାହ, କନ୍ୟାଲାଭ, ଧନଲାଭ, ପୁଣି ବିଲାତ ଯାତ୍ରା–ଏସବୁ ପରିସ୍ଥିତି ଭିତରେ ବର୍ତ୍ତମାନ ଦେହ-ମନକୁ କେହି ଥଣ୍ଡା ରଖିପାରେ ?

 

 

ଡାକ୍ତର—

ମୋତେ ଥଟ୍ଟା କରୁ ନାହାନ୍ତି ତ ମନୀଷା ଦେବୀ ?

 

 

ମନୀଷା—

ଥଟ୍ଟା କରିବାର ଆପଣ ଯୋଗ୍ୟ ନୁହନ୍ତି ଡାକ୍ତର ବାବୁ, ଆପଣ କେବଳ ଘୃଣାର ପାତ୍ର ।

 

 

ଡାକ୍ତର—

(ବିସ୍ମିତ ଓ ଆଘାତ-ପ୍ରାପ୍ତ ହେଲେ) ଏହାର ମାନେ ?

 

 

ମନୀଷା—

ମାନେ ଅତି ସହଜ । ଯେଉଁ ଲୋକ ବିବାହ କରିବାକୁ ଯାଇ ପ୍ରେମ-ପ୍ରୀତି ଅପେକ୍ଷା ଦୈହିକ ରୂପକୁ ବଡ଼ ମନେକରେ–ଆଉ କାମିନୀ-କାଞ୍ଚନ ଲୋଭରେ ଲାଳାୟିତ ହୁଏ, ସେ ଘୃଣାର ପାତ୍ର ନ ହୋଇ ଆଉ କ’ଣ ହୋଇପାରେ ଡାକ୍ତରବାବୁ ?

 

 

ଡାକ୍ତର—

(ଲଜ୍ଜା ଓ ଅପମାନରେ ମୁଖର ଭଙ୍ଗୀ ବଦଳିଗଲା) ଆପଣ କାହାକୁ କ’ଣ କହୁଛନ୍ତି ମନୀଷା ଦେବୀ ? ବୁଝି ବିଚାରି କହନ୍ତୁ !

 

 

ମନୀଷା—

ମୁଁ ଆପଣଙ୍କ ଭଳି ନିର୍ବୋଧ ଭାବରେ କଥା କହୁ ନାଇଁ ଡାକ୍ତର ବାବୁ ! ଭାବିଥିଲି–ଆପଣ ଅତି ଭଦ୍ର ଏବଂ ମହତ୍‍ । କିନ୍ତୁ ଏବେ ଦେଖୁଛି–ଆପଣଙ୍କ ଭିତରେ ପୂରି ରହିଛି ଛଳନା, ଭଣ୍ଡାମି, କ୍ଷୁଦ୍ରତା, ମିନ୍‍‍ନେସ୍‍‍ (mean-ness)

 

 

ଡାକ୍ତର—

(ରାଗ ଓ ଅପମାନରେ) ମନୀଷା ଦେବୀ–

 

 

ମନୀଷା—

ଆପଣ ଭାବିଥିଲେ, ମୁଁ ଆପଣଙ୍କ ଦୁର୍ବାର ଲାଳସାର ଖୋରାକ ହେବି ! କିନ୍ତୁ ତା’ ନ ହୋଇ ଯେତେବେଳେ ମଞ୍ଜୁର ବିବାହ ପ୍ରସ୍ତାବ ଆପଣଙ୍କଠାରେ ଉପସ୍ଥାପିତ ହେଲା, ଆପଣ ଖୋଜିଲେ ଟଙ୍କା, ସୁନା, ଡାଉରି ! ଏଇ ଆପଣଙ୍କର ଶିକ୍ଷିତ ମାର୍ଜିତ ମନର ପରିଚୟ ? ଛି–ଛି–

 

 

ଡାକ୍ତର—

ଆପଣ ବେଶି ଦୂର ଆଗେଇ ଯାଉଛନ୍ତି ମନୀଷା ଦେବୀ । ପ୍ରଥମେ ମୋର ଦୋଷଟା କ’ଣ ନ ଦେଖି–

 

 

ମନୀଷା—

ଆପଣଙ୍କର ହୀନ ମନୋବୃତ୍ତି କଥା ମୁଁ କହୁଛି ଡାକ୍ତରବାବୁ ! ଆପଣ ଜାଣନ୍ତି–ଆମ ବାପାଙ୍କର ପୁତ୍ର-ସନ୍ତାନ ନାହିଁ । ମଞ୍ଜୁକୁ ବିବାହ କଲେ, ଆପଣ ହିଁ ହେବେ ତାଙ୍କର ପୁତ୍ର; ଆଉ ଆମର ସମସ୍ତ ଧନ-ସମ୍ପତ୍ତି ବଳେ ବଳେ ଆପଣ ପାଇବେ । ତଥାପି ଏ ସବୁ ଜାଣିଶୁଣି କ’ଣ କଲେ ଆପଣ ? ମୋତେ ଯେତେବେଳେ ସ୍ତ୍ରୀ ରୂପେ ପାଇପାରିବେ ନାହିଁ ବୋଲି ଦେଖିଲେ, ସେଇଠୁ ଦୁଃଖ ଓ ନିରାଶାରେ ମଞ୍ଜୁ ସାଙ୍ଗକୁ ଦାବି କରି ବସିଲେ–ଦଶ ହଜାର ଟଙ୍କା, ଆଉ ଦଶ ଭରି ସୁନା ! ମୋରି ରୂପ ଓ ସୌନ୍ଦର୍ଯ୍ୟ ବାବଦକୁ ଏତକ କ୍ଷତିପୂରଣ; ନୁହେଁ ?

 

 

ଡାକ୍ତର—

ଆପଣଙ୍କର ମଥା ବୋଧହୁଏ ଆଜି ଠିକ୍‍ ନାହିଁ ମନୀଷା ଦେବୀ !

 

 

ମନୀଷା—

ମଥା ଠିକ୍‍ ଅଛି । ମୁଁ ଜାଣେ ଡାକ୍ତର ବାବୁ, ମଞ୍ଜୁ ଆପଣଙ୍କୁ କେତେ ଭଲ ପାଏ ! ଆଉ ଆପଣ ବି ତାକୁ କମ୍‍ ସ୍ନେହ କରନ୍ତି ନାହିଁ । କିନ୍ତୁ ଏଇ କ’ଣ ସେ ଭଲ ପାଇବାର ମୂଲ୍ୟ ? ଆପଣ ଶୁଣିଲେଣି–ମଞ୍ଜୁ ବର୍ତ୍ତମାନ ଜିଦ୍‍ ଧରି ବସିଛି–ଆପଣଙ୍କୁ ବିବାହ କରିବ ନାହିଁ ।

 

 

ଡାକ୍ତର—

(ଆହୁରି ବିସ୍ମିତ ଓ ମର୍ମାହତ ହେଲେ) ସତେ ? ବେଶ୍‍ ଭଲ କଥା !

 

 

ମନୀଷା—

ଆପଣ ଖାଲି ଦେହର ଚିକିତ୍ସା କରି କରି ମଣିଷ ଦେହ ଭିତରେ ଯେ ଗୋଟାଏ ହୃଦୟ ଅଛି–ସେ କଥା ପାସୋରି ଦେଲେଣି ଡାକ୍ତରବାବୁ ! ଆପଣ ମଞ୍ଜୁର ସରଳ ସୁକୁମାର ହୃଦୟକୁ ଚିହ୍ନିପାରି ନାହାନ୍ତି । ମଞ୍ଜୁକୁ ଆଜି ମୁଁ ବହୁତ ବୁଝେଇଛି । ଶେଷରେ ସେ–

 

 

(ଏତିକିବେଳେ ମଞ୍ଜୁ ସରବତ୍‍ ଗ୍ଲାସେ ଧରି ପହଞ୍ଚି ଗଲାରୁ କଥା ଅକୁହା ରହିଗଲା)

 

 

ଆରେ, ତୋତେ ତ ମୁଁ ସରବତ୍‍ ଆଣିବାକୁ କହି ନ ଥିଲି ମଞ୍ଜୁ ! (ହସି ହସି) ଦେଖନ୍ତୁ ଡାକ୍ତରବାବୁ, ମଞ୍ଜୁ ଆପଣଙ୍କ ମନ କଥା ଠିକ୍‍ ଜାଣେ ।

 

 

 

(ମଞ୍ଜୁ ଟେବୁଲ୍‍ ଉପରେ ସରବତ୍‍ ଗ୍ଲାସ ଥୋଇ ବିଷଣ୍ଣ ବଦନରେ ଠିଆ ହୋଇ ରହିଲା)

 

 

ଡାକ୍ତର—

କିନ୍ତୁ ଆପଣ ମୋ ମନ କଥା ଠିକ୍‍ ଜାଣିପାରି ନାହାନ୍ତି ମନୀଷା ଦେବୀ; ନୋହିଲେ ମୋ ବିରୁଦ୍ଧରେ ଆଜି ଏପରି ଅସାର ଅଭିଯୋଗ ଆଣି ନ ଥାନ୍ତେ-

 

 

ମନୀଷା—

ଆପଣଙ୍କ ମନରେ କଷ୍ଟଦେଇଛି ଡାକ୍ତରବାବୁ, ମୋତେ ମାଫ୍‍ କରିବେ । ବାସ୍ତବିକ୍‍, ଆପଣ ଯେପରି ଆମ ସେଣ୍ଟିମେଣ୍ଟ୍ (Sentiment)କୁ ଆଘାତ କରିଛନ୍ତି–ଛାଡ଼ନ୍ତୁ ସେ କଥା ! (ମଞ୍ଜୁକୁ ଲକ୍ଷ୍ୟ କରି) କି ଲୋ, ତୁ ଇମିତି ମୁହଁ ପୋତି ଠିଆ ହୋଇ ରହିଲୁ କ’ଣ ? ଡାକ୍ତରବାବୁଙ୍କ ହାତରେ ସରବତ୍‍ ନେଇ ଦେ’ ! (ଟିକିଏ ଭାବିଲେ) ଓ ହୋ, ରାଗ–ଅଭିମାନ ! ଦେଖନ୍ତୁ ଡାକ୍ତରବାବୁ, ପିଲା ବୋଲି ବକଟେ, ସେଥିରେ ପୁଣି ରାଗ-ଅଭିମାନରୁ ବୋଝାଏ ଧରି ବସିଛି । (ମଞ୍ଜୁ ହାତ ଧରି ଡାକ୍ତରବାବୁଙ୍କ ପାଖକୁ ଟାଣି ନେଇଗଲେ) ଯା, ଡାକ୍ତରବାବୁଙ୍କୁ ନମସ୍କାର କର୍‍ । ହଁ, ଏକାବେଳେ ପାଦଧୂଳି ନେ’ ! ଅତି ଦୁଷ୍ଟାମି–

 

 

ଡାକ୍ତର—

ଠିକ୍‍ ଅଛି ମନୀଷା ଦେବୀ ! (ଟେବୁଲ୍‍ ଉପରୁ ସରବତ୍‍ ନିଜେ ଉଠାଇ ନେଲେ) ମୁଁ କିନ୍ତୁ ଦିନେ ଏ ରାଗର ପ୍ରତିଶୋଧ ନେବି !

 

 

ମନୀଷା—

ନିଶ୍ଚୟ ନେବେ, କିନ୍ତୁ ବିଭାଘର ପରେ !

 

 

(ଏତିକିବେଳେ ପହଞ୍ଚିଲେ ଶ୍ରୀମତୀ ମହାପାତ୍ର, ତାଙ୍କ ପଛରେ ଅଗଣି ଦାସ)

 

 

ଶ୍ରୀମତୀ ମହାପାତ୍ର—

ମା’ ମନି, ତୁ ଏସବୁ କି ଗୋଳମାଳ ଲଗେଇଛୁ କହ ତ ? ରାଧାକୁ କାଲିଠାରୁ ଏଠି ଅଟକେଇ ରଖିଛୁ; ତା’ ବାପ ଆସି ଏଣେ ମୋ ଆଗରେ କନ୍ଦାକଟା ଲଗେଇଛି ।

 

 

ଅଗଣି—

ମୋ ଝିଅକୁ କେଉଁଠି ରଖିଚ, ଦିଅ ବଡ଼ଦେଈ !

 

 

ମନୀଷା—

(ଅଗଣି ପ୍ରତି) ରାଧା ତମରି ଝିଅ ? ନା, ନା, ସେ ତମ ଝିଅ ନୁହେଁ, କି ତମେ ତା’ ବାପ ନୁହଁ !

 

 

ଅଗଣି—

ଏଁ–ରାଧା ମୋ ଝିଅ ନୁହେଁ ! ମୋ ଭେକାଳ ବୁଡ଼ିଲା ମା’ ! (ମଥାରେ ହାତଦେଇ ବସି ପଡ଼ିଲା ତଳେ)

 

 

ମନୀଷା—

ରାଧା ତମ ଝିଅ ହୋଇଥିଲେ, ତମେ ତାକୁ ଗୋରୁ-ଗାଈ ଭଳି ଶହ ଶହ ଟଙ୍କାରେ ବିକ୍ରି କରନ୍ତ ! ତମେ ତା’ର ଲହୁଲଗା ବାପ ହୋଇଥିଲେ, ତାକୁ ଗୋଟାଏ ଦୋବେଇ ବୁଢ଼ା ବର ହାତରେ ଠେଲି ଦିଅନ୍ତ !

 

 

ଅଗଣି—

(ଆଶ୍ଚର୍ଯ୍ୟ ହୋଇ) ବୁଢ଼ା ବର ? ପୁଣି ଶହ ଶହ ଟଙ୍କାରେ ବିକ୍ରି ?

 

 

ମନୀଷା—

ହଁ, ରାଧା କ’ଣ ମୋତେ ମିଛ କହନ୍ତା ? ଏଠି ଆସି ସେ କାନ୍ଦି କାଟି ଗଡ଼ୁଛି । କେହି ସାହା ଭରସା ନ ହେଲେ, କହୁଛି–ଜୀବନ ହରେଇ ଦେବ !

 

 

ଅଗଣି—

(ରାଧା ଉଦ୍ଦେଶ୍ୟରେ) ବଜ୍ଜାତ୍‍ ଟୋକୀ ! କୁଆଡ଼େ ଗଲା ସେ ? ଖୁଆଇ ପିଆଇ କୋଡ଼ପୋଛା କରି ଏତେ କାଳ ବଢ଼େଇ ଆଣିଲାକୁ ଏକ୍ଷଣି ଦିମାକ୍‍ ବାହାରୁଛି !

 

 

ଶ୍ରୀମତୀ

ମହାପାତ୍ର—

ମନି, ତୁ ଏ କେଳେଙ୍କାରୀ ଭିତରେ ପଶ୍‍ ନା କହୁଛି ! ରାଧାକୁ ତା’ ବାପ ସାଙ୍ଗରେ ବର୍ତ୍ତମାନ ବିଦା କରି ଦେ’ !

 

 

ମନୀଷା—

ମୁଁ କ’ଣ ତାକୁ ଏଠି ଅଟକେଇ ରଖିଛି ବୋଉ, କହୁଛୁ–ପଠେଇ ଦେବି ? ସେ ଆପେ ଡରିମରି ଏଠି ପଡ଼ିଛି । ତାକୁ ଏଠୁ ତଡ଼ି ଦେଲେ, କେଉଁ ପୋଖରୀ-ଗଡ଼ିଆରେ ଯାଇ ପଡ଼ିବ, କି ବେକରେ ଦଉଡ଼ି ଦେବ, ତା’ର କ’ଣ ଠିକ୍‍ ଠିକଣା ଅଛି ?

 

 

ଅଗଣି—

ମୋ ଝିଅ କଥା ମୁଁ ବୁଝିବି ବଡ଼ଦେଈ । ସେ କେଉଁଠି ଅଛି କୁହ !

 

 

ମନୀଷା—

ଝିଅ କଥା ବୁଝିବ ବୋଲି, ଯେଉଁଠୁ ମୋଟା ଟଙ୍କା ପାଇବ, ସେଇଠି ଜବରଦସ୍ତି ତାକୁ ବାହା ଦେବ । ଏଇୟା ତ ?

 

 

ଅଗଣି—

ଟଙ୍କା ଆଣି କୋଠା ପିଟିବି, ନା ମୁଁ ତୀର୍ଥ କରି ଯିବି ? ତାହାରି ବାହାଘର-ଖର୍ଚ୍ଚ ଲାଗି ଅଳପ କିଛି ନ ହେଲେ–

 

 

ମନୀଷା—

କାହିଁକି ! ତମ ପୁଅ ସୁର ପରା କଲିକତାରେ ମାସକୁ କୋଡ଼ି କୋଡ଼ି ଟଙ୍କା ରୋଜଗାର କରୁଛି ! ମୁଁ ଆଜି ତାକୁ ଚିଠି ଲେଖୁଛି–ସେ ରାଧା ବାହାଘର ଖର୍ଚ୍ଚ ତୁଲେଇବ । ଆଉ ତମର ବର ପକ୍ଷରୁ ଟଙ୍କା ଆଣିବା କି ଦର୍କାର ?

 

 

ଅଗଣି—

(ରାଗ ଓ ବିରକ୍ତିରେ) ଭଲ କଥା, ତମେ ଯାହା କରୁଛ କର । ହ୍ୟାପ, ମୁଁ ବାପ ହେଇ ତିନି ପାଞ୍ଜିରୁ ଗଲି ।

 

 

ମନୀଷା—

ନା, ନା ତମେଇ ତମ ଝିଅ ବାହାଘର କରିବ । କିନ୍ତୁ ବାହାଘର ହେବ ଏଇଠି–ଆମରି ଘରେ ! ବୁଝିଲେ ଡାକ୍ତର ବାବୁ, ଶୁଣୁଛୁ ବୋଉ, ତାଙ୍କ ସାହିର ଜଣେ ଟୋକା ନବୀନା ସାଙ୍ଗରେ ରାଧାର ମନ ମିଳିଛି । ଦୁହେଁ ବାହା ହେବେ-

 

 

ଅଗଣି—

ଏଁ, ସେ ଛତରା ବାରବୁଲା ଯାତ୍ରା ଟୋକାକୁ ମୁଁ ଝିଅ ଦେବି ! ତମେ ମୋତେ ସଂସାରରୁ ଉଠେଇଲ ବଡ଼ ଦେଈ ।

 

 

ମନୀଷା—

ହଁ, ନବୀନା ଛତରା, ବାରବୁଲା । କାରଣ ସେ ମୋଟା ରକମ କନ୍ୟାସୁନା ଦେଇ ପାରିବ ନାହିଁ । ଦେଖ, ପୁଅ ଝିଅଙ୍କର ଯେଉଁଠି ମନ ମିଳିଛି, ସେଠି ତମେ ବାପ ହୋଇ ବି ବାଧା ଦେଇ ପାରିବ ନାହିଁ । ମୁଁ ସଫା ସଫା କହି ଦେଉଛି–ବାଧା ଦେଲେ ତମେ ବିପଦରେ ପଡ଼ିବ । ସାବଧାନ୍‍ !

 

 

ଡାକ୍ତର—

ହଁ ଠିକ୍‍ କଥା ! ତମେ ବାବୁ ସେ ପଙ୍କରେ ପଶ ନା, କି ଗୋଡ଼ ଧୁଅ ନା । ଉପରେ ଉପରେ ଯେତେବେଳେ ଝିଅ ବାହାଘର ହୋଇ ଯାଉଛି, ତମର ତ ଲାଭ ଛଡ଼ା କ୍ଷତି ନାହିଁ । ଆଉ ଆପତ୍ତି କରୁଛ କାହିଁକି ?

 

 

ଶ୍ରୀମତୀ

ମହାପାତ୍ର—

ହଁ ଦାସେ, ତମେ ଆପତ୍ତି କର ନା । ଝିଅକୁ ତମେ ଜନମ କରିଛ ସିନା, କରମ ତ ଆଉ ଦେଇ ନା’ ! ତା’ କରମ ତା’ର । ଯାହା ହାଣ୍ଡିରେ ସେ ଚାଉଳ ପକେଇଛି, ତା’ ଘରକୁ ସେ ନିଶ୍ଚେ ଯିବ । ତମେ ଖାଲି ତାକୁ ଆଶୀର୍ବାଦ କର–ସେ ସୁଖରେ ଘର ସଂସାର କରୁ ।

 

 

ମନୀଷା—

ମଞ୍ଜୁ, ଯା’ ତ, ଆମ ବଗିଚା ଘରୁ ରାଧା ଆଉ ନବୀନାକୁ ଡାକି ଆଣ୍‍ । (ମଞ୍ଜୁ ଚାଲିଗଲା) ବୁଝିଲ ମଉସା, ଝିଅ-ବିକା ଟଙ୍କାରେ କେହି ସୁଖୀ ହୋଇପାରେ ନା, କିମ୍ବା କାହାରି ଅଭାବ ତହିଁରେ ମେଣ୍ଟେ ନା । ବରଂ ଶଶୁର ଘରେ ଝିଅ ସୁଖୀ ହେଲେ, ସେଇ ସୁଖରେ ବାପ ମା ସୁଖୀ । (ଦୂରକୁ ଚାହିଁ) ଏଇତ, ସେମାନେ ଆସିଲେଣି । ଦେଖ, ଦେଖ ମଉସା, ରାଧା ଆଉ ନବୀନା କେଡ଼େ ସୁନ୍ଦର ମାନୁଛନ୍ତି । ଦୁହେଁ ଦୁହିଁଙ୍କ ଲାଖି ଏକା ।

 

 

(ରାଧା, ନବୀନା ଓ ମଞ୍ଜୁ ଆସି ପହଞ୍ଚିଲେ)

 

 

ମନୀଷା—

(ରାଧା ଓ ନବୀନା ପ୍ରତି) ତମେ ଦୁହେଁ ବାପାକୁ ଜୁହାର କର ରାଧା । ବାପାର ପଦଧୂଳି ନିଅ । (ରାଧା ଓ ନବୀନା ଆଣ୍ଠୁ ମାଡ଼ି ଅଗଣି ଦାସକୁ ଜୁହାର ହେଲେ)

 

 

ଅଗଣି—

(ଦୁହିଁଙ୍କୁ ତଳୁ ଉଠାଉଁ ଉଠାଉଁ) ଉଠ୍‍ ଉଠ୍‍ ମା’ । ଉଠ୍‍ ବାବା ନବୀନା । (କହୁଁ କହୁଁ ଆଖିରେ ଲୁହ ଭରିଗଲା । ଗାମୁଛା କାନିରେ ଲୁହ ପୋଛିଲା) ଏ ଶୋଭା ଦେଖିବା ଲାଗି ତୋ ବୋଉ ଯାହା ରହିଲା ନାହିଁରେ ମା । ଆଉ ସେ ଚଗଲା ସୁରଟା; ଏତିକିବେଳେ ବି ସେ ଯାଇ ରହିଲା କଲିକତାରେ ।

 

 

ଶ୍ରୀମତୀ

ମହାପାତ୍ର—

ସେଥିପାଇଁ ଚିନ୍ତା କର ନା ଦାସେ । ଆଜି ଟେଲିଗ୍ରାମ୍‍ଟାଏ କରିଦେଲେ, କାଆଲି ସୁର କଲିକତାରୁ ଢାଁ କରି ଆସି ପହଞ୍ଚିଯିବ ।

 

 

[ଏହି ସମୟରେ ନାଥ ଅଜା ଆସି ପହଞ୍ଚିଗଲେ]

 

 

ନାଥ—

ମୁଁ ଜାଣେ, ଟୋକା ଟୋକୀ ଯେଉଁଠି ଥିବେ, ସେଠି କିଛି ନା କିଛି ରୋମାନ୍‍ସ ବା ଆଡ୍‍‍ଭେଞ୍ଚର୍‍‍ –

 

 

ମନୀଷା—

ଏଠି ଏକବାର ଡବଲ ରୋମାନ‍୍‍ସ ନାଥ ଅଜା । ଏଇ ଦେଖନ୍ତୁ–ମଞ୍ଜୁ ପ୍ଲସ୍‍ ଡାକ୍ତରବାବୁ, ରାଧା ପ୍ଲସ୍‍ ନବୀନା ।

 

 

ନାଥ—

କିନ୍ତୁ ଏ ଶ୍ରୀନାଥ ମହାପାତ୍ର ବରାବର ରହିଲା ମାଇନସ୍‍ ।

 

 

ମନୀଷା—

କାହିଁକି, ଆପଣ ତ ଟେମ୍ପରାରି ଭାବରେ ଜଣକର ନାଥ ହୋଇଥିଲେ ।

 

 

ନାଥ—

କିନ୍ତୁ ଏ ପରମାନେଣ୍ଟ୍ ନାଥମାନଙ୍କ ଆଗରେ ଟେମ୍ପରାରି ନାଥର ସ୍ଥାନ କାହିଁ-? ହାୟ ହାୟରେ ଜିନ୍ଦଗୀ !

 

[ସମସ୍ତେ ଉଚ୍ଚହାସ୍ୟ କରି ଉଠିଲେ]

✽✽✽

 

ମାଣିକ ମାତା

 

(ମାଣିକମାତା ପ୍ରବେଶ କଲେ–ହାତରେ ଝୁଲିମାଳି, ଆଖି ଯୋଡ଼ିକ ଦରମୁଜା, ମୁହଁରେ ‘କୃଷ୍ଣ’ ‘କୃଷ୍ଣ’ ନାମ ଜପ କରୁଛନ୍ତି–କପାଳ, ନାକ, ଗଳା ଓ ବାହୁ ପ୍ରଭୃତି ଅଙ୍ଗପ୍ରତ୍ୟଙ୍ଗରେ ତିଳକ ଚିତା–ଗୈରିକ ବସନ ପିନ୍ଧିଛନ୍ତି । ମାଣିକ ମାତାଙ୍କ ପଛରେ ଅନୁସରଣ କରୁଛନ୍ତି ଦୁଇଜଣ ଶିଷ୍ୟା–ହାତ ଯୋଡ଼ି ନଇଁ ନଇଁ ପଛରେ ଚାଲିଛନ୍ତି ।)

 

 

ପ୍ରଥମା ଶିଷ୍ୟା—

ଓ ହୋ, ଏ ଗାଁ-ଲୋକେ ଆଉ ରଖେଇ ଥୋଇ ଦେବେ ନି ! ଏଇଠି–ଏଇଠି ମାଣିକ ମାତା, ଏଇ ନିରୋଳା ଜାଗାରେ ବସି ଟିକିଏ ନିଃଶ୍ୱାସ ମାରନ୍ତୁ ! ଏଠିକି ଆଉ କେଇ ଗୋଳମାଳ କରିବାକୁ ଆସିବେ ନି ।

 

 

ଦ୍ଵିତୀୟା ଶିଷ୍ୟା—

ଗାଁ ଲୋକଙ୍କର ଆଉ ଦୋଷ କ’ଣ ? ଏ ସବୁ ମାଣିକ ମାତାଙ୍କର ଲୀଳା । ଦ୍ଵାପର ଯୁଗରେ ରାଧା ଠାକୁରାଣୀ ଏ କଳି ଯୁଗରେ ନର କଳେବର ଧରି ଯେତେବେଳେ ଅବତାର ହୋଇଛନ୍ତି ! ଆହା, ଲୋକମାନଙ୍କର ମାତାଙ୍କ ପ୍ରତି କି ଅଚଳା ଭକ୍ତି !

 

 

ମାଣିକ ମାତା—

କୃଷ୍ଣ, କୃଷ୍ଣ, ହା କୃଷ୍ଣ ! (ଭଲ ଭାବରେ ଆଖି ମେଲି) ଆଜି କେତେ ହେଲା ?

 

 

୧ମା—

ଛତିଶ ଟଙ୍କା ବାରଅଣା ।

 

 

ମାତା—

ଏଁ, ମୋଟେ ଛତିଶ ଟଙ୍କା ବାରଣା ! ସେ ମହାଜନ ସାହୁର ଘରଣୀ କେତେ ଦେଲା କି ?

 

 

୧ମା—

ମୋଟେ ଦୁଇଟା ଟଙ୍କା । ଚାରି ଝିଅ ଜନମ କଲା ପରେ ଏଥର ପୁଅ ପାଇବ ବୋଲି ହୁକୁମ୍‍ ପାଇଲା, କିନ୍ତୁ ଏତେ ବଡ଼ ହୁକୁମ୍‍ଟାଏ ପାଇଁ ତୁଚ୍ଛା ଟଙ୍କା ଦୁଇଟା-। ବଡ଼ ହାତଭାରି ମାଇପିଟା । ହାତରୁ ଖସିବ ନାଇଁ ଧନ, ଏଣେ ପୁଅ ପାଇବାକୁ ମନ !

 

 

୨ୟା—

ସବୁ ମାତାଙ୍କ ହାତର କଥା ! ମାତା ଯଦି ଟିକିଏ କୋପଦୃଷ୍ଟି ପକାଇ ଦେବେ, ତା’ହେଲେ ଏଥର ବି ହେବ ସେଇ ଝିଅ, ତେଣିକି ସାହୁଆଣୀ ବୁଝିପାରିବ ଯେ–

 

 

ମାତା—

କୃଷ୍ଣ, କୃଷ୍ଣ, ହା କୃଷ୍ଣ ! ଆଣ, ଆଣ ସେ ଟଙ୍କା ଆଣ ! ତମ ପାଖରେ ରହିଲେ, ତମର ପାପ ପ୍ରବୃତ୍ତି ବଢ଼ିବ–ସଂସାରର କାମନା ବାସନାରେ ଘାଣ୍ଟି ହେବ । ଅର୍ଥ ନୁହେଁ, ଏ ଅନର୍ଥ–ଅନର୍ଥ !

 

 

୧ମା—

(ଅଣ୍ଟିରୁ କାଢ଼ି ମାତାଙ୍କୁ ଟଙ୍କା ଗଣି ଦେଲା) ଏଇ, ଛତିଶ ଟଙ୍କା ବାରଣା ।

 

 

ମାତା—

(ଟଙ୍କା ନେଇ ଝୁଲିରେ ରଖିଲା) ସଂସାରର ସବୁ ଅନର୍ଥର ମୂଳ ଏଇ ଅର୍ଥ । ଏହା କବଳରେ ଥରେ ପଡ଼ିଲେ ତମର ଇହକାଳ, ପରକାଳ ସବୁ ନଷ୍ଟ । କୃଷ୍ଣ, କୃଷ୍ଣ, ହା କୃଷ୍ଣ ! ଦ୍ଵାପର ଯୁଗର ଅଙ୍ଗେ ନିଭେଇଥିବା କଥା ମନେ ପଡ଼ୁଛି–ନିତ୍ୟ ବୃନ୍ଦାବନରେ ଶ୍ରୀକୃଷ୍ଣ ରାସ-ଲୀଳାରେ ମତ୍ତ ଥାଆନ୍ତି । ଆହା, କି ମଧୁର ରାସଲୀଳା ସେ ! ସେତେବେଳେ ଭଣ୍ଡାର ଘର ଚାବି ଥାଏ ମୋରି ହାତରେ ।

୨ୟା—

କେତେ ବର୍ଷ ତଳର କଥା ମା’ ?

ମାତା—

ଛପନ ଗଣ୍ଡା ଯୁଗ ତଳର କଥା ସେ, ସବୁ ପରିଷ୍କାର ଭାବରେ ମୋର ମନେ ଅଛି–ପ୍ରଭୁଙ୍କର ତହବିଲ ବାକ୍‍ସ ମୁହିଁ କାରବାର କରୁଥାଏଁ । ସେଥିପାଇଁ ଆଉ କେତେକ ଗୋପୀଙ୍କ ମନରେ ଯେଉଁ ରାଗ–ଈର୍ଷା, ଓହୋ, ମା ଗୋ, ପଚାଶ ବର୍ଷ ଧରି ଚାଲିଲା ଗୋଳମାଳ–ଏକ ପକ୍ଷରେ ମୁଁ ଏକା, ଅପର ପକ୍ଷରେ ଆଉ ସବୁ ଗୋପୀ । ଶେଷରେ ମହାପ୍ରଭୁ ସମସ୍ତଙ୍କ ଆଗରେ ମୋରି ପଣତରେ ଚାବି ନେନ୍ଥା ବାନ୍ଧି ଦେବାରୁ କଳିର ମୀମାଂସା ହେଲା । କୃଷ୍ଣ, କୃଷ୍ଣ, ହା କୃଷ୍ଣ !

୧ମା—

ମହାପ୍ରଭୁ ଶ୍ରୀକୃଷ୍ଣ ଆପଣଙ୍କୁ ସବୁଠାରୁ ବେଶି ଭଲ ପାଉଥିଲେ ବୋଲି ସିନା–

ମାତା—

ଆହା-ହା–କୃଷ୍ଣପ୍ରେମ ! ସେ ଯେ କି ମଧୁର ! ଅନୁଭବୀ ଏକା ଜାଣେ । (ଭାବ-ବିହ୍ଵଳ ହୋଇ ଆଖି ମୁଦି) କୃଷ୍ଣ, କୃଷ୍ଣ, ହା କୃଷ୍ଣ ! ଦ୍ଵାପର ଯୁଗ ଶେଷ ହୋଇ ଆସୁଛି, ଦିନେ କୃଷ୍ଣ ମୋତେ ଏକୁଟିଆ ଡାକି କହିଲେ–କଳି ଯୁଗରେ ଏକା ତୁମେ ହିଁ କୃଷ୍ଣପ୍ରେମ ପ୍ରଚାର କରି ପାରିବ । ମୁଁ ତୁମକୁ ସେହି ଦାୟିତ୍ଵ ଦେଉଛି ।

୨ୟା—

ମହାପ୍ରଭୁ ଠିକ୍‍ ବାଛିଛନ୍ତି । ଏ ଘୋର କଳିକାଳରେ ଆପଣ କୃଷ୍ଣପ୍ରେମ ପ୍ରଚାର ନ କରୁଥିଲେ ଜଗତ କ’ଣ ଥାଆନ୍ତା ! କେଉଁ ଦିନରୁ ରସାତଳଗାମୀ ହୋଇ ସାରନ୍ତାଣି ।

 

 

ମାତା—

ତମେ ଦୁଇଜଣ ମୋର ଉପଯୁକ୍ତ ଶିଷ୍ୟା । ତମେ ସାହାଯ୍ୟ କରୁ ନ ଥିଲେ ମୁଁ କ’ଣ ଏତେ ବଡ଼ କାମଟା ନେଇ ଆଣି ଥୋଇ ପାରନ୍ତି ? ସବୁ ସେଇ ମହାପ୍ରଭୁଙ୍କ ଦୟା ।

 

 

କୃଷ୍ଣ, କୃଷ୍ଣ, ହା କୃଷ୍ଣ !

 

 

୧ମା—

(ଦୂରକୁ ଚାହିଁ କ’ଣ ଦେଖିଲା) ମାଣିକ ମାତା, ହେଇ ଏଠିକି ପୁଣି ଭକ୍ତମାନେ ଧାଡ଼ି ଛୁଟିଲେଣି । ଆଉ ରକ୍ଷା ନାହିଁ ।

 

 

(ମାଣିକ ମାତା ଦୂରକୁ ଚାହିଁ ଦେଖିଲେ–ଜଣେ ସ୍ତ୍ରୀଲୋକ ଆସୁଛି । ସଙ୍ଗେ ସଙ୍ଗେ ସେ ବସି ପଡ଼ି ଆଖି ମୁଦି ‘କୃଷ୍ଣ’ ‘କୃଷ୍ଣ’ ଜପ କଲେ । ଶିଷ୍ୟା ଦୁଇଜଣ ପାଖରେ ହାତଯୋଡ଼ି ବସିଗଲେ । ସ୍ତ୍ରୀଲୋକଟି ପ୍ରବେଶ କରି ମାଣିକ ମାତାଙ୍କ ପାଦ ତଳେ ପଡ଼ିଗଲେ)

 

 

ସ୍ତ୍ରୀଲୋକ—

ମୋ ଗୁହାରି ଥରେ ଶୁଣନ୍ତୁ ମା’ ଠାକୁରାଣୀ ।

 

 

ମାତା—

(ଆଖି ଖୋଲି) କିଏ ? କୃଷ୍ଣ, କୃଷ୍ଣ, ହା କୃଷ୍ଣ !

 

 

୧ମା ଶିଷ୍ୟା—

ଉଠ, ଉଠ ! ମାତା ତମ ପ୍ରତି ପ୍ରସନ୍ନ ହୋଇଛନ୍ତି ।

 

 

ସ୍ତ୍ରୀଲୋକ—

(ଭୂଇଁରୁ ଉଠି ବସିଲା) ମୁଁ କେତେ ଆଡ଼ ଖୋଜି ଖୋଜି ଶ୍ରୀଚରଣ ଦର୍ଶନ ଲାଗି ଧାଇଁ ଆସିଛି ମା’ । ମୋତେ ଦୟାକର ।

 

 

୨ୟା ଶିଷ୍ୟା—

ତମର ଗୁହାରି କ’ଣ ଏବେ ମାତାଙ୍କୁ ଜଣାଅ !

 

 

ସ୍ତ୍ରୀଲୋକ—

ଜୀବନରେ ମୁଁ ବଡ଼ ଦୁଃଖୀ ମା’ ଠାକୁରାଣୀ । ସ୍ତିରୀ ଜନମ ପାଇଥିଲି, ସବୁ ମୋର ପୂର୍ଣ୍ଣ ହୋଇଛି, କେବଳ–

 

 

ମାତା—

କୃଷ୍ଣ, କୃଷ୍ଣ, ହା କୃଷ୍ଣ ! ମୁଁ ତମର ମନ କଥା ଜାଣେ । ତମେ ପୁତ୍‍ ନାମକ ନରକରୁ ଉଦ୍ଧାର ପାଇବାକୁ ଚାହଁ !

ସ୍ତ୍ରୀଲୋକ—

ଆପଣ ସର୍ବଜ୍ଞ ମା’ ଠାକୁରାଣୀ । (ପୁଣି ପାଦ ତଳେ ପଡ଼ିଗଲା) ଆପଣ ସମସ୍ତଙ୍କ ଅନ୍ତର କଥା ଜାଣି ପାରନ୍ତି ।

 

 

୧ମା ଶିଷ୍ୟା—

କେବଳ ମଣିଷ ନୁହେଁ; ପଶୁ ପକ୍ଷୀ, କୀଟ ପତଙ୍ଗ ସମସ୍ତଙ୍କ ପେଟର କଥା ମାଣିକ ମାତାଙ୍କୁ ଜଣା । ରାଧା ଠାକୁରାଣୀଙ୍କର ସାକ୍ଷାତ ଅବତାର !

 

 

୨ୟା ଶିଷ୍ୟା—

ନ ହେଲେ କିଏ ସଂସାରର କୋଟି କୋଟି ପାପୀ-ତାପୀଙ୍କୁ ଉଦ୍ଧାର କରିପାରୁ ଥାଆନ୍ତେ !

 

 

ସ୍ତ୍ରୀଲୋକ—

ମୁଁ ବଡ଼ ପାପୀ ମା’ ଠାକୁରାଣୀ । ମୋତେ ଦୟା କରନ୍ତୁ !

 

 

ମାତା—

କୃଷ୍ଣ, କୃଷ୍ଣ, ହା କୃଷ୍ଣ । ତମର ସ୍ଵାମୀ କ’ଣ କରନ୍ତି ?

 

 

ସ୍ତ୍ରୀଲୋକ—

ପୋଲିସ୍‍ ବିଭାଗରେ ଚାକିରି କରନ୍ତି ।

 

 

ମାତା—

ଏଁ ପୋଲିସ୍‍ ! କୃଷ୍ଣ, କୃଷ୍ଣ, ହା କୃଷ୍ଣ ! ପୋଲିସ୍‍ଗୁଡ଼ାଙ୍କର ତ ଧର୍ମ-କର୍ମ ଉପରେ ବିଶ୍ଵାସ ନାହିଁ ! ଆମକୁ ଦେଖି ଟାହି ଟାପରା କରିବେ । ଏଥିରେ ଆଉ ବଂଶ ରକ୍ଷା ହେବ କେମିତି ?

 

 

ସ୍ତ୍ରୀଲୋକ—

ତାଙ୍କ ଦୋଷ କ୍ଷମା କରନ୍ତୁ ମା ! ସେ ପାପୀ, ଅଧମ । ତାଙ୍କୁ ନ କହି ମୁଁ ଆପଣଙ୍କ ଶ୍ରୀଚରଣ ତଳକୁ ଧାଇଁ ଆସିଛି ।

 

 

ମାତା—

କୃଷ୍ଣ, କୃଷ୍ଣ, ହା କୃଷ୍ଣ ! (ଆଖି ମୁଦି କେତେ କ୍ଷଣ ଧ୍ୟାନ କଲେ) ହଁ, ଆସନ୍ତା ଅମାବାସ୍ୟା ରାତ୍ରି ବାରଟାରେ ତୁମକୁ ପୁତ୍ରେଷ୍ଟି ଯଜ୍ଞ କରିବାକୁ ହେବ । ସେହି ଯଜ୍ଞାନ୍ନ ସେବନ କଲେ, ତମର ଅଭିଷ୍ଟ ଫଳ ଲାଭ ହେବ ।

 

 

ସ୍ତ୍ରୀଲୋକ—

ପୁତ୍ରେଷ୍ଟି ଯଜ୍ଞ କିପରି କରିବାକୁ ହେବ ମା ?

 

 

ମାତା—

ତାହର ସମସ୍ତ ବିଧି-ବିଧାନ ମୋର ଏଇ ଶିଷ୍ୟାମାନେ ବତାଇ ଦେବେ । କୃଷ୍ଣ, କୃଷ୍ଣ, ହା କୃଷ୍ଣ !

 

 

୧ମା ଶିଷ୍ୟା—

ବେଶି କିଛି ଖର୍ଚ୍ଚ ହେବ ନାହିଁ । ମୋଟେ ୧୦୮ ନଡ଼ିଆ, ୧୦୮ ଗୁଆ, ଆଉ ୧୦୮ଟା ଟଙ୍କା । ୧୦୮ ଛଟାଙ୍କି ନିରୁତା ଗୁଆ ଘିଅ ହୋମରେ ଲାଗିବ । ଅମାବାସ୍ୟା ରାତି ଅଧରେ ନିର୍ଜନ ସ୍ଥାନରେ ଯଜ୍ଞ କରିବାକୁ ହେବ, କେହି ଜାଣିବେ ନାହିଁ କି ଦେଖିବେ ନାହିଁ ।

 

 

୨ୟା ଶିଷ୍ୟା—

ଆମରି ମଠ ଖୁବ୍‍ ନିର୍ଜନ ଜାଗା । ସେଇଠିକି ଯଜ୍ଞ ଜିନିଷ ସବୁ ପଠେଇ ଦେବ । ଆଉ ନିଜେ ଗାଧୋଇ ପାଧୋଇ ଶୁଦ୍ଧ-ପୁତ ହୋଇ ଘରୁ ଏକୁଟିଆ ବାହାରି ଆସିବ ।

 

 

୧ମା ଶିଷ୍ୟା—

ହଁ, ସେଦିନ ତୁମର ନିର୍ଜଳା ଉପବାସ । ରାତିରେ ଘରୁ ଯେତେବେଳେ ବାହାରିବ, ଏରୁଣ୍ଡି ବନ୍ଧ ଡେଇଁ ପ୍ରଥମେ ଯେଉଁ ଜିନିଷ ଦେଖିବ, ତାକୁ ନିର୍ମଳ ମନରେ ଆହାର କରିବ ।

 

 

୨ୟା ଶିଷ୍ୟା—

ସେଦିନ ଜଣେ ଭକ୍ତକୁ ଠିକ୍‍ ଏଇପରି ହୁକୁମ୍‍ ହୋଇଥିଲା । ସେ ଏରୁଣ୍ଡି ବନ୍ଧ ଡେଇଁ ଦେଖିଲା ବେଳକୁ ତାଙ୍କରି ପୋଷା କୁକୁର ମଳତ୍ୟାଗ କରିଛି । ସେ ନିର୍ବିକାର ଚିତ୍ତରେ ସେହି କୁକୁର-ଗୁହ ଖାଇବା ଲାଗି ଯେମିତି ତୋଳି ନେଇଛି, କୁକୁର ଗୁହ ପାଲଟିଗଲା ପାଚିଲା କଦଳୀ । ସବୁ ମାଣିକ ମାତାଙ୍କର ଦୟା ।

 

 

ସ୍ତ୍ରୀଲୋକ—

ମୁଁ ସବୁ କରିବାକୁ ରାଜି ଅଛି ମା’ । ମୋ ମନକାମନା ପୂରଣ କର । (ସ୍ତ୍ରୀଲୋକଟି ପୁଣି ମାଣିକ ମାତାଙ୍କର ଗୋଡ଼ ତଳେ ପଡ଼ିଗଲା । ଏତିକିବେଳେ ଜଣେ ବୁଢ଼ୀ ଅସ୍ତବ୍ୟସ୍ତ ହୋଇ କାନ୍ଦି କାନ୍ଦି ଆସି ମାଣିକମାତା ପାଦ ତଳେ ଗଡ଼ିଗଲା ।)

 

 

ବୁଢ଼ୀ—

ମୋ ଭେଳା ବୁଡ଼ିଲା ମା’–ମୋର ସବୁ ସରିଗଲା । ମୋତେ ରକ୍ଷା କର–ରକ୍ଷା କର ।

 

 

ମାତା—

କୃଷ୍ଣ, କୃଷ୍ଣ, ହା କୃଷ୍ଣ ! କି ଦୁଃଖ ତମର ? ଉଠ, ଉଠ !

 

 

୧ମା ଶିଷ୍ୟା—

ଉଠି ବସ ! ମାତା ପ୍ରସନ୍ନ ହେଲେଣି । (ବୁଢ଼ୀ ଉଠି ବସିଲା)

 

 

ବୁଢ଼ୀ—

ମୋର ପୁଅ ବୋହୂ ଦି’ଜଣ ଯାକ ଭୂଇଁରେ ଗଡ଼ୁଛନ୍ତି ମା’ । ଦୁଇ ମୁହଁ ଦେଇ ଝାଡ଼ା ବାନ୍ତି ସୁଅ ଛୁଟିଛି । ଆଉ କ’ଣ ସତେ ରକ୍ଷା ହେବ ମା ଠାକୁରାଣୀ । ଚରିଆଡ଼େ ହଇଜା, ଝାଡ଼ାବାନ୍ତି । ଦିନକୁ ଗଣ୍ଡା ଗଣ୍ଡା ମୁଣ୍ଡ ମଶାଣି ପଦାକୁ ଘୋଷରା ହେଉଛି ।

 

 

ମାତା—

କଲେରା, ଘୋର କଲେରା । କୃଷ୍ଣ, କୃଷ୍ଣ, ହା କୃଷ୍ଣ !

 

 

ବୁଢ଼ୀ—

(କାନ୍ଦି କାନ୍ଦି) ହଁ ମା’, ଘର କଲରା । ଘର କଲରା । ପୁଣି ଆମ ଗାଁର ସେ ଗ୍ରାମ-ସେବିକା, ଡାକ୍ତରରାଣୀଟାଏ ସାଙ୍ଗରେ ଧରି ଘର ଘର ବୁଲି କହୁଛି–ଫୁଟା ପାଣି ଖାଅ, କଲରା ଇଞ୍ଜେକ୍‍ସନ୍‍ ନିଅ । ମା ଲୋ ମା, ଯେତେବେଳେ ସାତ ସମୁଦ୍ର ଉଛୁଳିଛି, ସେତେବେଳେ ଏ ବନ୍ଧବାଡ଼ କ’ଣ ରହିବ ?

 

 

ମାତା—

ମୂର୍ଖତା, ଭଣ୍ଡାମି । ପାପୀ ଅଧର୍ମୀମାନଙ୍କର ଧର୍ମକୁ ଏ ସବୁ ଆଖିଠାର । ବୁଝିଲ-? ଏ ଘୋର କଳିକାଳ, ପୃଥିବୀ ମାତା ଆଉ ଏତେ ପାପ ଭାରା ସହ୍ୟ କରିପାରିବ ନାହିଁ । ଆଉ ବେଶି ଡେରି ନାହିଁ–ଧ୍ଵଂସ ହେବ–ପ୍ରଳୟ ହେବ–ପୃଥିବୀ ରସାତଳଗାମୀ ହେବ–

 

 

ସମସ୍ତେ—

ରକ୍ଷା କର ମା’, ରକ୍ଷା କର ! (କହୁଁ କହୁଁ ସମସ୍ତେ ଗୋଡ଼ତଳେ ପଡ଼ିଲେ)

 

 

ମାତା—

କୃଷ୍ଣ, କୃଷ୍ଣ, ହା କୃଷ୍ଣ ! ରକ୍ଷା ହେବ–ରକ୍ଷା ହେବ । ରକ୍ଷା କରିବ ମାଣିକ ମାତାର ଏ ଝୁଲି-ମାଳି । ଧର୍ମର ଜୟ, ପାପର କ୍ଷୟ । ଓଁ ଶାନ୍ତି, ଶାନ୍ତି, ଶାନ୍ତି !

 

 

(ସମସ୍ତେ ମାତାଙ୍କ ପାଦ ଧୂଳି ନେଇ ଉଠି ବସିଲେ)

 

 

ବୁଢ଼ୀ—

ହେ ପ୍ରଭୁ ଝୁଲିମାଳି, ମୋ ପୁଅ-ବୋହୂଙ୍କୁ ବଞ୍ଚାଅ । ମୋତେ ରକ୍ଷା କର ମହାପ୍ରଭୁ ।

 

 

୧ମା ଶିଷ୍ୟା—

ଆହା, ପ୍ରଭୁ ଝୁଲି-ମାଳିଙ୍କର କି ଅଦ୍ଭୁତ ମହିମା ! ସେଦିନ ଜଣେ କୁଷ୍ଠରୋଗୀ ଆସି ସପ୍ତପୂଜାରେ ପ୍ରଭୁଙ୍କୁ ବନ୍ଦନା କଲା । ସଙ୍ଗେ ସଙ୍ଗେ ତାହାର ରୋଗ କୁଆଡ଼େ ଛାଡ଼ି ପଳେଇଲା । ଏକ୍ଷଣି ସେ ଭଲ ମଣିଷ ।

 

 

ବୁଢ଼ୀ—

ହେ ପ୍ରଭୁ ଝୁଲି-ମାଳି, ହେ ମାଣିକ ମାତା-ଠାକୁରାଣୀ, ମୋତେ ବୁଦ୍ଧି ଦିଅ–ଉପାୟ ବତାଅ ମହାପ୍ରଭୁ !

 

 

ମାତା—

ସପ୍ତପୂଜା, ସପ୍ତପୂଜା ! କୃଷ୍ଣ, କୃଷ୍ଣ, ହା କୃଷ୍ଣ !

 

 

୨ୟା ଶିଷ୍ୟା—

ସପ୍ତ ଆଳତି, ସପ୍ତ ଅର୍ଘ୍ୟ ଆଉ ସାତଟି ମାତ୍ର ଟଙ୍କା । ଏକ୍ଷଣି ପୂଜା ସରଞ୍ଜାମ ବ୍ୟବସ୍ଥା କରି ପକାଅ । ପୂଜା ସାରିଲା ବେଳକୁ ଝାଡ଼ାବାନ୍ତି ଛାଡ଼ି ପଳାଇ ଥିବ ।

 

 

ବୁଢ଼ୀ—

ପୂଜା ସାମଗ୍ରୀ ମୁଁ ଏକ୍ଷଣି ଯୋଗାଡ଼ କରି ଆଣୁଛି ମା । (ଯିବାକୁ ଉଦ୍ୟତ ହେଉଛି, ଏତିକିବେଳେ ଦୂରରୁ କ’ଣ ଦେଖି ଅଟକି ଛିଡ଼ା ହେଲା) ହେଇ ଲୋ ମା, ସେ ଗ୍ରାମସେବିକା ଏଠିକି ପୁଣି ଆସିଲାଣି, ସଙ୍ଗରେ ସେଇ ଡାକ୍ତରାଣୀଟା ।

 

 

[ଡାକ୍ତରାଣୀ ଓ ଗ୍ରାମ-ସେବିକା ପ୍ରବେଶ କଲେ]

 

 

ମାତା—

(ଆଖି ମୁଦି ଧ୍ୟାନରେ ବସି) କୃଷ୍ଣ, କୃଷ୍ଣ, ହା କୃଷ୍ଣ !

 

 

ସେବିକା––

(ଡାକ୍ତରାଣୀ ପ୍ରତି) ଏଇ ସେହି ମାଣିକ ମାତା ।

 

 

ଲେଡି ଡାକ୍ତର—

(ମୁରୁକି ହସି) ମାଣିକ ମାତା, ଦୟାକରି ଟିକିଏ ଆଖି ଖୋଲି ଚାହାଁନ୍ତୁ । ଆପଣ କୁଆଡ଼େ କୁଷ୍ଠ, କଲେରା ପ୍ରଭୃତି ରୋଗ ଭଲ କରି ଦେଉଛନ୍ତି । ବର୍ତ୍ତମାନ ଆପଣଙ୍କ ରୋଗଟା ଆମେ ଭଲ କରିବା ଲାଗି ଆସିଛୁଁ ।

 

 

ମାତା—

କୃଷ୍ଣ, କୃଷ୍ଣ, ହା କୃଷ୍ଣ ।

 

 

ସ୍ତ୍ରୀଲୋକ—

ମାଣିକ ମାତାଙ୍କର ପୁଣି କି ରୋଗ ?

 

 

ସେବିକା––

ଆରେ ଶାନ୍ତି ଦେବୀ, ଆପଣ ଏଠି କାହିଁକି ? ଓ ହୋ–ବୁଝିଲି । ମାଣିକ ମାତା ପରା ପୁତ୍ର-ବର ଦେଉଛନ୍ତି ।

 

 

ଲେଡି ଡାକ୍ତର—

ପୁତ୍ର-ବର ? ନନ୍‍‍ସେନ୍ସ (Nonsense) !

 

 

ମାତା—

ଏ ପାପୀ-ତାପୀ ଜନଙ୍କୁ ଉଦ୍ଧାର କରନ୍ତୁ ପ୍ରଭୁ ! କୃଷ୍ଣ, କୃଷ୍ଣ, ହା କୃଷ୍ଣ !

 

 

ଲେଡି ଡାକ୍ତର—

ଏଁ, କ’ଣ କହିଲ ? ଆମେ ପାପୀ ? ଆଉ ଏ ପୃଥିବୀରେ ତୁମେ ହିଁ ଏକ ଧାର୍ମିକା ! କେଉଁଠି ଅଛି ତୁମର ଧର୍ମ ? ଏଇ ଝୁଲି ମାଳି ଭିତରେ ?

 

 

ମାତା—

କୃଷ୍ଣ, କୃଷ୍ଣ, ହା କୃଷ୍ଣ ?

 

 

ଲେଡି ଡାକ୍ତର—

ଡ୍ୟାମ୍‍ ୟୋର କୃଷ୍ଣ (Damn your Krushna) ! (ସେବିକା ପ୍ରତି) ତମେ ପୋଲିସ୍‍ ଏସ୍‍:ଆଇ:ଙ୍କୁ ଖବର ଦେଇଛ ତ ?

 

 

ସେବିକା—

ସେ ଆମ ପଛେ ପଛେ ଆସୁଛନ୍ତି ।

 

 

ମାତା ଓ ଶିଷ୍ୟାବୃନ୍ଦ—

(ଏକ ସ୍ଵରରେ) ଏଁ, ପୋଲିସ୍‍ !

 

 

(ସମସ୍ତେ ଭୀତ-ତ୍ରସ୍ତ ହୋଇ ଉଠି ଛିଡ଼ା ହେଲେ)

 

 

ସେବିକା—

ଦେଖି ମାଣିକ ମାତା, ତମ ଝୁଲି ଭିତରେ କେତେ ଧର୍ମ ଅଛି !

 

 

(ମାତା ହାତରୁ ଝୁଲି ଛଡ଼ାଇ ଆଣି ତା’ ଭିତରୁ ପ୍ରାୟ ୧୦୦ଟଙ୍କା ବାହାର କଲା)

 

 

ଲେଡି ଡାକ୍ତର—

ହୁଁ, ଏଇ ହେଉଛି ତୁମର ଧର୍ମ ! ଏହାରି ବଦଳରେ ତୁମେ ବନ୍ଧ୍ୟାକୁ ପୁତ୍ର ଦାନ କରୁଛ, ଦୁଷ୍ଟ ସ୍ଵାମୀକୁ ସ୍ତ୍ରୀର ବଶ କରୁଛ, କୁଷ୍ଠ-କଲେରା ଭଲ କରୁଛ ! ଛି–ଛି ! ସରଳ ଗାଉଁଲି ମାଇପିମାନଙ୍କର କୁସଂସ୍କାର, ଅନ୍ଧବିଶ୍ଵାସର ସୁଯୋଗ ନେଇ ବେଶ୍‍ ଭଣ୍ଡ ମାତା ସାଜିଛ ଦେଖୁଛି ।

 

 

ସେବିକା—

(ଶିଷ୍ୟା ଦୁହିଁଙ୍କୁ ଦେଖାଇ) ଆଉ ଏ ଦି’ଜଣ ହେଉଛନ୍ତି ଶୁଣ୍ଢୀର ସାକ୍ଷୀ–ମାଣିକ ମାତାଙ୍କର ଆଜ୍ଞାଧୀନା ଶିଷ୍ୟା ।

 

 

ମାତା ଓ ଶିଷ୍ୟାବୃନ୍ଦ—

(ଯୋଡ଼ହସ୍ତ ହୋଇ) ଆମ ଦୋଷ କ୍ଷମା କରନ୍ତୁ ଆଜ୍ଞା ।

 

 

ଲେଡି ଡାକ୍ତର—

କ୍ଷମା ? ଚାଲ, ସେଇ ପୋଲିସ୍‍ ହାଜତରେ କ୍ଷମା ଦିଆଯିବ ।

 

 

ମାତା ଓ ଶିଷ୍ୟାବୃନ୍ଦ—

(ଲେଡି ଡାକ୍ତର ଗୋଡ଼ ଧରିଲେ) ନା, ନା, ଆପଣ ଆମର ମା’ ବାପ । ଆମକୁ ରକ୍ଷା କରନ୍ତୁ !

 

 

ଲେଡି ଡାକ୍ତର—

ସେଇ କୃଷ୍ଣ ତୁମକୁ ରକ୍ଷା କରିବେ । ଚାଲ, ଚାଲ । (ନିଷ୍କ୍ରାନ୍ତ)

 

 

ଫକୀରମୋହନଙ୍କ ‘ଧୂଳିଆ ବାବା’ ଗଳ୍ପ ଦ୍ଵାରା ଅନୁପ୍ରାଣିତ ହୋଇ ଏ ପ୍ରହସନଟି ରଚନା କରିଛି–ଲେଖକ

✽✽✽

 

Unknown

ନଷ୍ଟ ନୀଡ଼

ପ୍ରଥମ ଦୃଶ୍ୟ

 

(ପାଣୁଆର ଗୃହ ପ୍ରାଙ୍ଗଣ–ପାଣୁଆ ମା ଛାଞ୍ଚୁଣି ହସ୍ତରେ ଘର ଖରକୁଛି ଏବଂ ମନକୁ ମନ ବହୂ ବିଷୟରେ ବକର ବକର ହେଉଛି ।)

 

 

ମା—

ତୁ’ ଯେତେ ମାଠେଇବୁ ମାଠ୍–ମୁଁ ସେଇ ଦରପୋଡ଼ା କାଠ୍ । ମା ଲୋ ମା, କି ମାଇକିନିଆଟାଏ ଏଇଟା ! ବଳ ଅଛି–ବଅସ ଅଛି, ଘର ପାଇଟି ତରବରରେ ନେଇ ଆଣି ଥୋଇଦେବୁ–ନା, ସବୁ କାମରେ ଅଳସ ! ତୁ ତ ସେଇ ଧାତୁରେ ଗଢ଼ା ମୋ ମା, ତୋତେ କ’ଣ ମୋ ଚଉଦ ପୁରୁଷ ବଦଳେଇ ପାରିବ ? ଖାଲି ମୋ ଭାଗ୍ୟରେ ଥିଲା–ତୋରି ଭଳି ବହୂ ଖଣ୍ଡେ ପାଇଲି ।

 

 

(ଘର ଖରକା ବନ୍ଦ କରି ବାହାରକୁ ଚାହିଁଲା, ଦେଖିଲା–କନକ ଗାଧୋଇ ସାରି ଫେରୁଛି ।)

 

 

ଓ ହୋ, ସାଆନ୍ତାଣୀଙ୍କର ବେଳ ହେଲା ପରା ! ଆଉରି ଆସ୍ତେ ଆସ୍ତେ ପାଦ ପକା ଲୋ–ଆଉରି ଆସ୍ତେ ଆସ୍ତେ ।

 

 

(କନକ ପହଞ୍ଚିଲା, କାଖରେ ପାଣି କଳସୀ, ଡାହାଣ ହାତରେ ପାଲଟା ଓଦାଲୁଗା) ଧିକ୍ ତୋ ମଣିଷ ଜନମ ! ବାପ ମା’ କ’ଣ ଖାଇ ତୋତେ ଜନମ କରିଥିଲେ ଲୋ ମଠେଇ, ଅଳସେଇ । ଉଠିବୁ ବେଳ ଘଡ଼ିକରେ, ଦାନ୍ତ ଘଷିବୁ ଦି ଘଡ଼ି ! ପୁଣି ଗୁଡ଼ାଖୁ ନ ହେଲେ ରାଣୀଙ୍କର ଦାନ୍ତଘଷା ବନ୍ଦ । ଗାଧୋଉଁ ଗାଧୋଉଁ ଦି’ ପହର । ଆଉ ଏଣେ ଘରର ବାସି ପାଇଟି ସବୁ ହବ କେତେବେଳେ–ରନ୍ଧାବଢ଼ା ହବ କେତେବେଳେ ?

 

 

କନକ—

କାଇଁକି ମୋ ଉପରେ ତୁଚ୍ଛାଟାରେ ରବେଇ ଖବେଇ ହେଉଚ ? ମୁଁ କଲି କ’ଣ-?

 

 

ମା—

ଆହା–ହା–ହା, ସୁନାମୁଣ୍ଡାଟାଏ ଲୋ ! ଟିକିଏ ଲାଜ ସରମ ନାଇଁ ମୁହଁକୁ ! କହୁଛୁ–କଲି କ’ଣ ? କ’ଣ କରିଛୁ–ନିଜ ମନକୁ ପଚାର ! ତେଣେ ବିଲରେ ଲକ୍ଷ୍ମୀ ଭଣ୍ଡାର ଉଜୁଡ଼ି ଯାଉଛି, ସକାଳୁ ପଖାଳ ପାଣି ମୁନ୍ଦିଏ ତୁଣ୍ଡରେ ଦେଇ ଚାଲି ଯାଇଥିଲେ, ଅବିକା କେତେ କାମ ସାରନ୍ତିଣି ।

 

 

କନକ—

ଚାଲିଗଲ ନାଇଁ, କିଏ ଅଟକଉ ଥିଲା କି ?

 

 

ମା—

ଏଣେ ଘରେ ସବୁ ବାସି ପାଇଟି କରିଥାନ୍ତା କିଏ ଲୋ ଅଲକ୍ଷଣୀ ? ତୁ ତ କୁଳ ଭୁଆସୁଣୀଟା, ମାଛି ଅନ୍ଧାରୁ ଉଠି ବାସି କାମ ସାରି–ପାଣି କାଞ୍ଜି ଆଣି ସାତ ଚଉଠ କରି ଥୋଇ ଦିଅନ୍ତୁ–

 

 

କନକ—

ମୁଁ ସାତ ଚଉଠ କରୁ ନାଇଁ ତ ଆଉ କରୁଚି କିଏ ?

 

 

ମା—

କହନା ଲୋ ସେ କଥା–ଆଉ କହନା । କାମ କରିବା ଲୋକ ଅଲଗା । ତୋ ଦେଇ କ’ଣ ଶାଗ ସିଝିବ, ନା ମୁଗ ସିଝିବ ?

 

 

କନକ—

ଏ ଘରେ ଯାହା ଦେଇ ଶାଗ ସିଝୁଚି, ସେଇ କେବଳ ରହୁ ! ଆମେ ଏଠୁ ଚାଲି ଯାଉଚୁଁ ।

 

 

ମା—

ବେଶ୍ ତ ବଢ଼ି ବଢ଼ି କଥା କହୁଚୁ ଲୋ ଖୁଣ୍ଟେଇ ! ତୁ ଆଗେ କହିଲୁ–ସକାଳ ପହରୁ ନଈକି ଯାଇଁ ତେଣେ କି ନାଟ କରୁଥିଲୁ !

 

 

କନକ—

ନାଟ କରୁଥିଲି ? ମଣିଷ ବି ଟିକିଏ ଭଲରେ ଗାଧୋଇବ ନାଇଁ ?

 

 

ମା—

ଆହା–ହା–ହା, ଏ ସୁଖ ଶରଧାକୁ ବାପ ମା’ ତୋତେ ରଜା ଘରେ ବାହା ନ ଦେଲେ ଲୋ ପୋଡ଼ାମୁହୀଁ !

 

 

(ବିରକ୍ତିରେ ଧରିଥିବା ଛାଞ୍ଚୁଣିଟା କାନ୍ଥ ପାଖକୁ ଫୋପାଡ଼ି ଦେଇ) ହଉ, ଯା କରୁଛୁ କର ! ଆଉ ତୋ ସାଙ୍ଗରେ ମୁଁ ଗୋଳେଇ ଘାଣ୍ଟି ହେଇ ପାରିବି ନି ! ମୁଁ ଯାଏଁ ବିଲକୁ–ମୋର ଧାନଗଣ୍ଡାକ ତେଣେ ଗଲା (ଯିବାକୁ ଉଦ୍ୟତ ହୋଇ ପୁଣି ଠିଆ ହୋଇଗଲା) ସେଠି ଖୁଣ୍ଟଟା ଭଳି ଠିଆ ହୋଇ ରହିଲୁ କାଇଁକି ଲୋ ? ଯା–ରନ୍ଧାବଢ଼ା କର !

 

 

କନକ—

ମୁଁ ଆଉ ରନ୍ଧାବଢ଼ା କରିପାରିବି ନାଇଁ ।

 

 

ମା—

କ’ଣ କହିଲୁ ? –କରି ପାରିବୁ ନାଇଁ ? ଆଉ ଭାତ ଖାଇ ପାରିବୁ ନା ?

 

 

କନକ—

କ’ଣ ତମ ରୋଜଗାରରୁ ମୁଁ ଖାଉଛି କି ?

 

 

ମା—

ଚୁପ୍ ଚୁପ୍–ତୁନି ହ ! କା ମୁହଁ ପାଇ ଇମିତି କଥା କହୁଚୁ ଲୋ ଅଲକ୍ଷଣୀ ଟୋକୀ-? ଆଚ୍ଛା ହଉ, ଦେଖିବୁ ଲୋ–ମୋତେ ଚିହ୍ନିବୁ । ତୋର ଏ ଅପାଣିଆ ମୁହଁ ଯଦି ନ ଭାଙ୍ଗିଛି, ମୁଁ ଗାଣ୍ଡୁ ପଇଡ଼ା ଝିଅ ନୁହେଁ–ଜାଣି ଥା !

 

 

(କହୁଁ କହୁଁ ଚାଲିଗଲା)

 

 

କନକ—

ଆଉ ତମର ଏ ଖେଣ୍ଟେଇ ପଣ ଯଦି ନ ଛଡ଼େଇଚି, ମୁଁ ରାମ ବାରିକ୍ ଝିଅ ନୁହେଁ-। ହଇ ଲୋ, ଦିନେ ନୁହେଁ–ଅଧେ ନୁହେଁ, ସବୁବେଳେ ଭଲମନ୍ଦରେ ଗାଳି ଗୁଲଜ–ଛି ଛାକର ! ମଣିଷ ପୁଣି ଏତେ ଗଞ୍ଜଣା, ଏତେ ହୀନିମାନ ସହିବ-? ହାଇରେ, ମୋ କପାଳରେ ଏଇୟା ଥିଲା !

 

 

(କହୁଁ କହୁଁ ଘର ଭିତରକୁ ପ୍ରସ୍ଥାନ କଲା)

 

ଦ୍ଵିତୀୟ ଦୃଶ୍ୟ

 

(ପଞ୍ଚାୟତ ଅଫିସ୍ କକ୍ଷ–ବଂଶୀବାବୁ ଠାଏ ବସି କ’ଣ ହିସାବପତ୍ର କରୁଛନ୍ତି–ନବବାବୁ ଆଉ ଠାଏ ଖବରକାଗଜ ପଢ଼ୁଛନ୍ତି–ଏତିକିବେଳେ ଅଫିସ୍ ଦୁଆର ମୁହଁରେ କିଏ ଜଣେ ନବବାବୁଙ୍କ ଦୃଷ୍ଟି ଆକର୍ଷଣ କଲା)

 

 

ନବ—

ଆଲୋ କନ ନା କିଏ ? ତୁ କୁଆଡ଼େ ? ତୋର ପୁଣି ପଞ୍ଚାୟତ ଅଫିସରେ କି କାମ ?

 

 

କନକ—

(ଅଭ୍ୟନ୍ତରରୁ) ହଁ, ଗୋଟାଏ କାମ ଅଛି ।

 

 

ନବ—

କାମ ଥିଲା ତ, ମୋତେ କା ହାତରେ ଡକେଇ ପଠେଇଲୁ ନାଇଁ ! ମୁଁ ତମ ଘରକୁ ଭଲ ମନ୍ଦରେ କେବେ ନ ଯାଇଛି କହ ! ହଉ–ହଉ, ଆ–ଭିତରକୁ ଚାଲି ଆ !

 

 

କନକ—

(ଆସିଲା ନାହିଁ )

 

 

ନବ—

କି ଲୋ, ଠିଆ ହୋଇ ରହିଲୁ ଯେ ! ଓ ହୋ, ମୋ ସାଙ୍ଗରେ କ’ଣ ଏକୁଟିଆ କଥାଭାଷା ଅଛି ପରା ! ଆଚ୍ଛା, ବଂଶୀଧର, ତମେ ଟିକିଏ ବାହାରକୁ ଗଲ ।

 

 

ବଂଶୀ—

ଆଜି ଡାକରେ ଏ ହିସାବଟା ବି:ଡି:ଓ: ଅଫିସ୍‍କୁ ଯିବ ପରା ଆଜ୍ଞା

 

 

ନବ—

ଓ ହୋ, ରଖ ତମର ବି:ଡି:ଓ: ଅଫିସ୍ । ମୁଁ ଯାହା କହୁଛି, ଆଗେ କର । (ବଂଶୀ ଚାଲିଗଲା ପରେ କନକକୁ ଡାକିଲା) ଏବେ ଆ ଭିତରକୁ ।

 

 

କନକ—

(ବିରସ ବଦନରେ ପ୍ରବେଶ କଲା)

 

 

ନବ—

କ’ଣ କହ ତୋ କଥା ! (କନକ ମୁହଁକୁ ଚାହିଁ) ଏଁ, ତୋ ମୁହଁଟା ଇମିତି ଶୁଖିଲା ଦିଶୁଚି କାଇଁକି ? ଆଖି ଦୁଇଟା ଲାଲ–ପୁଣି ଲୁହ ଛଳ ଛଳ । କ’ଣ ହେଇଚି କି ଲୋ ?

 

 

 

(କନକ ଆଖିରେ ଲୁଗା ଦେଇ ସୁଁ ସୁଁ ହୋଇ କାନ୍ଦିବାକୁ ଲାଗିଲା) ଏଁ, ତୁ କାନ୍ଦୁଚୁ କାଇଁକି ଲୋ କନ ? ତୋର ହେଲା କ’ଣ ? (ଚେୟାରରୁ ଉଠି କନକ ପାଖକୁ ଗଲେ) ଛି, କାନ୍ଦନା ! କଥାଟା କ’ଣ କହ ! ପ୍ରାଣବନ୍ଧୁ ସିନା କଲିକତା ଯାଇଚି, ତୋ ନବ ଭାଇ ତ ତୋରି ପାଖେ ପାଖେ ଅଛି । ଦୁଃଖ କାଇଁକି ? ତୁନି ହ !

 

 

 

(କନକ ଆଖିରୁ ଲୁହ ପୋଛିଦେଲା ବେଳେ ଅକସ୍ମାତ୍ ବଂଶୀର ପ୍ରବେଶ । ନବ ଚମକିପଡ଼ି କନକ ପାଖରୁ ଦୂରେଇ ଗଲେ)

 

 

ବଂଶୀ—

ଆଜ୍ଞା, ଜେମାଦେଈପୁରରୁ ଦି’ ଜଣ ଲୋକ ଆପଣଙ୍କୁ ଖୋଜୁଛନ୍ତି ।

 

 

ନବ—

(ରାଗ ଓ ବିରକ୍ତିରେ) ଆଉ ତମେ ଆସି ଏଠି କାହାକୁ ଖୋଜୁଚ ?

 

 

ବଂଶୀ—

(ସଭୟେ) ଆପଣଙ୍କୁ ଖବରଟା–

 

 

ନବ—

ଚୁପ୍‍ କର ! ଆଗେ ବାହାରକୁ ଯାଅ କହୁଚି ।

 

 

(କନକକୁ କଣେଇ କଣେଇ ଚାହୁଁ ଚାହୁଁ ବଂଶୀର ପ୍ରସ୍ଥାନ)

 

 

କନ, କି ଲୋ ଲାଜ କରୁଚୁ କାହାକୁ ? ନବ ଭାଇ ଆଗରେ ତୋର ପୁଣି ଲାଜ-? ଛି, ଛି, ଛି, ଦି’ ପୁରୁଷ ହେଲା ଆମ ଘର ସହିତ ତମ ଘରର ସୂର୍ଯ୍ୟ-ମଇତ୍ର ସମ୍ପର୍କ–ଭାର ବେଭାର, ଦିଆନିଆ, କେତେ କ’ଣ ! ଏବେ ସିନା ତୋ ବାପ ରାମମାମୁଁ ମରିଗଲା ପରେ ଟିକିଏ ଛାଡ଼ବାଡ଼ ହେଇ ଯାଇଛି । ହେଲେ, କନକଠାରେ ନବ ଭାଇର ସ୍ନେହ ଶରଧା ତ କେବେ ଊଣା ହେଇନି-! ତୁ ମୋତେ ପର ବୋଲି ଭାବୁଚୁ କାଇଁକି କନ, ମୁଁ କିଛି ବୁଝିପାରୁ ନାଇଁ ।

 

 

କନକ—

ନା, ନବଭାଇ–

 

 

ନବ—

ଏଇ ସେଦିନ କଥା ମୋର ମନେ ପଡ଼ୁଚି ଲୋ–ପ୍ରାଣବନ୍ଧୁ ସହିତ ତୋର ଯେତେବେଳେ ବିବାହ ପ୍ରସ୍ତାବ ପଡ଼ିଲା, ମୁଁ କେତେ ଖୁସି ହେଇଚି । ଭାବିଲି–ଯା ହେଉ, ଭଉଣୀଟି ମୋର ସତ୍‍ପାତ୍ରରେ ପଡ଼ିଲା । ହେଲେ, ପ୍ରାଣବନ୍ଧୁଟା ଟିକିଏ ଜିଦ୍‍‍ଖୋର୍‍–ଯାହା ବୁଝିଥିବ ସେଇୟା । କିରେ ବାବା, ବାହା ହେଲ–ଘର ସଂସାର କଲ, ଗାଁରେ ଚାଷବାସ କର–ସୁଖରେ ରହ ! ନା, ଆମେ କଲିକତା ଯିବୁଁ । ସେଠି ଘିଅ-ମହୁ ବରଷୁଚି । ହଉ ବାବା, ଗଲ ତ ଗଲ, ମୋତେ ପୁଣି କାଇଁକି ତମ ବଲେଇରେ ପୂରଉଚ ? ବୁଝିଲୁ କନ, ଗତ ବର୍ଷ ପ୍ରାଣବନ୍ଧୁ କଲିକତା ଗଲାବେଳେ ମୋତେ କହିଗଲା–ମୁଁ ଚାଲିଲି ନବ ଭାଇ, ମୋ ଘରସଂସାରକୁ ଟିକିଏ ଦୃଷ୍ଟି ଦେଇଥିବ ।

 

 

କନକ—

ହଁ ନବ ଭାଇ, ତମ ଛଡ଼ା ଆମର ଆଉ ଆପଣାର ଲୋକ କିଏ ଅଛି ?

 

 

ନବ—

ଆହା, ସେ କଥା ମୁଁ ବୁଝିଲି ଯେ ! ହେଲେ ମୋତେ ନିଃଶ୍ଵାସ ମାରିବାକୁ ତର କାଇଁ କହିଲୁ ଭଉଣୀ ? ନିଜ ଘର ସଂସାର ଏକାବେଳେ ତେଜ୍ୟା କରିଚି ଜାଣ୍-। ସକାଳୁ ରାତି ଅଧ ଯାଏଁ ଖାଲି ପର କାମ, ଜନ-ସେବା । ଏ ସରପଞ୍ଚଗିରି ବଡ଼ ପରପଞ୍ଚ କାମ । ଦଶ ପନ୍ଦର ଖଣ୍ଡ ମୌଜାର ହାଲ୍ ହକେଇତି, ହାରି ଗୁହାରି ବୁଝିବା ପାଇଁ ଜଣେ ଲୋକର ଶକ୍ତି ଅଛି, ନା ସମୟ ଅଛି-। ତା’ ଉପରେ ପୁଣି ତମ ଘରର ଦାୟିତ୍ଵ–ବୋଝ ଉପରେ ନଳିତା ବିଡ଼ା-। ହଉ ହେଲା, ମୋର ସେ ନଳିତା ବିଡ଼ା ଲାଗି ଆପତ୍ତି ନାହିଁ । ମୋ ନିଜ ଭଉଣୀ ଜାନକୀ, ନ ହେଲେ କନକ—

 

 

କନକ—

ଆମ ଘର କଥା ତମେ ଟିକିଏ ବୁଝୁଥିଲେ, ମୁଁ କାଇଁକି ଆଜି ଇମିତି ଦହଗଞ୍ଜ ଭୋଗୁ ଥାଆନ୍ତି !

 

 

ନବ—

କ’ଣ କହିଲୁ ? ତୁ ଦହଗଞ୍ଜ ହେଉଚୁ ? କାଇଁକି ଲୋ ?

 

 

କନକ—

ମୋ ଶାଶୁ ବୁଢ଼ୀ କଥା କ’ଣ ତମେ ଜାଣ ନାଇଁ ନବ ଭାଇ ? ସେ ଯେମିତି–

 

 

ନବ—

ଓ ହୋ, ବୁଝିଲି । ତୋ ଶାଶୁଟି ? ସେ ତ ମଣିଷ ନୁହେଁ–ଗୋଟାଏ ଜନ୍ତୁ ! ସାକ୍ଷାତ ମା’ ଚଣ୍ଡୀ ! ଖାଇଲା ବେଳକୁ ଆଗ, ଆଉ କଜିଆ କଲା ବେଳକୁ ବାଘ । ମୁଁ ଜାଣେଁ–ସେ ତୋତେ କଷ୍ଟ ଦେଉଥିବ–ବେଶୀ ଖଟଉଥିବ ।

 

 

କନକ—

ଖାଲି କ’ଣ ସେତିକି !

 

 

ନବ—

ସେ ସବୁ କଥା ମୁଁ ଜାଣେ ଲୋ କନ, ସବୁ ଜାଣେ ! ତୋର ଆଉ ଫେଡ଼ି କହିବା ଲୋଡ଼ା ନାଇଁ । ହୁଁ–ଏ ନବଘନ ମହାନ୍ତିଟି ! ଏ ପଞ୍ଚାୟତ ଭିତରେ କା’ ଘରେ ଜିରାଟିଏ ଫୁଟିଲେ ଆସି ୟା କାନରେ ବାଜିବ । ତୋ ଶାଶୁକୁ ମୁଁ ହାଡ଼େ ହାଡ଼େ ଚିହ୍ନେ ! ଗଲା ସନ ତାକୁ କହିଲି–ମାଉସୀ, ପ୍ରାଣବନ୍ଧୁ ତ କଲିକତା ଗଲା, ଆଉ ତୁ’ ତ ବୁଢ଼ୀ ମଣିଷ, ଜମିତକ କ’ଣ ତୁ’ ନିଜ ହାତରେ ଚାଷ କରି ପାରିବୁ ? ମୋତେ ବଖରା ଦେଇ ଦେ ! ବୁଢ଼ୀର ଏତେ ସାହସ–ସଫା ସଫା ମନା କରି ଦେଲା । ହଉ, ମନା କରି ନିଜ ହାତରେ ଚାଷ କଲୁ ଯେ କଣଟା ପାଇଲୁ ? ମୂଳରୁ ବିହନ ଗଣ୍ଡାକ ନ ମିଳିଲେ ଗଲା ।

 

 

କନକ—

ସେ ନିଆଁଲଗା ଚାଷରେ ପୁଣି କୋଡ଼ି କୋଡ଼ି ଟଙ୍କା ଖରଚ । ମଗୁଶିର ମାସ କଲିକତାରୁ ସେ ଦି’କୋଡ଼ି ଟଙ୍କା ପଠାଇଥିଲେ ନବ ଭାଇ–

 

 

ନବ—

ମୁଁ ଜାଣେ, ସେଥିରୁ ଗୋଟିଏ ଅଧଲା ସେ ତୋତେ ଦେଇ ନ ଥିବ । କହିଥିବ–ସବୁ ମୂଲ–ମଜୁରିରେ ଗଲା । ଆଉ ତୁ ତ ସରଳ ନିର୍ମାୟା ଝିଅଟିଏ, ବୁଢ଼ୀର ସବୁ କଥା ବିଶ୍ଵାସ କରି ଯାଇଥିବୁ । କିନ୍ତୁ ଅସଲ କଥାଟା ଜାଣୁ ? ଆଲୋ, ସେଇ ଟଙ୍କାରେ ବୁଢ଼ୀ ମହାଜନି କାରବାର କରୁଛି ।

 

 

କନକ—

(ବିସ୍ମୟ-ବିସ୍ଫାରିତ ନେତ୍ରରେ) ସତେ ?

 

 

ନବ—

ଏଇ ବର୍ଷକ ଭିତରେ ବୁଢ଼ୀ ପାଖରେ ବେଶ୍ ଦି’ପଇସା ହେଇ ଗଲାଣି ।

 

 

କନକ—

ଓ ହୋ, ସେଇଥିପାଇଁ ମୋ ଉପରେ ଏ ତେଜ-ଗର୍ଜନ !

 

 

ନବ—

ଆଉ ମୁଁ ଜାଣେ, ତୁ ବିଚାରୀ ଏଣେ ଡହଳ ବିକଳ ହୋଇ ମରୁଥିବୁ । ପିଲା ମନ, କାଚ ଦି’ପଟ କିଣିବାକୁ ଇଚ୍ଛା ହେଉଥିବ–ଚିନାବାଦାମଟିଏ ଖାଇବାଲାଗି ପାଟି ଟାକୁ ଟାକୁ ହେଉଥିବ–କି ଭଲ ଶାଢ଼ି ଖଣ୍ଡେ ପିନ୍ଧିବାକୁ ମନ ଡାକୁଥିବ । କିନ୍ତୁ ଉପାୟ କ’ଣ କହ ? ସେ ପାଣୁଆଟା ହେଲେ ତୋ ମନ କଥା ଟିକିଏ ବୁଝନ୍ତା ! ପର ଝିଅଟାକୁ ଘରକୁ ଆଣି ସେ କଲିକତାରେ ଯାଇ ବେଶ୍ ନିଶ୍ଚିନ୍ତରେ ବସିଛି ।

 

 

କନକ—

ତାଙ୍କର ଲଗା ଅଛି ନା ପଘା ଅଛି । ମୋ ଉପରେ ଟିକିଏ ମୁଆଁସ ଥିଲେ–

 

 

ନବ—

ହଉ, ସେଥିଲାଗି ତୁ ମନଦୁଃଖ କର୍‍ ନା କନ । ତୋ ନବ ଭାଇ ତୋତେ ଛାଡ଼ି କୁଆଡ଼େ ଚାଲି ଯାଇ ନାଇଁ !

 

 

(ପକେଟ୍‍ରୁ ଦଶଟଙ୍କିଆ ନୋଟ୍‍ ଖଣ୍ଡିଏ ବାହାର କଲେ)

 

 

ଏଇ ନେ, ଭଲମନ୍ଦରେ ଖରଚ କରିବୁ !

 

 

 

(କନକ ହାତରେ ଟଙ୍କା ଦେଉଥିବା ବେଳେ ବଂଶୀଧର ପ୍ରବେଶ କଲାରୁ ନବବାବୁ ଟଙ୍କା ଲୁଚାଇବାର ଚେଷ୍ଟା କଲେ)

 

 

ବଂଶୀ—

ଆଜ୍ଞା, ଡାକ ଯିବା ବେଳ ହେଇ ଗଲାଣି ।

 

 

ନବ—

(ରାଗ ଓ ବିରକ୍ତିରେ) ତା’ ନୁହେଁ ବଂଶୀ, ଏ ପଞ୍ଚାୟତ ସେକ୍ରେଟେରି ପଦରୁ ତମରି ଯିବା ବେଳ ହେଇଗଲାଣି । ଇଡିଅଟ୍‍– ରାଇସ୍‍‍କେଲ୍‍ –ଗେଟାଉଟ୍–ଭାଗୋ ଇହାଁସେ !

 

 

(ସଭୟେ ବଂଶୀର ସବେଗ ପ୍ରସ୍ଥାନ)

 

 

ନବ—

(ପୁଣି ଟଙ୍କା କାଢ଼ି) ଆଜି ଏତିକି ନେଇ ଥା ! ଦରକାର ହେଲେ ମୋତେ ଆଉ ମାଗିବୁ ।

 

 

କନକ—

ଥାଉ ନବଭାଇ, ଟଙ୍କା ମୋର କ’ଣ ହେବ ? ଅସଲ କଥାଟା–

 

 

ନବ—

(କନକ ଗାଲରେ ଗୋଟାଏ ସରୁ ଚାପୁଡ଼ା ମାରି ତା’ହାତରେ ଟଙ୍କା ଗୁଞ୍ଜି ଦେଲା) ହୁଣ୍ଡିଟା, ନେ ଧର ! ଅସଲ କଥାଟା ବୁଝି ବିଚାରି କରିବା । ତୁ କାଲି ନିରୋଳା ବେଳ ଦେଖି ଆମ ଘରକୁ ଟିକେ ଆସିବୁ, ବୁଝିଲୁ ? (କନକ ବାଧ୍ୟ ଛାତ୍ରୀଟି ଭଳି ମୁଣ୍ଡ ଟୁଙ୍ଗାରିଲା, ମଞ୍ଚ ଅନ୍ଧକାର ହୋଇଗଲା)

 

୩ୟ ଦୃଶ୍ୟ

 

(କଲିକତାର ରାଜପଥ । ପାଣୁଆ ବେଶ-ଭୂଷା ହୋଇ ବୁଲି ବାହାରିଛି, ପ୍ଲାଷ୍ଟିକ୍ ପାନିଆଁଟିରେ ମୁଣ୍ଡ କୁଣ୍ଡାଇ ବାଟ ଚାଲିଛି; ପଛରୁ ଆସି ଡାକିଛି ଧନିଆଁ, ମୁହଁରେ ତା’ର ବିଡ଼ି–ହାତରେ ଖଣ୍ଡିଏ ଚିଠି)

 

 

ଧନିଆଁ—

ହୋ କନକ ଦେଈଙ୍କର ପ୍ରାଣବନ୍ଧୁ ! ସଞ୍ଜବେଳେ କ’ଣ ହାଓ୍ୱା ଖାଇ ବାହାରିଲେ ?

 

 

ପାଣୁ—

ଆରେ ଧନିଆଁ, ଆ, ସାଙ୍ଗରେ ଯିବା ! ସଞ୍ଜବେଳେ ଟିକେ ଧର୍ମତାଲା-ବହୁବଜାର ଆଡ଼େ ଘୂରି ନ ଆସିଲେ, ମନ ଥୟ ହେଉ ନାହିଁ ।

 

 

ଧନି—

ଆରେ, ତେଣେ କନକଦେଈଙ୍କ ମନ ବି ଥୟ ହେଉ ନାହିଁ । ଏଇ ନେ’ ବେରିଂ ଚିଠି– (ଚିଠି ବଢ଼ାଇ ଦେଲା)

 

 

ପାଣୁ—

(ବିସ୍ମୟ ଓ ଆଶଙ୍କାରେ) ବେରିଂ ଚିଠି ? ପହରିଦିନ ତ ମା ପାଖରୁ ଚିଠି ପାଇଛି । ପୁଣି ବେରିଂ ଚିଠି ହଠାତ୍ କାହିଁକି ରେ ? ଘରେ କ’ଣ କିଛି.......

 

 

ଧନିଆଁ—

ଆରେ ଚିଠିଟା ଖୋଲି ଆଗେ ଦେଖ୍–କ’ଣ ଲେଖା ଅଛି ! ନଈ ନ ଦେଖୁଣୁ ଏକବାର ଲଙ୍ଗଳା ।

 

 

ପାଣୁ—

ପଢ଼୍‍ ତୁ ଚିଠିଟା । ମୁଁ ତ ଦରପାଠୁଆ ।

 

 

ଧନି—

(ଚିଠିଟା ଖୋଲି ପଢ଼ିବାକୁ ଲାଗିଲା–)

 

 

ଓଁ ଶ୍ରୀ ଶ୍ରୀ ଗଙ୍ଗାକାଳୀ ଚରଣେ ଶରଣଃ–

 

 

ଲେଖିବାର କାରଣ ଏହି କି ଯେ ତୁମେ ବରଷେ ହେବ ବିଦେଶ କରି ଗଲଣି, ଥରେ ଘରକୁ ଆସିବା ଲାଗି କ’ଣ ମନ ବଳୁ ନାହିଁ ? ତମ ମନରେ ଯଦି ଏତେ କଥା ଥିଲା, ତାହେହେଲେ କାହିଁକି ପରଝିଅକୁ ଘରକୁ ଆଣିଲ ? ଆମେ ଏଣେ ମଲୁଁ କି ଗଲୁଁ, ସେ ଖବର ଟିକେ ନେଲ ନାହିଁ । ଆମେ ଆଉ ଦିନରାତି ଏତେ ଶାଶୁ-ଗଞ୍ଜଣା ସହି ପାରିବୁଁ ନାହିଁ, କି ଏ ଘରେ ରହି ପାରିବୁଁ ନାହିଁ । ଆମେ କାହାର ଶହେ ଷାଠିଏ ଖାଉଁ ନା ଧାରୁଁ ? ଆମକୁ କାହିଁକି ତୁମ ମା’ ବାରକଥା କାଢ଼ିବ ? ପୁଣି ମୁଣ୍ଡି ଛାଞ୍ଚୁଣିରେ ପିଟିବ ? ଆମ ଜୀବନ ଧିକ୍ ହେଲା । ଆମେ ଦୁଇଦିନ ହେଲା ଉପାସ ରହିଛୁଁ ବୋଲି ଜାଣିବ । ତୁମେ ଚାଣ୍ଡେ ଘରକୁ ଆସି ଏ କଥା ବିଚାର କର । ନୋହିଲେ ଆମ କଥା ଆମର, ତମ କଥା ତମର । ଇତି

 

 

 

ପାଣୁଭାଇ ! ଏ ତ ବଡ଼ ଦୁଃଖର କଥା । ନୂଆବୋଉଟା ତେଣେ ଏତେ ହଇରାଣ ହେଉଛି, ଆଉ ତୁ ତ ଏଣେ ବେଶ୍ ଆରାମରେ ବସି ଯାଇଛୁ !

 

 

ପାଣୁ—

ନା ରେ ଧନିଆ, ଏଥିରେ କିଛି ରହସ୍ୟ ଥିଲା ଭଳି ମୋତେ ଲାଗୁଛି ।

 

 

ଧନି—

ଛେନାଗୁଡ଼ ରହସ୍ୟ ! କଞ୍ଚା ବୟସ, ଗଜା ଟୋକୀ, ନୂଆ ମନ, ଅକୁହା ପୀରତି–ଏଇତ ସଫା ସଫା କଥା ।

 

 

ପାଣୁ—

ତା’ ସତ, ପୁଣି ଶାଶୁ-ବହୂ ଭିତରେ–

 

 

ଧନି—

ଘର କରିଥିଲେ ସେ କଥା କ’ଣ ହୁଏନା ? ଦେଖୁନାହୁଁ, ଆଜିକାଲି ଘରେ ଏଇ ଶାଶୁ-ବହୂ କଳି ।

 

 

ପାଣୁ—

ଏ ପରା କଳିଯୁଗରେ ଧନି–ଘୋର କଳିକାଳ ।

 

 

ଧନି—

ପାଣୁଭାଇ ! କଥାଟା ତୁ ଭଲକରି ସମଝ, ପେଟକୁ ନେ । ବହୂ ହୋଇ ଆସିବ ପରଘର ଝିଅ–ନୂଆ ଯଉବନର କେତେ ଆଶା–କେତେ କଳପଣା ଘେନି–

 

 

ପାଣୁ—

ଥାଉ, ଥାଉ ତୋର ସେ ଉପନ୍ୟାସ କଥା–

 

 

ଧନି—

ତୁ ତ ଖାଲି ମୋ କଥା ହସି ଉଡ଼ାଇ ଦେବୁ । ମୁଁ ଆଉ କହିବି କ’ଣ ? ଉପନ୍ୟାସ କଥାରେ ବି ବାରଣା ସତ ଥାଏ । ଶୁଣ୍–ଯେ ପରଘର ଝିଅ, ତା’ର ଚାଲିଚଳଣି, ଆଚାର ବ୍ୟବହାର ସବୁ ଅଲଗା । ସେ ଶଶୁର ଘରକୁ ଆସି ଦେଖେ ଏଠି ସବୁ କଥା ନୂଆ । ସେ ହଠାତ୍ ଏ ନୂଆ ସଂସାର ଭିତରେ ନିଜକୁ ମିଳେଇ ନେଇ ପାରେନା । ତେଣୁ ପ୍ରଥମେ ପ୍ରଥମେ ଶାଶୁ ଶ୍ଵଶୁର ଏପରିକି ସ୍ଵାମୀ ପର୍ଯ୍ୟନ୍ତ ତା’ର ମନ ଜଗି ଚଳିବା କଥା । କିନ୍ତୁ ଆମ ଦେଶର ଗାଉଁଲି ଅଶିକ୍ଷିତ ଶାଶୁ ଶ୍ଵଶୁର-ଗୁଡ଼ାକ ବହୂଟିଏ ପାଇଲାକ୍ଷଣି ତା’ ଉପରେ ଏକାବେଳେ ମୁରବିଗିରି ଜାରୀ କରି ବସନ୍ତି–କୁଜୀ ଅସରପାକୁ ଠିକ୍ କାଣୀ ବିରାଡ଼ି ।

 

 

ପାଣୁ—

ଆଉ ତୋ ନୂଆବୋଉଟା କ’ଣ ଗୋଟିପଣେ ତୁଳସୀ ବୋଲି ତୁ ଭାବୁଛୁ ?

 

 

ଧନି—

ମୋ ନୂଆବୋଉଟି ସାକ୍ଷାତ କନକ–ଖାଣ୍ଟି ସୁନା । ଯିମିତି ରୂପର, ସିମିତି ଗୁଣର । ଏକା ଗାଁର ଝିଅ ତ । ପିଲାଦିନରୁ ତାକୁ ଦେଖିଆସିଛି । ତୁ ତ ପୁଣି ସେଇ ରୂପ-ଗୁଣରେ ଭୁଲି ଗତ ବର୍ଷ ଏତେ କାଣ୍ଡ କଲୁ । ଖାଲି ପ୍ରସ୍ତାବଟା ପକାଇବା ଲାଗି ମୋତେ ତୁ କମ୍ ଲାଞ୍ଚ ଦେଇଛୁ ! ପୁଣି ଲୁଚି ଲୁଚି ଯାଇ–

 

 

ପାଣୁ—

ଥାଉ ସେ କଥା ଧନି । ବର୍ତ୍ତମାନ ଉପାୟ କ’ଣ କରିବା କହ ।

 

 

ଧନି—

ଉପାୟ ? ଉପାୟ–ମାନଭଞ୍ଜନ, ବିଷଝଡ଼ା ମନ୍ତ୍ର–ଦେହି ପଦପଲ୍ଲବ ମୁଦାରଂ–

 

 

ପାଣୁ—

ହେତ୍, ସବୁ କଥାରେ ତୋର ଢଙ୍ଗ । ମୋ କଥା କିନ୍ତୁ ଗୋଳମାଳ ହୋଇଯାଉଛି ଧନି ।

 

 

ଧନି—

ଆରେ ଗୋଳମାଳ ହେଲେ ସିନା ଗୋଟାଏ ଥଳକୂଳ ପାଇବୁ । ଚାଲ୍‍–ବସାକୁ ଫେରିଚାଲ୍, ତୋତେ ଥଳକୂଳ ଦେଖାଇ ଦେଉଛି ।

 

 

(ଯେଉଁ ଦିଗରୁ ଆସିଥିଲେ, ସେଇ ଦିଗକୁ ଫେରିଗଲେ)

 

୪ର୍ଥ ଦୃଶ୍ୟ

 

(କନକର ଗୃହ-ସମ୍ମୁଖ ଦାଣ୍ଡ–ବଂଶୀ ଓ ଚୌକିଦାର ମୂଷା ଜେନା କଥାବାର୍ତ୍ତା ହୋଇ ପହଞ୍ଚିଲେ)

 

 

ମୂଷା—

ମୁଁ ପରା ନିଜ ଆଖିରେ ଦେଖିଛି ଆଜ୍ଞା–ଦା’ ଖଣ୍ଡେ ହାତରେ ଧରି ବୁଢ଼ୀଟା ଗୋହିରି ଦାଣ୍ଡରେ ସକାଳୁ ସକାଳୁ ବିଲକୁ ସପଟୀ ଥିଲା । ଦି’ ପହର ନ ହେଲେ ସେ କ’ଣ ଆଉ ଘରକୁ ଫେରୁଛି ?

 

 

ବଂଶୀ—

ଦେଖ୍‍ ମୂଷା ଜେନା, ତୋ କଥାରେ ମୁଁ ବିଶ୍ଵାସ କରି ଯାଉଛି । ବୁଢ଼ୀ ଯଦି ଘର ଭିତରେ ଥାଏ, ତା’ହେଲେ ତୋ ଚୌକିଦାର-ପଣିଆଟା ଏକାବେଳେ ଛଡ଼େଇ ଦେବି ।

 

 

ମୂଷା—

ଆଉ ବୁଢ଼ୀ ଯଦି ଘରେ ନଥାଏ–

 

 

ବଂଶୀ—

ତା’ହେଲେ ତୋର ଭାଗ୍ୟ ଭଲ । ପକେଟ୍‍ଭରା ବକ୍‍ସିସ୍‍ । ହଉ, ବ୍ୟାଗ୍‍ଟା ଦେଲୁ ।

 

 

ମୂଷା—

(ବ୍ୟାଗ୍‍ଟା ବଢ଼ାଇ ଦେଲା) ଦୁଇଜଣଙ୍କର ଯଦି ମନ ମିଳିଛି ସେ ବୁଢ଼ୀଟାକୁ ତେବେ ଡର କାହିଁକି ଆଜ୍ଞା । ତୋର ମୋର ରାଜି, କ୍ୟା କରେଗା କାଜୀ ?

 

 

ବଂଶୀ—

(ବ୍ୟାଗ୍‍ରୁ ନୂଆ ଶାଢ଼ି ଖଣ୍ଡିଏ କାଢ଼ୁ କାଢ଼ୁ)

 

 

 

ଏ ସବୁ ନବକୃଷ୍ଣଙ୍କ ଲୀଳା, ତାଙ୍କଠାରୁ କଳ ଆଣିଥିଲେ ସିନା ତୁ ଏହାକୁ ଭେଦ କରିବୁ । ଆରେ, ଯେ ଦଳ ଛଡ଼ାଏ, ସେ କ’ଣ ସବୁ ସମୟରେ କଉ ଖାଇପାରେ-! (ଶାଢ଼ିଟି ଦେଖାଇ) କଉ ଧରିବା ପାଇଁ ଏ ହେଉଛି ଅସଲ ଥୋପ । ହଉ, ମୁଁ ଏବେ ଆଗାଏଁ । ତୁ ଏଇଠି ମୋତେ ତକେଇଥିବୁ । (ଥରେ ଚୋର ପରି ଚାରିଆଡ଼କୁ ଚାହିଁ ଦେଖିଲା) ନା–ଏକାବେଳେକେ Line clear (ଘର ଭିତରକୁ ଚାଲିଗଲା)

 

 

ମୂଷା—

କୃଷ୍ଣ, କୃଷ୍ଣ, ନବକୃଷ୍ଣ ! ଅପାର ତୁମର ମହିମା, ଅସମ୍ଭବ ତୁମର ମାୟା । କେବଳ ବଂଶୀ ଛଡ଼ା କିଏ ତାହା ଭେଦ କରିପାରିବ ! ଏ ଚଉକିଆ ବାପୁଡ଼ା କିବା ଛାର !

 

 

(ପଛରୁ ଆସିଛି ପାଣୁଆ–କାନ୍ଧରେ ବୁକୁଚା, ହାତରେ ନୂଆ ସୁଟ୍‍‍କେଶ୍‍‍ ଓ ଛତା, ଆଖିରେ ଗଗ୍‍ଲସ୍)

 

 

ପାଣୁ—

କିଏ, ମୂଷା ଜେନା, କ’ଣ ହେଲା କି ?

 

 

ମୂଷା—

(ଭୟ ଓ ବିସ୍ମୟରେ) ଆରେ ପାଣୁଆଇ, ତମେ ?

 

 

ପାଣୁ—

ଏଇ ତ, ପାସେଞ୍ଜର ଗାଡ଼ିରେ ଆସି ସକାଳେ ପହଞ୍ଚିଲି । ଷ୍ଟେସନ୍‍ରୁ ସିଧା ସକାଳୁ ସାଢ଼େ ସାତଟା ବାସ୍ ଧରିଛି । ହଁ, ତୁ ଆମ ଘରକୁ କୁଆଡ଼େ ?

 

 

ମୂଷା—

(ପାଟି ଖନି ବାଜିଗଲା) ମୁଁ.......ମୁଁ......ଆସିଥିଲି ବୁ... ନା, ନା–ଟିକସ୍ ବକୟା ଥିଲା ଯେ ସରପଞ୍ଚ କହିଥିଲେ–

 

 

ପାଣୁ—

ଚୌକିଦାର ଟିକସ୍ ଆମର ବାକି ଅଛି ? ହଉ ମୁଁ ଘରେ ବୁଝେଁ । ତୁ ପରେ କେତେବେଳେ ଆସି ନେଇଯିବୁ । ଆଉ ସରପଞ୍ଚେ ଭଲ ଅଛନ୍ତି ? ତାଙ୍କୁ ମୋ ଆସିବା ଖବର ଜଣାଇ ଦେବୁ ।

 

 

ମୂଷା—

ହଉ ! (ପଛକୁ ଚାହିଁ ଚାହିଁ ସଭୟେ ପ୍ରସ୍ଥାନ)

 

 

ପାଣୁ—

ଚୌକିଦାର ଟିକସ୍ ବାକି ? ମୁଁ ମାସକୁ ମାସ ଟଙ୍କା ପଠାଉଛି, ସେ ତେବେ ହେଉଛି କ’ଣ ? ଓହୋ–ସବୁ ଅଡ଼ୁଆ, ସବୁ ଗୋଳମାଳ ।

 

 

(ବିରକ୍ତି ସହ ସୁଟ୍‍‍କେଶ୍‍‍, ବୁକୁଚା ତଳେ ଥୋଇ ମୁଣ୍ଡର ବାଳ ଟାଣିବାକୁ ଲାଗିଲା-। (ଏତିକିବେଳେ ପାଣୁ ମା ଧାନକଟା ସାରି ଫେରିଛି, ହାତରେ ଦା-।)

 

 

ପାଣୁ ମା—

ଆରେ ପାଣୁଆ, ତୁ କେତେବେଳେ ଆଇଲୁ ରେ ? କଲିକତାରେ ପୁଣି ହିନ୍ଦୁ-ମୁସଲମାନ ହାଣକାଟ ଲାଗିଲା କିଲୋ ମା ! ଚିଟାଉ ନାଇଁ, ପତର ନାଇଁ, ଆରେ ଇମିତି କ’ଣ ଖାଲି ଖାଲି ଆଇଲୁ ବାହାରି ?

 

 

ପାଣୁ—

(ରାଗ ଓ ବିରକ୍ତିରେ) ଆଉ କ’ଣ ଜୀବନଟା ଯାକ ଖଟି ଖଟି ମୁଁ ବିଦେଶରେ ପଡ଼ି ମରୁଥାନ୍ତି । ଆଉ ତୁ ଏଣେ ମଉଜରେ ଖାଇ ପିଇ ବହୂ ଉପରେ ଛାଞ୍ଚୁଣି ମାଡ଼ ଚଲାଇଥାନ୍ତୁ ? ତୋ ଇଚ୍ଛାଟା କ’ଣ ? ମୁଁ ଆଉ କଣ ଘରକୁ ଆସନ୍ତି ନାହିଁ-?

 

 

ପାଣୁ ମା—

(ଆଶ୍ଚର୍ଯ୍ୟରେ) ଏ କ’ଣ ରେ ପାଣୁଆ, ତୋ ମୁହଁରେ ଆଜି ଏ କି ଅଲକ୍ଷଣା କଥା-। ଚାରିବର୍ଷ ବେଳୁ ବାପ ମରିଗଲା, ପର ଘରେ ମୂଲ ଲାଗି ଧାନ କୁଟି ତୋତେ ମଣିଷ କରିଛି । ଦିନେ ହେଲେ ତ କାହିଁ ତୋ ମୁହଁରୁ ଇମିତି ଜବାବ ପାଇ ନ ଥିଲି ରେ ବାପ, ଆଜି କ’ଣ ତୋର ମଥା ବିଗିଡ଼ି ଯାଇଛି ?

 

 

ପାଣୁ—

ତୁଇ ମୋ ମଥା ବିଗାଡ଼ିଛୁ । ଘରେ ଏ ସବୁ ଲୀଳା କାହିଁକି ଲାଗିଛି ? ଏଥର ଚୌକିଦାରୀ ଟିକସ ଦିଆ ହୋଇ ନାହିଁ କାହିଁକି ?

 

 

ପାଣୁଆ ମା—

କିଏ କହୁଛି ଏଥର ଚୌକିଦାରୀ ଟିକସ ଦିଆ ହୋଇ ନାହିଁ ? ଘରେ କାହିଁ–କି ଲୀଳା ଲାଗିଛି ? ତୋ କଥା ମୁଁ କିଛି ବୁଝିପାରୁନି ରେ ପାଣୁ ।

 

 

ପାଣୁ—

ହଉ ଶୀଘ୍ର ବୁଝି ପାରିବୁ । ଆଉ ଦିନେ ଅପେକ୍ଷା କର । (ରାଗ ତମ ତମ ହୋଇ ଘର ଭିତରକୁ ଚାଲିଗଲା)

 

 

ପାଣୁ ମା—

ଲୀଳା ଲାଗିଛି ? ଏ ଘରେ ଲୀଳା ଲାଗିଛି ? କିଏ ଲଗେଇଛି ? ବହୂ, ନା ଶାଶୁ-? ଘର-ଲୋକ, ନା ବାହାର ଲୋକ ! ସେଇଥିପାଇଁ ପୁଣି ମୋ ଛୁଆ କଲିକତା ମୁଲକରୁ ଧାଇଁ ଆସିଛି ! ସେଇଥିପାଇଁ ମୋ ପୁଅ ପାଗଳା ହୋଇ ଯାଇଛି-। ମୋ ପୁଅ-ମଥା ଠିକ୍ କରିଦିଅ ମା ଭଦ୍ରକାଳୀ, ତାକୁ ସୁବୁଦ୍ଧି ଦିଅ ! (ମଥାରେ ହାତ ଦେଇ ବସି ପଡ଼ିଲା)

 

୫ମ ଦୃଶ୍ୟ

 

(ପାଣୁଆର ଶୟନ କକ୍ଷ, ଖଟ ଉପରେ ଗୋଟିଏ କୋଣକୁ ଅଭିମାନ କରି ବସିଛି କନକ, ପାଖରେ ବସି ପାଣୁଆ କାକୁତି ମିନତି କରି ତାହାର ମାନଭଞ୍ଜନର ଚେଷ୍ଟା କରୁଛି)

 

 

ପାଣୁ—

(କନକ ହାତ ଧରି) କନ, ମୋ ସୁନାଟା ପରା–

 

 

କନକ—

(ହାତ ଛିଞ୍ଚାଡ଼ି ଦେଇ) ରଖିଦିଅ ସେ ଅଲଣା ସୁଆଗ ! ଢେର୍ ସେଗୁଡ଼ା ମୁଁ ଦେଖିଛି ।

 

 

ପାଣୁ—

ଆରେ ମୋ କଥାଟା ଆଗେ ଶୁଣ, ଇମିତି ଛୁଆପିଲାଙ୍କ ଭଳି ହେଲେ–

 

 

କନ—

ବହୁତ ଶୁଣିଛି ତମ କଥା । ଏବେ ତମେ ଆସିଛ । ନିଜ ହାତରେ ମୋତେ ଟିକେ ବିଷ ଦେଇଯାଅ । ଏ ପୋଡ଼ା ଜୀବନରେ ମୋର ଆଉ ଲୋଡ଼ା ନାହିଁ ।

 

 

ପାଣୁ—

କି କଥାଗୁଡ଼ା ବକୁଛ ତମେ ? ଛି–ଆସ, ଆସ ମୋ ପାଖକୁ !(ହାତ ଧରି ପାଖକୁ ଟାଣିଲା)

 

 

କନ—

ନା, ନା, ମୁଁ ଆଜି ମରିବି, ମରିବି, ମରିବି !!

 

 

ପାଣୁ—

ମୋ ରାଣ କନ ! ତମେ ଇମିତି ବ୍ୟସ୍ତ ହୁଅନା । ଧୀରସ୍ଥିର ହୋଇ କ’ଣ କଥାଟା କୁହ ।

 

 

କନ—

କହିବି ଆଉ ଛେନା-ଗୁଡ଼ । ଏପାରି ନ ହେଲେ ସେ ପାରି।

 

 

ପାଣୁ—

ସେଇ କଥାଟା ସିନା ଭଲ ଭାବରେ କହିଲେ ହୁଅନ୍ତା, ତାହା ନ କରି ଘଣ୍ଟାଏ ହେଲା ଖାଲି ନାକଫୁଲା, ହାତ ଛିଞ୍ଚଡ଼ା, ରାଗରୁଷା, ମାନ ଅଭିମାନ–

 

 

କନ—

ସଫା କଥା, ମୁଁ ଆଉ ତମ ମା’ ବୁଢ଼ୀର ଦାଉ ସହି ପାରିବି ନାହିଁ । ତମେ ତ ଯାଇ ବିଦେଶରେ ରହିବ ବାର ମାସ । ମୁଁ ଯେ ଏଣେ କିମିତି ଦିନରାତି ଦହଗଞ୍ଜ ହୋଇ ମରୁଛି, ସେ କଥା ବୁଝିବ କିଏ ? ତମେ ଆସିଛ, ଏହାର କିଛି ଗୋଟାଏ କୂଳ-କିନାରା କରି ଦେଇଯାଅ ।

 

 

ପାଣୁ—

ମୋଟେ ଦିନ ଦୁଇଟା ମୁଁ ଛୁଟି ନେଇ ଆସିଛି । ଏହାରି ଭିତରେ ମୁଁ ଆଉ କି କୂଳ କିନାରା କରିଦେଇ ଯିବି ?

 

 

କନ—

କାହିଁକି ? ପୁରୁଷ-ପଣିଆ ଅଛି ତ, ଭିନେ ହୋଇଯାଅ ! ଆମେ ଦୁଇଜଣ ଅଲଗା ରୋଷେଇରେ ଚଳିବା, ସେ ତା’ର ଅଲଗା ରହୁ ।

 

 

ପାଣୁ—

(ଆଘାତ ପାଇଲା) ଏଁ, ଭିନେ ହେବା ! ମା’ ଠାରୁ ଭିନେ ହୋଇଯିବା ? ଏ ତ ବଡ଼ ଅଡ଼ୁଆ କଥା ।

 

 

କନ––

ତମକୁ ଅଡ଼ୁଆ ଲାଗିବ ଜାଣେ । ମୁଁ ନିଜେ ତମକୁ ବଡ଼ ଅଡ଼ୁଆ ଲାଗୁଛି । କେବଳ ସେ ମା’ ବୁଢ଼ୀ ତମକୁ ଭଲ ଲାଗୁଛି । ସେଇ ତମର ସବୁ, ମୁଁ ଜାଣି ସାତ ପର । ମୋର ମଲାଗଲାରେ ତମର କି ଯାଏ ?

 

 

ପାଣୁ—

ଛି କନ.....

 

 

କନ—

ମୁଁ ତମର ପୋଇଲି ନା ପରିବାରୀ ? ପରଝିଅ, ପରଘରୁ ଆସିଛି । ଭାତ ଗଣ୍ଡାକ ପାଇଁ ମାଡ଼ ଖାଇବି, ଗାଳି ସହିବି, କେତେ ହୀନିମାନ ହେବି–(ସୁଁ ସୁଁ ହୋଇ କାନ୍ଦିବାକୁ ଲାଗିଲା) ହାଇରେ, ମୋ କପାଳରେ ପୁଣି ଏଇୟା ଥିଲା ? ଯାହାକୁ ହାତ ଧରି ବାହା ହୋଇଥିଲି, ସେ ମୋ ସୁଖ ଦୁଃଖକୁ ଟିକେ ଚାହିଁଲା ନାହିଁ ! ମୋର ଆଉ ଦୁନିଆଁରେ ନିଜର ବୋଲି କିଏ ଅଛି ?

 

 

ପାଣୁ—

ମୋ ରାଣ କନ, ତମେ କାନ୍ଦନା । ତୁମ ଆଖିରୁ ଲୁହ ଗଡ଼ିଲେ ମୁଁ କନ ସୁଖରେ ରହି ପାରିବି ?

 

 

କନ—

କାହିଁକି ? ତମେ ତମ ମା’ଙ୍କୁ ଘେନି ସୁଖରେ ରହ । ମୋତେ ଛାଡ଼ିଦିଅ, କାଲି ସକାଳୁ ଉଠି ଏ ଆଖି ଯୁଆଡ଼େ ପାଇବ ସେଆଡ଼େ ଚାଲିଯିବି ।

 

 

ପାଣୁ—

ନିଜର ଏ ଘରଦ୍ଵାର, ବାଡ଼ି ବଗିଚା ଛାଡ଼ି ତମେ କୁଆଡ଼େ ଯିବ କନ ? ଛି–ଆଉ ପାଗଳୀ ହୁଅନା ! (ଲୁହ ପୋଛି ଦେଉଁ ଦେଉଁ) ଆସ, ତମେ ଯାହା କହୁଛ, ତାହାହିଁ କରିବା । ମା ନିଜ କର୍ମର ଫଳ ଭୋଗ କରୁ । କାଲିଠୁଁ ତା’ କଥା ତା’ର, ଆମ କଥା ଆମର ।

 

 

କନ—

(ପାଣୁ ଗଳାକୁ ଦୁଇ ହାତରେ ବେଢ଼ାଇ ଧରି) ସତେ ମୋ ଦୁଃଖ ଯିବ ?

 

 

ପାଣୁ—

(କନକକୁ ଜଡ଼ାଇ ଧରି) ନିଶ୍ଚେ, ନିଶ୍ଚେ–

 

 

(ମଞ୍ଚ ଅନ୍ଧକାର ହୋଇଗଲା)

 

୬ଷ୍ଠ ଦୃଶ୍ୟ

 

(ଗ୍ରାମ୍ୟ ପଥ–ପାଣୁ ମା ଓ ଗୁଣିଆ ହନୁମାନ ସାହୁର କଥାବାର୍ତ୍ତା)

 

 

ପାଣୁ ମା—

ମୋ ଭେକାଳ ବୁଡ଼ିଲା ସାହୁ ପୁଅ । କିଛି କୁଆଡ଼ୁ ନାହିଁ, ଭୂତ ଲାଗିଲା ପରି ପିଲାଟା କାଆଲି ଆସି ପହଞ୍ଚି ଆଜି ଜିଦ୍ ଧରି ବସିଛି ଭିନେ ହେବ ବୋଲି ।

 

 

ହନୁମାନ—

ବୁଝିଲି, ପୁଅକୁ ତୋର କିଏ ମନ୍ତର କରିଛି ପାଣୁଆ ମା, ତା’ ମଥା ବିଗାଡ଼ି ଦେଇଛି । ପର ଅନିଷ୍ଟ କରିବାକୁ ଏ ଗାଁରେ କ’ଣ ଲୋକର ଅଭାବ ଅଛି ! ଏ ପୁଣି କଳିକାଳଟି–

 

 

ପାଣୁ ମା—

(ବ୍ୟସ୍ତ ହୋଇ) ସତେ ? ଆରେ, ଡାକୁଣିଖିଆ, ଅଳପେଇସା ମୋ ପୁଅକୁ ସାରିଦେଲେ ଲୋ ମା–ମୁଁ ହୀନିକପାଳୀ କ’ଣ କରିବି ଲୋ ମା—

 

 

ହନୁମାନ—

ଆଲୋ ହେ ଖେଣ୍ଟେଇ ବୁଢ଼ୀ, ତୁଚ୍ଛାଟାରେ ଏତେ ଛାନିଆ ହେଉଛୁ କିଆଁ ? ଏ ହନୁମାନ ଗୁଣିଆ ଗାଁରେ ଥାଉଁ ଥାଉଁ ତୋର ଡର କାହାକୁ ଲୋ ?

 

 

ପାଣୁ ମା—

ଆରେ ଗାତପଶା, ପୋଡ଼ାମୁହାଁ, ଆରେ ନଈଶୁଆ, ତମ ପୁତ ମରୁ ରେ, ତମ ମାଇପ ଆଣ୍ଠୁକୁଡ଼ି ହେଉ । ତମ ବଂଶ ବୁଡ଼ୁ–ତମ ମଥାରେ ରାଧା ଚଡ଼କ ପଡ଼ୁ ! ତମେ ମୋ ପୁଅକୁ ମନ୍ତର କଲ, ତମ ପୁଅଝିଅକୁ ବିଧାତା ମନ୍ତର କରୁ ।

 

 

ହନୁମାନ—

(ପାଣୁ ମା’ର ଏ ଗତି ଦେଖି ତା’ର ଭାବ ବଦଳାଇବା ପାଇଁ ହଠାତ୍ ଆଖି ବୁଜି ମନ୍ତ୍ର ପଢ଼ିଲା–)

 

 

ଓଁ ହ୍ଳିଂ, କ୍ଳିଂ, ଶ୍ଳିଂ ସ୍ଵା-ହା-ଫଟ୍–

 

 

(ହାତରେ ଟାକ୍‍ରା ଫୁଟାଇ ନାକରେ କେଉଁ ପୁଡ଼ାରେ ନିଃଶ୍ଵାସ ଚାଲୁଛି ଦେଖିଲା, ତା’ପରେ କିଛି କ୍ଷଣ ଗୁଣୁ ଗୁଣୁ ହେଲା, ସେତେବେଳକୁ ପାଣୁଆ ମା’ ତଟସ୍ଥ–)

 

 

ମହାପ୍ରେତ, ଚଉଷଠି ଯୋଗିନୀ ! କିଳିକିଳା ରବ ମୁଁ ଶୁଣିବାକୁ ପାଇଲି ଲୋ ପାଣୁଆ ମା । ଆଚ୍ଛା, ତୁ କିଛି ଚିନ୍ତା କର୍‍ନା । ଏ ହନୁମାନ ଗୁଣିଆ ଆଗରେ ସେ ପ୍ରେତ କିଛି ନୁହେଁ । କେତେ ମହା ମହା ପ୍ରେତ ମୁଁ ଏଇ ହାତରେ ଜବତ୍ କରିଛି । ଏ କିବା ଛାର !

 

 

ପାଣୁ ମା—

କ’ଣ କରିବି ମୁଁ କୁହ ସାହୁ ପୁଅ । ମୋତେ ଏ ବିପଦରୁ ଉଦ୍ଧାର କର ! ମା ଭଦ୍ରକାଳୀ ତମର ମଙ୍ଗଳ କରିବେ ।

 

 

ହନୁ—

ମୋର ସନ୍ତକ ଆଣିଚୁଟି ? ଗୋଟିଏ ଗୁଆ, ଆଉ ଚାରଣା ପଇସା ।

 

 

ପାଣୁ ମା—

ହଁ, ଏଇ ନିଅ ! (ଅଣ୍ଟାରୁ କାଢ଼ି ବଢ଼ାଇ ଦେଲା)

 

 

ହନୁ—

(ଗୁଆ ପଇସା ହାତରେ ମୁଠାଇ ଧରି ତିନି ଥର ଫୁଙ୍କ ଦେଇ ଆଖି ବୁଜି ମନ୍ତ୍ର ପଢ଼ିଲା–)

 

 

ଓଁ ପୂର୍ବ ଗଲି, ପଶ୍ଚିମ ଗଲି, ଉତ୍ତର ଗଲି, ଦକ୍ଷିଣ ଗଲି

ଦେଉଳେ ପଶି ଓଁକାର କଲି ।

ଦେଉଳେ ମୋର ନାଁ ରଣରଣା

ଭୂତ ପ୍ରେତ ହେଲେ ବାଟବଣା ।

ପଶ୍ଚିମେ ବାନ୍ଧ୍–ପୂର୍ବେ ବାନ୍ଧ୍ ।

ଚଉଷଠି ଯୋଗିନୀଙ୍କି କିଙ୍କର କରି ବାନ୍ଧ୍ ।

ଭୂତ ବାହାର୍‍–ପ୍ରେତ ବାହାର୍ ।

ହସାଇ ଖେଳାଇ ବାହାର୍ ।

ଚାରି ଡାଳରୁ ବାହାର୍ ।

ଶୂନ୍ୟ ମଣ୍ଡପରୁ ବାହାର୍ ।

ହୃଦ କମଳରୁ ବାହାର୍ ।

ନାଭି ମଣ୍ଡଳରୁ ବାହାର୍ ।

ବାହାର୍ ବାହାର୍ ବୋଲି କାହାର ଆଜ୍ଞା

ଲଙ୍କାପୋଡ଼ା ହନୁମନ୍ତର କୋଟି କୋଟି ଆଜ୍ଞା ।

 

 

(ହାତ ମୁଠାକୁ ପୁଣି ତିନି ଥର ଫୁଙ୍କ ଦେଇ ପଇସା ଚାରିଅଣା ପକେଟ୍‍‍ରେ ପକାଇଲା ଏବଂ ମନ୍ତ୍ରିତ ଗୁଆକୁ ପାଣୁ ମା’କୁ ଦେଲା–)

 

 

ହନୁ—

ନେ’ ଧର । ମନ୍ତରା ଗୁଆକୁ ଦାଣ୍ଡ ଦୁଆର ଉପର ଚାଳରେ ଖୋସିଦେବୁ । ଖବରଦାର, ତୁ ଖୋସିଲା ବେଳେ ଯେମିତି କେହି ନ ଦେଖନ୍ତି ! ଯା–ନିଶ୍ଚିନ୍ତ ହୋଇ ବସିଥା । କାଲି ସକାଳେ ଦେଖିବୁ, ପ୍ରେତ କୁଆଡ଼େ ଛାଡ଼ି ପଳାଇଥିବ–ତୋର ଯେଉଁ ଭଲ ପୁଅକୁ ସେଇ ଭଲ ପୁଅ ।

 

 

(ଏତିକିବେଳେ ଆସି ପହଞ୍ଚିଛି ସରପଞ୍ଚ ନବବାବୁ)

 

 

ନବ—

ଏ ଦାଣ୍ଡ ମଝିଟାରେ ଗୋଟାଏ ସ୍ତ୍ରୀଲୋକ କାନରେ କି ମନ୍ତ୍ର ଫୁଙ୍କା ହେଉଛି କି ହନୁମାନ ସାହୁ ?

 

 

ହନୁ—

ନା ଆଜ୍ଞା, ଗୁଣିଆ ଲୋକ–

 

 

ନବ—

ଆରେ, ଭଲ କାମରେ ଗୁଣିଆ, ନା ମନ୍ଦ କାମରେ ?

 

 

ପାଣୁ ମା—

ସାହୁପୁଅ ତ ଗାଁରେ କାହାର କିଛି ଖିନ୍‍ଖରାପ କରୁ ନାହାନ୍ତିରେ ବାପ !

 

 

ନବ—

ତୁ ସେ କଥା କୁଆଡ଼ୁ ଜାଣିବୁ ମାଉସୀ ! ଏ ଲୋକଟାକୁ କମ୍ ଠଉରେଇଛୁ ! ସାକ୍ଷାତ୍ ଏକ ହନୁମାନ । ଗତବର୍ଷ ମାଗୁ ମାହାନ୍ତିର ଅଭିଆଡ଼ୀ ବଢ଼ିଲା ଝିଅଟାର ତିନି ମାସ ହୋଇ ଯାଇଥିଲା, ଭଙ୍ଗେଇଲା କିଏ ?

 

 

ହନୁ––

ନାଇଁ ଆଜ୍ଞା–

 

 

ନବ—

ଚୁପ୍ କର୍‍, ମିଛ କଥା କହନା । ଗାଁର ଏତେ ବଡ଼ କେସ୍‍ଟାକୁ ଏ ମାଟି କରିଦେଲା ମାଉସୀ । ଏଠି ଆଉ ପଞ୍ଚାୟତ କୋର୍ଟ ରହିବ କାହିଁକି ? ଆମେ ଆଉ ରହିବୁ କାହିଁକି ? ତମ ମନଇଚ୍ଛା ଯେ ଯାହା କରୁଛ କର ।

 

 

ହନୁ—

ନାଇଁ ଆଜ୍ଞା, ଆପଣ କିଛି ନ ବୁଝି ନ ସୁଝି ମୋର ଖାଲି ଦୋଷ ଦେଉଛନ୍ତି ।

 

 

ନବ—

ଯା, ଯା, ଆମେ ବୁଝୁନା, ତୁଇ ସବୁ ବୁଝି ପକେଇଛୁ ! ହ୍ୟାପ୍, ଛୋଟଲୋକଙ୍କ ମୁହଁରେ ବଡ଼ କଥା ।

 

 

ହନୁ—

କ’ଣ ହେଲା, ଆମେ ସବୁ ଛୋଟ ଲୋକ ?

 

 

ନବ—

କି ରେ, ମୋ ସାଙ୍ଗରେ ଝଗଡ଼ା କରିବୁ ନା କ’ଣ ? ଯା–ଯା ମୋର ବାର ଆଡ଼େ ତେର କାମ । ତୋ ସାଙ୍ଗରେ ମିଛଟାରେ ବକ୍‍ବକ୍ ହେବ କିଏ ?

 

 

ପାଣୁମା—

ଯା’ ସାହୁପୁଅ, ତମ କାମରେ ତେମେ ଯାଅ (ହନୁମାନ ଚାଲି ଯାଉଥିଲା) ମୋ କଥାଟା ଭୁଲିବ ନାହିଁଟି । ବେଶୀ ବେଶୀ ମନ୍ତ୍ର ପଢ଼ୁଥିବ ।

 

 

ନବ—

ବୁଝିଲୁ ମାଉସୀ, ଏ ଲୋକଟା ଉପରକୁ ଯେତିକି ଭଲ, ଭିତରକୁ ସେତିକି ବଦ୍‍ମାସ–ଯାହାକୁ କହନ୍ତି ଗୁଳୁଗୁଳିଆ ବେଧା । ତା’ କଥାରେ ପଡ଼ିବୁ ନାହିଁଟି । ହଉ, ଛାଡ଼୍ ସେ କଥା । ମୁଁ ବର୍ତ୍ତମାନ ତମରି ଘରୁ ଫେରୁଛି । ଜିନିଷପତ୍ର ସବୁ ଅଧା ଅଧା ଭାଗ ବଣ୍ଟରା ହୋଇଗଲା, ତୁ ତ ରହିଲୁ ନାହିଁ–‘ଯା କରୁଛ କର’ ବୋଲି ଆମ ଉପରେ ସବୁ ଦାୟିତ୍ଵ ଲଦି ଦେଇ ପଳେଇ ଆସିଲୁ ।

 

 

ପାଣୁମା—

(ଦୀର୍ଘ ନିଃଶ୍ଵାସ ଛାଡ଼ି) ମୋର ରହିବା ଆଉ ଦରକାର କ’ଣ ? ତମେ ସବୁ ତ ଶେଷ କରି ଦେଇଛ । ହଉ, ଭଲ କଲ ବାପ, ଖୁବ୍ ଭଲ କଲ–ମା ଭଦ୍ରକାଳୀ ତୁମମାନଙ୍କର ମଙ୍ଗଳ କରନ୍ତୁ !

 

 

ନବ—

ମୁଁ କେବେ କାହାର କିଛି ଖରାପ କରି ନାହିଁ ମାଉସୀ, ସେ କଥା ଯେ ଦିନରାତି କରୁଛି, ସେ ଏକା ଜାଣେ । ହଉ, ତୁ ଘରକୁ ଯା । ତୋ ଭାଗ ଜିନିଷ-ପତ୍ର ଗୋଟି ଗୋଟି କରି ଦେଖିନେବୁ । ପ୍ରାଣବନ୍ଧୁ ବାହାରିଲାଣି–ଏଇକ୍ଷଣି କଲିକତା ଚାଲିଯିବ ।

 

 

ପାଣୁମା—

ଏଁ, ପାଣୁଆ ଏଇଖିଣି କଲିକତା ଯିବ ?

 

 

ନବ—

ହଁ, ମୋଟେ ଦିନ ଦୁଇଟା ଛୁଟି ଆଣିଥିଲା, ଆଜି ହାବୁଡ଼ା ପାସେଞ୍ଜରରେ ଚାଲିଗଲେ କାଲି ଦଶଟାରେ କାମରେ ଜଏନ୍ କରିବ । ଚାକିରିଆ ମଣିଷ–ତା’ର ଆଉ ଚାରା କ’ଣ ?

 

 

ପାଣୁମା—

ଆରେ ବାପ ନବ, ତମ ଆଖିକୁ ଏଇଟା ସୁନ୍ଦର ଦିଶିଲା ? ମା-ପୁଅକୁ ଭିନେ କରେଇଲ ? ବାପର ଗୋଟିଏ ବୋଲି ପୁଅ, ଭାଇ ନାହିଁ–ଭଗାରି ନାହିଁ । ତାରି ଘରେ ପୁଣି ପାଚିରି ଉଠେଇଲ ? ଆରେ ତମ ମନ କହିଲା ? ଦେହ ସହିଲା ? (ଧକେଇ ଧକେଇ କାନ୍ଦିବାକୁ ଲାଗିଲା)

 

 

ନବ—

ଏ ଯୁଗ ଓଲଟା ହେଲା ମାଉସୀ, କିଏ ଆଉ କ’ଣ କରିବ ? ମୁଁ ପ୍ରାଣବନ୍ଧୁକୁ ଯେତେ କହିଲି, କନକୁ ଯେତେ ବୁଝାଇଲି, କାହିଁରେ କିଛି ହେଲା ନାହିଁ । ହଉ, ତୁମ ଭାଗ୍ୟ ମାଉସୀ ! ସବୁ ବିଧାତା ଭିଆଣ । (ଦୂରକୁ ଚାହିଁ) ଏଇ ତ, ପ୍ରାଣବନ୍ଧୁ ବାହାରି ଆସିଲାଣି ।

 

 

ପାଣୁ—

(ପ୍ରବେଶ କରି) ତମେ କ’ଣ ଏପର୍ଯ୍ୟନ୍ତ ଘରକୁ ଯାଇ ନ ନବଭାଇ ?

 

 

ନବ—

ମୋ କଥା ଭଲା ପଚାରୁଚୁ । ଆସୁ ଆସୁ ବାଟରେ ବାରଶ କାମ । ହଉ, ତୁ ଚଞ୍ଚଳ ବାହାରି ଯା–ନଣ୍ଡା ବରଗଛ କତିକି । ବାସ୍ ଟାଇମ୍ ହୋଇ ଗଲାଣି ।

 

 

ପାଣୁ—

(କାନ୍ଦୁଥିବା ମା ଆଡ଼େ ଚାହିଁ ବ୍ୟସ୍ତ ହୋଇ ପଡ଼ିଲା) ହଉ, ଥାଅ ନବଭାଇ, ନମସ୍କାର । ଆମ ଘର କଥା ଟିକେ ବୁଝାସୁଝା କରୁଥିବ ।

 

 

(ଚାଲିଗଲା, ପଛେ ପଛେ ନବ ମଧ୍ୟ ଚାଲିଲା)

 

 

ପାଣୁ ମା—

(ଜୋର୍‍‍ରେ କାନ୍ଦୁ କାନ୍ଦୁ ବିକଳ ହୋଇ ଡାକ ଛାଡ଼ିଲା)

 

 

ପାଣୁରେ ପାଣୁଆ ! ଫେରିଆ, ଫେରିଆ ! ମୋ ଧନଟା ପରା, ଫେରିଆ–(କ୍ଷଣକ ପାଇଁ ତକେଇ କୌଣସି ଜବାବ୍ ପାଇଲା ନାହିଁ) ହଉ ବାପ, ଯା ! ମା ଭଦ୍ରକାଳୀ ତୋତେ ସୁବୁଦ୍ଧି ଦିଅନ୍ତୁ–ତୋର ମଙ୍ଗଳ କରନ୍ତୁ !

 

 

(ଧକେଇ ଧକେଇ କାନ୍ଦୁଥାଏ ଓ ପଣତରେ ଲୁହ ପୋଛୁଥାଏ)

✽✽✽

 

ଛିନ୍ନ ପୃଷ୍ଠା

ପ୍ରଥମ ଦୃଶ୍ୟ

 

[ଅଦୂରେ ଐତିହାସିକ ଧଉଳିପାହାଡ଼–ଦୟା ନଦୀର କୁଳୁକୁଳୁ ଧାରା ତା’ର ଚରଣ ଧୌତ କରୁଛି । ପାହାଡ଼ ସେ ପଟରେ ଅସ୍ତ ଯାଇଛନ୍ତି ସୂର୍ଯ୍ୟ, ଧଉଳିର ସବୁଜ ବକ୍ଷ ଉପରେ ନଇଁ ଆସିଛି ସନ୍ଧ୍ୟା । ଏତିକିବେଳେ ଧୀରେ ଧୀରେ ପ୍ରବେଶ କଲେ ଜଣେ ଅଶୀତିପର ବୃଦ୍ଧ–ପକ୍ଵକେଶ, ପଳିତ ଚର୍ମ, ଗଳିତ ଦନ୍ତ, ପାଦଭାର ଠିକ୍ ଭାବେ ପଡ଼ୁନାହିଁ–ହାତର ଯଷ୍ଟିଟି ମଧ୍ୟ ଥରି ଉଠୁଛି । ବୃଦ୍ଧ ଅଟକି ଯାଇ ଧଉଳି ବକ୍ଷକୁ ଥରେ ନିରେଖି ଚାହିଁଲେ । ତା’ପରେ ଦୁର୍ବଳ ହସ୍ତଟିକୁ ହଲାଇ କାହାକୁ ଯେପରି ଆହ୍ଵାନ କଲେ ।

 

 

ତାଙ୍କରି ଆହ୍ଵାନ କ୍ରମେ ଧଉଳି ହେଲେ ମୂର୍ତ୍ତମାନ୍‍–ଧୀରେ ଆସି ପହଞ୍ଚିଲେ ବୃଦ୍ଧଙ୍କ ସମୀପରେ । ସେ ବି ଅଶୀତିପର–ବୃଦ୍ଧଙ୍କୁ ଚିହ୍ନି ନପାରି ବିସ୍ମିତ ହୋଇ ପଚାରିଲେ–]

 

 

ଧଉଳି—

ଆପଣ ?

 

 

ବୃଦ୍ଧ—

(ହସି ଉଠିଲେ) ହାଃ ହାଃ...... ଚିହ୍ନି ପାରିଲ ନାହିଁ ଧଉଳି ! ତୁମର ଅନ୍ତରଙ୍ଗ ବନ୍ଧୁକୁ ଏତେ ଶୀଘ୍ର ପାସୋରି ଦେଲ ? ବେଶୀ ଦିନର କଥା ତ ନୁହେଁ ! ଏହି ଗତ ୧୫୬୮ ଖ୍ରୀଷ୍ଟାବ୍ଦର କରୁଣ ସ୍ମୃତି । ଉତ୍କଳର ଉତ୍ତର ପୂର୍ବ କୋଣରେ ଅକସ୍ମାତ୍ ଦେଖାଦେଲା ଏକ ଅଶୁଭ ଧୂମକେତୁ । ତା’ପରେ–ତା’ପରେ ଉତ୍କଳର ସ୍ଵାଧୀନତା–ସୂର୍ଯ୍ୟ ଏଇ ଦୟାନଦୀ କୂଳରେ–ତୁମରି ପୃଷ୍ଠ ଦେଶରେ ଚିରକାଳ ପାଇଁ ହେଲେ ଅସ୍ତମିତ ! ମନେପଡ଼େ ଧଉଳି ? ସେଦିନ ଏହିପରି ଏକ କରୁଣ ସନ୍ଧ୍ୟାରେ–

 

 

ଧଉଳି—

ଓହୋ...ବନ୍ଧୁ, ଇତିହାସ ! ଆପଣ ଆଜି ଏ ରୂପରେ ?

 

 

ବୃଦ୍ଧ—

ବିସ୍ମିତ ହୁଅନା ଧଉଳି ! ଇତିହାସ ପଙ୍ଗୁ ନୁହେଁ–ସୀମାବଦ୍ଧ ନୁହେଁ । କାଳର ଗତିରେ ସେ ହୁଏ ଚଞ୍ଚଳ, ଗତିଶୀଳ !

 

 

ଧଉଳି—

ସୁଦୀର୍ଘ ତିନିଶତ ବର୍ଷ ପରେ ଆଜି ଏ ପ୍ରଥମ ଦେଖା ।

 

 

ବୃଦ୍ଧ—

କର୍ମ ବହୁଳ ତିନିଶତ ବର୍ଷ ତିନୋଟି ଦିନପରି ମୋର କଟିଯାଇଛି ଧଉଳି ! ସବୁ ଯେପରି ଗତକାଲିର ଘଟଣା–ଉତ୍କଳର ଭାଗ୍ୟାକାଶରେ ଅଚାନକ ଧୂମକେତୁ–ତା’ପରେ ଉତ୍କଳର ସ୍ଵାଧୀନତା ଲୋପ–ଚାରିଶତ ବର୍ଷ ଧରି ମୁସଲମାନ, ମରହଟ୍ଟା ଓ ବ୍ରିଟିଶ୍ ଶାସନ–ତା’ପରେ ସ୍ମରଣୀୟ ୧୯୪୭ର ଅଗଷ୍ଟ ପନ୍ଦର ।

 

 

ଧଉଳି—

ହଁ, ଉତ୍କଳ ତାହାର ହୃତ ସ୍ଵାଧୀନତା ଫେରି ପାଇଲା । ତା’ପରେ–

 

 

ବୃଦ୍ଧ—

ତା’ପରେ ? ନିଜେ କ’ଣ କିଛି ଦେଖିପାରୁନାହିଁ ଧଉଳି ? ଉତ୍କଳ ଗଗନରେ ଦେଖା ଦେଇଛି ଆଉ ଏକ ଅମଙ୍ଗଳ ଧୂମକେତୁ । ଯାହାର ଉତ୍କଟ ପ୍ରଭାବରେ ଏ ଦେଶ ଶ୍ରୀହୀନ ହୋଇ ପଡ଼ିଲାଣି । ଦୋହଲି ଗଲାଣି ଏ ବିରାଟ ଜାତିର ମେରୁଦଣ୍ଡ । ତୁମେ ଏହାର କିଛି ଖବର ରଖୁଛ ଧଉଳି ?

 

 

ଧଉଳି—

ବନ୍ଧୁ ଇତିହାସ, ଓଡ଼ିଆ ଜାତି ମୋର ଅତି ଆପଣାର । ସେ ଜାତିକୁ ଅବହେଳା କରି ମୁଁ ଅନ୍ୟାୟ ଅର୍ଜନ କରିପାରିବି ନାହିଁ । ବିଶ୍ଵାସ ଥିଲା–ଦୀର୍ଘ ଚାରିଶତ ବର୍ଷର ଦାସତ୍ଵ ଶୃଙ୍ଖଳରୁ ମୁକ୍ତି ଲାଭ କରି ଏ ଜାତି ପାଇବ ସ୍ଵାଧୀନତାର ନବୀନ ଆଲୋକ-। ସେହି ଅପୂର୍ବ ଆଲୋକ-ସମ୍ପାତରେ ଏହାର ଦୁର୍ଗତି, ଦୁରବସ୍ଥା ପ୍ରଭୃତି ସମସ୍ତ ଅନ୍ଧକାର ଦୂରୀଭୂତ ହେବ । କିନ୍ତୁ ପରିଣାମରେ ହେଲା କ’ଣ ?

 

 

ବୃଦ୍ଧ—

ଅନୁତାପ କରନା ଧଉଳି ! ମନେପଡ଼େ–ବିଗତ ଦିନର ସେ ମଧୁର ସ୍ମୃତି ? ସମସ୍ତ ମୁଁ ଅଙ୍ଗେ ଅଙ୍ଗେ ଲିପିବଦ୍ଧ କରି ରଖିଛି । ସମଗ୍ର ପୃଥିବୀ ଯେତେବେଳେ ଘନ ଅଜ୍ଞାନ-ଅନ୍ଧକାରରେ ନିମଗ୍ନ ଥିଲା, ସେତେବେଳେ ଏହି ଦେଶହିଁ ପୃଥିବୀକୁ ପ୍ରଥମେ ସଭ୍ୟତା ଆଲୋକ ପ୍ରଦାନ କରିଥିଲା । ସେ ସ୍ଵର୍ଣ୍ଣ ଦିନଗୁଡ଼ିକ ସବୁ ସ୍ଵପ୍ନପରି ମିଳାଇ ଯାଇଛି ଧଉଳି ! ସେହି ସ୍ମୃତିକୁ ସଙ୍ଖାଳି କରି ଆମେ ଆଜି ଏ ପଥଭ୍ରଷ୍ଟ ଜାତିକୁ ଦିଗ୍‍ଦର୍ଶନ ବତାଇ ଦେବା ।

 

 

ଧଉଳି—

ଅସମ୍ଭବ ମନେହୁଏ ବନ୍ଧୁ । ଉତ୍କଳ ତା’ର ପୂର୍ବ ଗୌରବ ଫେରି ପାଇବ–ଏହା ଯେପରି ଖାଲି କବିର କଳ୍ପନା ।

 

 

ବୃଦ୍ଧ—

କବିର କଳ୍ପନାରେ ମଧ୍ୟ ଗଭୀର ସତ୍ୟ ନିହିତ ଥାଏ ଧଉଳି । ତୁମେ ବିଷାଦବାଦୀ ହୁଅନା ! ମାନବର ଅନ୍ତର୍ନିହିତ ଶକ୍ତିରେ ବିଶ୍ଵାସ ସ୍ଥାପନ କର । ଏ ଜାତି ପୁଣି ଜାଗି ଉଠିବ । ସୁଦୂର ସାଗର ପାରେ ଫର ଫର ହୋଇ ଉଡ଼ିବ ତା’ର ବିଜୟ ନିଶାଣ । କୋଣାର୍କ, ଭୁବନେଶ୍ଵରର ଦାରୁଣ ପ୍ରସ୍ତର ବୁକୁରେ ପୁଣି ଫୁଟି ଉଠିବ ଜାତୀୟ ଜୀବନର ନୂତନ କବିତା ।

 

 

ଧଉଳି—

କୁଳବୃଦ୍ଧ ଇତିହାସଙ୍କ ମୁଖରେ କୁସୁମ ବୃଷ୍ଟି ହେଉ !

 

 

ବୃଦ୍ଧ—

ସେଥିପାଇଁ ଧଉଳି, ଆଜି ଏ ଅଶୁଭ ଲଗ୍ନରେ ବ୍ୟାକୁଳ ହୋଇ ଧାଇଁ ଆସିଥିଲି ତୁମରି ନିକଟକୁ ! ଆମେ ମୂକ, ଜଡ଼ ! ତଥାପି ଏ ଜାତିର ଶିକ୍ଷା, ସଂସ୍କୃତି, ବୈଷୟିକ ଉନ୍ନତିର ଗୌରବ ଗାଥା ଆମେ ଅହରହ ଗାନକରୁଁ । ଆସ, ଆଜି ଏ ଦୁର୍ଦ୍ଦିନରେ ଆମର ସେହି ପବିତ୍ର କର୍ତ୍ତବ୍ୟ ପାଳନ କରିବା ।

 

 

ଧଉଳି—

ଆମର ଉଦ୍‍‍ବୋଧନ ବାଣୀରେ ଏ ଜାତି ଜାଗ୍ରତ ହେଉ ! ଦେଶବକ୍ଷରେ ଅମଙ୍ଗଳ ଧୂମକେତୁର ବିଲୟ ଘଟୁ ! ଭଗବାନଙ୍କ ଠାରେ ଏତିକି ମାତ୍ର ପ୍ରାର୍ଥନା ! (ନିଷ୍କ୍ରାନ୍ତ)

✽✽✽

 

ଦ୍ଵିତୀୟ ଦୃଶ୍ୟ

 

[ଐତିହାସିକ ବୋଧିଦ୍ରୁମ ସଂଲଗ୍ନ ପ୍ରାନ୍ତର । ଉତ୍କଳୀୟ ବ୍ୟବସାୟୀ ତପୁସ୍ ଓ ଭଲ୍ଲିକ ସେଠାରେ ଶଗଡ଼ ଖଟାଇ ବିଶ୍ରାମ ନେଉଥିଲେ । କାଳ ମଧ୍ୟାହ୍ନ । ତପୁସ୍‍ ଗଛତଳେ ବସି ଉଦାସ ମନରେ ଗୀତଟିଏ ଗାଉଥିଲା । ତପୁସ୍‍ର ଗୀତ ଶୁଣି ଭଲ୍ଲିକ ଧୀରେ ଧୀରେ ତା’ ପାଖରେ ପ୍ରବେଶ କଲା ।]

 

 

ଅ........ଆ.........ଆ……….

ରାମ ଯେ ଲଇକ୍ଷଣରେ

ଗଲେ ମୃଗମାରି

ପତର ପଲ୍ଲୀରେ ସୀତୟା

ରହନ୍ତି ମନ ମାରି...ଇ...ଇ...ଲୋ–

 

 

ଭଲ୍ଲିକ—

କି ତପୁଆ ଭାଇ, ଇମିତି ଉଦାସିଆ ଗୀତଟା ଗାଇ ପକାଇଲୁ ଯେ ! ନୂଆବୋଉ କଥା ମନେ ପଡ଼ିଗଲା ନା କ’ଣ ?

 

 

ତପୁସ୍‍—

ଆରେ, ଘରୁ ଅନୁକୂଳ କଲେ ଗଲାମାସ ଆଠଦିନେ । ଦେଖୁ ଦେଖୁ ମାସଟିଏ ବିତିଗଲା । ପୁଣି କାହିଁ କେଉଁ ବିଦେଶ ଜାଗା । ଘର ପାଖର ସେ ଧଉଳି ଗିରିର ଶୋଭା, ଆଉ ଦୟା ନଦୀର ମିଠା ପାଣି ଏଣେ କୁଆଡ଼େ ମିଳିବ ! ସାଇ ପଡ଼ିଶା କେହି ନାହିଁ । ଘରକଥା ଖାଲି ମନେ ପଡ଼ୁଛିରେ ଭାଲୁଆ !

 

 

ଭଲ୍ଲିକ—

ତାହାହେଲେ ଏ ବ୍ୟବସାୟରେ ପଶିଲୁ କିଆଁ କହତ ? ଯଦି ମାଇପ ସୁହାଗିଆ ହେବୁ, ଘରଭିତରେ ଫୁଲ ଚନ୍ଦନ ଦେଇ ମାଇପକୁ ଦିନରାତି ପୂଜା କର ।

 

 

ତପୁସ୍‍—

ଆରେ ଭାଲୁଆ ! ତୁ ତ ହେଲୁ ଅଭିଆଡ଼ା ଭାଣ୍ଡ । ତୁ’ ଏ କଷଣ ବୁଝିବୁ କିମିତି ? ବାହା ହେଲା ପରେ ଗଲା ଛ’ ବରଷ ଧରି ମୁଁ ଇମିତି ବେପାର ବଣିଜ କରି ଆସୁଛି । ବରଷକ ବାର ମାସରୁ ଦଶମାସ କଟୁଛି ବିଦେଶରେ । କିନ୍ତୁ ତୁ’ ଗୋଟାଏ ଭଲ କନିଆଁ ଦେଖି ବାହାହୋଇ ପଡ଼ିଲେ ଏ ବେଉସା ଛାଡ଼ି ଏକାବେଳେ ଘରେ ବସିବୁ ! ତୋ କଥା କ’ଣ ମୁଁ ବୁଝି ପାରୁନି !

 

 

ଭଲ୍ଲିକ—

ନା ତପୁଆ ଭାଇ; ଏ ବେଉସାରୁ ମୁଁ ଲକ୍ଷ୍ମୀ ପାଇଛି, ୟାକୁ ପୁଣି ଛାଡ଼ିବି ? ତେବେ ବାହା ହୋଇ ସାରିଲା ପରେ ଆଉ ଏକ ବୁଦ୍ଧି କରିବି । ବିଦେଶ କଲେ, ଚୁଡ଼ା ଚାଉଳ ଛଡ଼ା ସାଙ୍ଗରେ ଥୋଡ଼େ ‘ବିରହ ନିବାରିଣୀ ବଟିକା’ ଘେନି ଆସିବି ।

 

 

ତପୁସ୍—

କ’ଣ କହିଲୁ ? ବିରହ ନିବାରିଣୀ ବଟିକା ?

 

 

ଭଲ୍ଲିକ—

ହଁ, ଗାଁର କାଳୁ କବିରାଜ ତିଆରି କରୁଛି । ତୋ ପରି ଇମିତି ଘର କଥା ମନେପଡ଼ିଲେ, ସେ ବଟିକାରୁ ଗୋଟିଏ ତ ପାଣି ଢୋକେ ! ତା’ପରେ ସବୁ ଠିକ୍‍ଠାକ୍ ।

 

 

ତପୁସ୍—

ଆରେ, କାଳୁ କବିରାଜ ଏ ବେଉସା କେବେଠୁଁ କଲାଣି ? ବିରହ ନିବାରଣୀ ବଟିକା ସତେ କ’ଣ ବିରହ ନିବାରଣ କରୁଛି ?

 

 

ଭଲ୍ଲିକ—

ଆଖିରେ ଦେଖିବା କଥା ତପୁଆ ଭାଇ, ସେ ବଟିକାରେ ପରା ଶହ ଶହ ରୋଗୀ ଭଲ ହେଉଛନ୍ତି । ପୁଣି କାଳୁ କବିରାଜର ଯେଉଁ ପ୍ରେମାଙ୍କୁର ମୋଦକ, ଟିକିଏ ପରା ପାଟିରେ ପକାଇ ଦେଲେ ଚଉଦ ଭୁବନ ଦେଖାଇ ଦେବ ! ଘରେ ଥିଲେ ପ୍ରେମାଙ୍କୁର ମୋଦକ, ବିଦେଶରେ ଥିଲେ ବିରହ ନିବାରିଣୀ ବଟିକା । ଆଉ ଚିନ୍ତା କ’ଣ ?

 

 

ତପୁସ୍—

ହଉ, ହଉ, ବାହାହେଲେ ତୁ ସେଇଆ କରିବୁ ଭାଲୁଆ ! ବଟୁଆ ଖୋଲ୍, ପାନ ବକଟେ ଦେ ! ଛାଇ ଗଡ଼ି ପଡ଼ିଲାଣି । ବଳଦଙ୍କୁ କୁଣ୍ଡା ତୋରାଣି ମୁନ୍ଦିଏ ଦେଇ ଶଗଡ଼ ଭିଡ଼୍ । ଆଜି ରାତି ଭିତରେ ଯିମିତି ବୋଧଗୟାର ସୀମା ପାରି ହେବା ।

 

 

ଭଲ୍ଲିକ—

(ବଟୁଆ ଖୋଲି ପାନ ଭାଙ୍ଗୁ ଭାଙ୍ଗୁ) ମୋ କାଳିଆ-କସରା ଯୋଡ଼ାକ ବଡ଼ ହାଲିଆ ହୋଇ ପଡ଼ିଲେଣି ତପୁଆ ଭାଇ ! ଆଜି ରାତିଟା ଏଇଠି ଅଟକି ଗଲେ କିମିତି ହୁଅନ୍ତା ?

 

 

ତପୁସ୍—

ନା, ରହିଲେ କ୍ଷତି ! କାଳେ ଯଦି ବର୍ଷା ହୁଏ, ତା’ହେଲେ ଚାରି ଶଗଡ଼ଯାକ ଲୁଣ ସବୁ ଅକାରଣେ ଯିବ । ଏଇତ, ଆଗରେ ଆମର ବଣିଜ-ପେଣ୍ଠ । ବଳଦ ଯୁଟି ଦେ, ଥିଇରି ଥିଇରି ଯିବା ।

 

 

ଭଲ୍ଲିକ—

ଏଥର ଲୁଣ ଆଉ ହଳଦୀରୁ ମୋଟା କରି ଲାଭ ମିଳିବ ଏକା ! ଏ ଯେଉଁ କନ୍ଧମାଳ ଖାଣ୍ଟି ହଳଦୀ, ଆଉ ବାଲେଶ୍ଵରୀ ପଙ୍ଗା ଲୁଣ–ଗରାକି ଦେଖିଲାକ୍ଷଣି ପରା ମାଡ଼ି ବସିବେ ! (ପାନ ଭାଙ୍ଗି ସାରି ତପୁସ୍‍କୁ ଦେଲା । ଏତିକିବେଳେ ବୃକ୍ଷଲତା ଅନ୍ତରାଳରେ ଦେଖା ଦେଲେ ଗୈରିକ ବାସନାଧାରୀ ବୁଦ୍ଧଦେବ । ସାଧନା ତାଙ୍କର ସମାପ୍ତ ହୋଇଛି । ସିଦ୍ଧିର ଆଲୋକରେ ସେ ଯେପରି ତେଜୀୟାନ୍‍ ଓ ମହୀୟାନ୍‍ ହୋଇ ଉଠିଛନ୍ତି !)

 

 

ତପୁସ୍—

ଆରେ ଭାଲୁଆ, ଦେଖିଲୁଣି, ହେଇ ଜଣେ କିଏ ବାବାଜି !

 

 

ଭଲ୍ଲିକ—

ତପୁଆ ଭାଇ, ଏ ତ ସାକ୍ଷାତ ଦେବତା ! ଚାଲ୍, ଚାଲ୍, ମୁଣ୍ଡିଆ ମାରିବା । ଠାକୁରେ ଆଶୀର୍ବାଦ କଲେ ଆମର ବେବସା ବଢ଼ିବ ।

 

 

ତପୁସ୍—

ହେଇ, ବାବାଜି ଆମରି ଆଡ଼କୁ ଆସୁଛନ୍ତି । ଆସନ୍ତୁ ! (ବୁଦ୍ଧଦେବ ପହଞ୍ଚିଗଲେ, ତପୁସ୍ ଭଲ୍ଲିକ ଭୂମିଷ୍ଠ ପ୍ରଣାମ କଲେ)

 

 

ବୁଦ୍ଧ—

(ଆଶୀର୍ବାଦ କଲେ ହାତ ଉଠାଇ) ଉଠ, ଉଠ ବାବା ! କିଏ ତୁମେମାନେ ?

 

 

ତପୁସ୍—

ଆମେ କଳିଙ୍ଗ ଦେଶର ବେବସାୟୀ ଠାକୁରେ । ଲୁଣ, ହଳଦୀ, ରବି ରସୁଣର ବେବସା କରୁଁ !

 

 

ବୁଦ୍ଧ—

ଓ ...... ସୁଦୂର ଦେବଭୂମି କଳିଙ୍ଗ ଦେଶର ପ୍ରସିଦ୍ଧ ବ୍ୟବସାୟୀ ! ସେ ଦେଶର ଗୌରବଗାଥା ମୋର କର୍ଣ୍ଣଗୋଚର ହୋଇଛି । ସେଠାରେ ମୋର ନବ ଧର୍ମ ପ୍ରଚାର କରିବାକୁ ମୁଁ ମନସ୍ଥ କରିଛି ।

 

 

ତପୁସ୍—

ଠାକୁରଙ୍କ ଦୟା ! ଆରେ ଭାଲୁଆ, ଯା, ଶଗଡ଼ରୁ ଯବ ଛତୁଆ ଆଉ ମହୁ ଝଅଟ୍ ଘେନିଆ । ଠାକୁରଙ୍କୁ ଭୋଗ ଲଗାଇବା । (ଭଲ୍ଲିକ ଚାଲିଗଲା) ଠାକୁରେ, ଆମେ ବିଦେଶୀ । ବିଦେଶରେ ଆଉ କ’ଣ ପାଇବୁଁ ? ଯାହା ଆମ ପାଖରେ ଅଛି, ସେଇଥିରେ ଠାକୁରେ ପାରଣା କରନ୍ତୁ !

 

 

(ଭଲ୍ଲିକ ଦୁଇଟି ପାତ୍ରରେ ଯବଶକ୍ତୁ ଓ ମଧୁ ଘେନି ଆସିଲା । ତପୁସ୍ ଆସନ ପାରି ଦେଲା । ବୁଦ୍ଧଦେବ ଉପବେଶନ କଲେ ଓ ତପୁସ୍-ଭଲ୍ଲିକ ଦୁହେଁ ତାଙ୍କର ଚର୍ଚ୍ଚା କଲେ ।)

 

 

ବୁଦ୍ଧ—

ଶୁଣ ବାବା ! ତୁମର ଏ ଭକ୍ତିପୂର୍ଣ୍ଣ ଭେଟିରେ ମୁଁ ପରମ ସନ୍ତୋଷ ଲାଭ କରିଛି । ଆଜି ମୋର ସାଧନା ବ୍ରତ ଉଦ୍‍ଯାପନ କରି ଏଇଥିରେ ମୁଁ ପ୍ରଥମେ ପାରଣା କରିବି । କିନ୍ତୁ ତୁମର ଭେଟି ବଦଳରେ ମୁଁ ତୁମକୁ କିଛି ଦେବାକୁ ଚାହେଁ । ତପସ୍ୟାରେ ସିଦ୍ଧିଲାଭ କରି ମୁଁ ହୋଇଛି ବୁଦ୍ଧ ! ଏ ଅସାର ସଂସାରର ମୋହମାୟାରୁ ମୁକ୍ତିଲାଭ କରିବାପାଇଁ ମୁଁ ଆବିଷ୍କାର କରିଛି ଏକ ଅଭିନବ ପନ୍ଥା । ସେଇ ପନ୍ଥାରେ ତୁମ ଦୁହିଁଙ୍କି ମୁଁ ସର୍ବପ୍ରଥମେ ପଥିକ କରିବାକୁ ଚାହେଁ ।

 

 

ତପୁସ୍ ଓ

ଭଲ୍ଲିକ—

(ହାତଯୋଡ଼ି) ତୁମ ଦୟା ଠାକୁରେ, ଆଉ ଆମ ଭାଗ୍ୟ ।

 

 

ବୁଦ୍ଧ—

(ଆନନ୍ଦରେ) ଆଃ......... ଜୀବନରେ ମୋର ଆଜି ଏ ସର୍ବଶ୍ରେଷ୍ଠ ଆନନ୍ଦର ଦିନ । ମୋର ସମସ୍ତ ସ୍ଵପ୍ନ ସଫଳ ହୋଇଛି । ବ୍ରତ ମୋର ଶୁଭକ୍ଷଣରେ ଉଦ୍‍ଯାପିତ । ଧନ୍ୟ କଳିଙ୍ଗବାସୀ, ଧନ୍ୟ ତୁମର ଦେଶ ! ମୋର ନବ ପ୍ରଚାରିତ ବୌଦ୍ଧଧର୍ମର ସର୍ବପ୍ରଥମ ଶିଷ୍ୟ ହିଁ ତୁମେମାନେ ! ତୁମମାନେ ହିଁ ମୋର ନବ ବାଣୀକୁ ସୁଦୂର କଳିଙ୍ଗ ଦେଶକୁ ଘେନିଯିବ । ମୁଁ ଏ ବୌଦ୍ଧଧର୍ମର ଜନ୍ମଦାତା ସତ୍ୟ, କିନ୍ତୁ ତୁମେମାନେ ହେବ ଏ ଶିଶୁ ଧର୍ମର ପାଳକ ଏବଂ ରକ୍ଷକ । କୌଣସି ଧର୍ମକୁ ହୃଷ୍ଟପୁଷ୍ଟ କରାଇବାକୁ କଳିଙ୍ଗ ପରି ଦେବଭୂମିହିଁ ପ୍ରକୃଷ୍ଟ କ୍ଷେତ୍ର । ଆସ, ଆସ ମୋର ପ୍ରଥମ ଏବଂ ପ୍ରଧାନ ଭକ୍ତଦ୍ୱୟ । ତୁମକୁ ମୁଁ ମହା ମନ୍ତ୍ରରେ ଦୀକ୍ଷିତ କରେ-

 

 

(ତପୁସ୍ ଓ ଭଲ୍ଲିକ ଦୁହେଁ ହାତଯୋଡ଼ି ନୟନ ମୁଦି ବସିଲେ । ବୁଦ୍ଧ ସେମାନଙ୍କୁ ମନ୍ତ୍ର ପ୍ରଦାନ କଲେ)

 

 

ବୁଦ୍ଧଂ ଶରଣଂ ଗଚ୍ଛାମି ।

ଧର୍ମଂ ଶରଣଂ ଗଚ୍ଛାମି ।

ସଂଘମ୍ ଶରଣଂ ଗଚ୍ଛାମି ।

 

 

(ତପୁସ୍ ଓ ଭଲ୍ଲିକ ଯଥାକ୍ରମେ ଏହି ମନ୍ତ୍ର ଉଚ୍ଚାରଣ କଲେ । ତା’ପରେ ବୁଦ୍ଧ ନିଜ ପାଦ ନଖରୁ ଟିକିଏ ଓ ମଥାରୁ କେଶ ଗୋଟିଏ ବାହାର କଲେ ।

 

 

ବୁଦ୍ଧ—

ଏହି ନିଅ, ତୁମର ସଙ୍କେତ ! ଏହା ସହିତ ସୁଦୂର କଳିଙ୍ଗ ଦେଶକୁ ବହନ କରି ନେବ ମୋର ଧର୍ମବାଣୀ ।

 

 

(ତପୁସ୍ ଓ ଭଲ୍ଲିକ ଗୋଟିଏ ତମ୍ବା ଥାଳିରେ ବୁଦ୍ଧଙ୍କ ସଙ୍କେତ ଗ୍ରହଣ କରି ଭୂମିଷ୍ଠ ପ୍ରଣାମ କଲେ । ମଞ୍ଚ ଅନ୍ଧକାର ହୋଇଗଲା ।)

 

ତୃତୀୟ ଦୃଶ୍ୟ

 

(ବୌଦ୍ଧ ଯୁଗୀୟ କଳିଙ୍ଗର ପୁଷ୍ପଗିରି ବିହାର । ସାୟଂ କଳାରେ ବୌଦ୍ଧ ଭିକ୍ଷୁ ଉପଗୁପ୍ତ ଉପବେଶନ କରି କେତେଜଣ ଶିଷ୍ୟଙ୍କ ସହିତ କଥାବାର୍ତ୍ତା କରୁଥିଲେ-।)

 

 

ଉପଗୁପ୍ତ—

ମୁଁ ଜାଣେ, ପୁରାଣ-ପ୍ରସିଦ୍ଧ କଳିଙ୍ଗ ଦେଶ ଏ ଦିଗରେ ହେବ ଅଗ୍ରଣୀ । ଅତି ଅଳ୍ପ ଦିନ ମଧ୍ୟରେ କଳିଙ୍ଗର ଏ ପୁଷ୍ପଗିରି ବିହାର ସମଗ୍ର ଭାରତଖଣ୍ଡରେ ସୁପ୍ରସିଦ୍ଧ ହୋଇ ଉଠିଛି । ବୌଦ୍ଧ ଧର୍ମ ପ୍ରଚାର ଓ ପାଳନରେ କଳିଙ୍ଗ ଦେଶ ଆଜି ଭାରତର ସବୁ ଦେଶକୁ ବଳି ଯାଇଛି ।

 

 

୧ମ ଶିଷ୍ୟ—

ଏ ଅହିଂସା, ସତ୍ୟ ଧର୍ମରେ ଏପରି ଏକ ମୋହିନୀ ମନ୍ତ୍ର ନିହିତ ଅଛି ଯେ ତାହା ଗୋଟିଏ ପଲକ ମଧ୍ୟରେ ମାନବ ଚିତ୍ତକୁ ଆକର୍ଷଣ କରି ଆଣୁଛି । ତା’ ଛଡ଼ା ସ୍ଵୟଂ ଗୁରୁଜୀଙ୍କର ଆଦର୍ଶ ଚରିତ୍ର ଓ ମାନବିକତାର ପ୍ରଭାବ–

 

 

ଉପଗୁପ୍ତ—

ଏବଂ ତା’ ସହିତ ତୁମ୍ଭମାନଙ୍କର ଉତ୍ସାହ, ଉଦ୍ୟମ, ପ୍ରଗାଢ଼ ନିଷ୍ଠା ଏ ଧର୍ମକୁ ଆଜି କଳିଙ୍ଗ ଭୂମିରେ ଏତେ ଜନପ୍ରିୟ କରାଇ ପାରିଛି ।

 

 

୨ୟ ଶିଷ୍ୟ—

ସ୍ଵୟଂ ଭଗବାନ ବୁଦ୍ଧଦେବଙ୍କର ଏହାହିଁ ଭବିଷ୍ୟତ୍ ବାଣୀ ଥିଲା । ଏହିତ ପୁଷ୍ପଗିରି ବିହାରରେ ତା’ର ଚାକ୍ଷୁଷ ପ୍ରମାଣ । ଏ ଧର୍ମର ଆଦି ଶିଷ୍ୟ ପ୍ରାତଃସ୍ମରଣୀୟ ତପୁସ୍ ଓ ଭଲ୍ଲିକଙ୍କ ଦ୍ଵାରା ଆନୀତ ବୁଦ୍ଧଦେବଙ୍କ ଚରଣର ନଖଶ୍ରୀ ଓ ମସ୍ତକର କେତୋଟି କେଶ ଏହାର ସଙ୍କେତ ।

 

 

ଉପଗୁପ୍ତ—

ହଁ, ଭଗବାନ ବୁଦ୍ଧଙ୍କର ସେହି ସଙ୍କେତ ହିଁ ଆଜି ଆମର ସର୍ବଶ୍ରେଷ୍ଠ ପୂଜାର ସାମଗ୍ରୀ ।

 

 

(ଜନୈକ ଶିଷ୍ୟ ପ୍ରବେଶ କଲା)

 

 

୩ୟ ଶିଷ୍ୟ—

ବୁଦ୍ଧଂ ଶରଣଂ ଗଚ୍ଛାମି ! ଗୁରୁଜୀ, ଆଜି ଏକ ବଡ଼ ଦୁଃସମ୍ବାଦ । ନରପିଶାଚ ଚଣ୍ଡାଶୋକ ସଦଳବଳେ ପୁଷ୍ପଗିରି ବିହାର ଅଭିମୁଖୀ ।

 

 

ସମସ୍ତ ଶିଷ୍ୟ—

(ଭୟ ଓ ବିସ୍ମୟରେ) ଏଁ......ନରପିଶାଚ ଚଣ୍ଡାଶୋକ !

 

 

ଉପଗୁପ୍ତ—

ଭୟର କାରଣ କିଛି ନାହିଁ ! ମନେହୁଏ–ଚଣ୍ଡାଶୋକ ଏ ବୌଦ୍ଧ ବିହାରକୁ କୌଣସି ମନ୍ଦ ଅଭିପ୍ରାୟ ଘେନି ଆସୁ ନାହାନ୍ତି ।

 

 

୩ୟ ଶିଷ୍ୟ—

ନା, ଗୁରୁଜୀ ! ଚଣ୍ଡାଶୋକ କେବେ ସତ୍-ଅଭିପ୍ରାୟ ଘେନି କେଉଁଠାକୁ ଯାଏ ନା-! କଳିଙ୍ଗ ଜାତିର ଜୀବନ୍ତ ଧୂମକେତୁ ସେ ! ହତ୍ୟା, ରକ୍ତପାତ, ଲୁଣ୍ଠନର ବୀଜ ବୁଣି ଦେଇଛି ସେ ଦେଶ ବକ୍ଷରେ । ଦେଶ ଆଜି ଶ୍ମଶାନରେ ପରିଣତ ଜାତି ସାହାସମ୍ବଳ-ହୀନ ।

 

 

୧ମ ଶିଷ୍ୟ—

ତଥାପି ଚଣ୍ଡାଶୋକର ସେ ରକ୍ତପିପାସା ମେଣ୍ଟିଲା ନାହିଁ । ଶେଷରେ ଏ ଧର୍ମସ୍ଥଳୀ ବୌଦ୍ଧବିହାର ଉପରେ ପଡ଼ିଲା ତା’ର ଲୋଲୁପ ଦୃଷ୍ଟି ।

 

 

ଉପଗୁପ୍ତ—

ପୁଷ୍ପଗିରିରେ ଲୁଣ୍ଠନ-ଉପଯୋଗୀ କୌଣସି ଦ୍ରବ୍ୟ ନାହିଁ କିମ୍ବା ହତ୍ୟା-ଉପଯୋଗୀ କୌଣସି ବ୍ୟକ୍ତି ମଧ୍ୟ ନାହାନ୍ତି । ଚଣ୍ଡାଶୋକଙ୍କର ଲୋଲୁପ ଦୃଷ୍ଟି ଏଠାରେ ପଡ଼ିବ କାହିଁକି ?

 

 

୩ୟ ଶିଷ୍ୟ—

ହିଂସାରେ ଯେ ଲକ୍ଷ୍ୟ ସାଧନ କରେ, ହତ୍ୟାରେ ଯେ ରୁଦ୍ର ଆନନ୍ଦ ପାଏ, ତାହାର ଧର୍ମ ଅଧର୍ମ, ଭଲ ମନ୍ଦର ବିଚାର ନାହିଁ ଗୁରୁଜୀ । ଧର୍ମ ଅନୁଷ୍ଠାନ ତା’ ଚକ୍ଷୁରେ ଶତ୍ରୁର ଦୁର୍ଗ ପରି–

 

 

୨ୟ ଶିଷ୍ୟ—

ଏଇତ, ସେମାନେ ଆସିଗଲେ !

 

 

(ସମସ୍ତଙ୍କ ମନରେ ଉଦ୍‍‍ବେଗ ଓ ଆଶଙ୍କାର ଶିହରଣ ଖେଳିଗଲା । ରାଜକୀୟ ପରିପାଟୀରେ ପ୍ରବେଶ କଲେ ଅଶୋକ, ସଙ୍ଗରେ ପାତ୍ର, ମନ୍ତ୍ରୀ ଏବଂ ନିଜର ପୁତ୍ର-କନ୍ୟା–ମହେନ୍ଦ୍ର ଓ ସଂଘମିତ୍ରା । ଦୁଃଖ-ଅନୁତାପର ଛାୟାରେ ଅଶୋକଙ୍କ ମୁଖମଣ୍ଡଳ ଗମ୍ଭୀର ଦିଶୁଥିଲା ।)

 

 

ଡାକ ଶୁଭିଲା—

ଦର୍ପୀ ଦର୍ପହାରୀ ସାର୍ବଭୌମ ସମ୍ରାଟ ଅଶୋକ ମହାରାଜ.....

 

 

ଅଶୋକ—

ପୁଷ୍ପଗିରି ବିହାରର ବୌଦ୍ଧଭିକ୍ଷୁ ଉପଗୁପ୍ତ ?

 

 

ଉପଗୁପ୍ତ—

ମହାରାଜଙ୍କ ସମ୍ମୁଖରେ !

 

 

ଅଶୋକ—

ମୁଁ ସମଗ୍ର ଭାରତବର୍ଷ ଘୂରି ଘୂରି ତୁମରି ନିକଟକୁ ଧାଇଁ ଆସିଛି ଉପଗୁପ୍ତ ! ତମେ ମୋର ଏ ତୃଷା ଦୂର କରି ପାରିବ !

 

 

ସଂଘମିତ୍ରା—

ହଁ ବାବା, ଏ ବଣରେ ଝରଣାର ଯେଉଁ ମଧୁର ନିର୍ମଳ ଜଳ, ଏଥିରେ ତୁମର ଭୋକ, ଶୋଷ ନିଶ୍ଚୟ ଦୂର ହୋଇପାରିବ !

 

 

ଅଶୋକ—

ଏ ଉଦରର ତୃଷା ନୁହେଁ ମା, ଝରଣା ଜଳରେ ତୃପ୍ତ ହେବ ! ମୋର ଏ ଦୁର୍ବାର କାମନା ବାସନାର ତୃଷା । ପାରିବ କି ସନ୍ନ୍ୟାସୀ ? ବିନିମୟରେ ମୁଁ ତୁମକୁ ଦେବି ଅଜସ୍ର ଧନ, ରାଜ୍ୟ, ରାଜଗାଦି !

 

 

ଉପଗୁପ୍ତ—

ସନ୍ନ୍ୟାସୀ ରାଜ୍ୟ-ଧନର କାମନା କରେନା ମହାରାଜ ! ଆପଣ ଅସ୍ଥିର ହୁଅନ୍ତୁ ନାହିଁ ! ମୋର ବିଶ୍ଵାସ–ଆପଣଙ୍କର ଏ ପ୍ରବଳ ପିପାସା ମୁଁ ସମୂଳେ ଦୂର କରିପାରିବି ।

 

 

ସଂଘମିତ୍ରା—

କିନ୍ତୁ ବାବା, ମୋର ଉଦର ତୃଷା କିପରି ଦୂର ହେବ, ତା’ର ଆଗେ ବ୍ୟବସ୍ଥା କର ! ଭାଇଙ୍କି ମଧ୍ୟ–

 

 

ମହେନ୍ଦ୍ର—

ନିଜ ଦୋଷ ପର ଉପରେ ଲଦି ଦେ’ ନା ମିତା ! ମୋତେ କାହିଁ ତୃଷା ଲାଗୁନାହିଁ । ତୁ ଯଦି ପ୍ରକୃତରେ ତୃଷାତୁରା, ଆ–ମୋ ସଙ୍ଗରେ, ନିରାପଦରେ ଝରଣା ନିକଟରେ ପହଞ୍ଚାଇ ଦେବି ।

 

 

ସଂଘମିତ୍ରା—

(ପଚାରିବା ଭଙ୍ଗୀରେ) ବାବା !

 

 

ଅଶୋକ—

ମୋର ଆପତ୍ତି ନାହିଁ ମା ! ଯାଅ, କଳିଙ୍ଗର ଏ ପ୍ରସିଦ୍ଧର ବୌଦ୍ଧ-ବିହାର ବୁଲି ଦେଖ । ଦରକାର ହେଲେ ସଙ୍ଗରେ ଜଣେ ଦୁଇଜଣ ସୈନିକ–

 

 

ମହେନ୍ଦ୍ର—

ଏ ଶତ୍ରୁ ଶିବିର ନୁହେଁ ବାବା ! ତାହାଛଡ଼ା ମୋ କଟିରେ ଅଛି ଶାଣିତ ତରବାରି-! ଆ’ ମିତା–

 

 

(ସଂଘମିତ୍ରା ଓ ମହେନ୍ଦ୍ର ପ୍ରସ୍ଥାନ କଲେ)

 

 

ଉପଗୁପ୍ତ—

ମହାରାଜ ! କାମନାର ବିନାଶରେ ଶାନ୍ତି, ମୁକ୍ତି, ନିର୍ବାଣ । କାମନାତୁର ବ୍ୟକ୍ତିର ସୁଖଶାନ୍ତି, ନାହିଁ । ମୁଁ ସ୍ପଷ୍ଟ ଦେଖି ପାରିଛି–ଆପଣଙ୍କ ଅନ୍ତରରେ କାମନାର ଦାବାନଳ ଦାଉ ଦାଉ ହୋଇ ଜଳୁଛି । ସେହି କାରଣରୁ ଆପଣଙ୍କର ଏ ରାଜ୍ୟଲୋଭ, ହିଂସା, ରକ୍ତପାତ ?

 

 

ଅଶୋକ—

ବୁଝୁଛି ସନ୍ନ୍ୟାସୀ ! ତେବେ ମାନବ କି ସମ୍ପୂର୍ଣ୍ଣ କାମନାଶୂନ୍ୟ ହୋଇପାରେ ?

 

 

ଉପଗୁପ୍ତ—

ଅସମ୍ଭବ ନୁହେଁ ମହାରାଜା । ତା’ର ଉପାୟ ମୁଁ ଆପଣଙ୍କୁ ବତାଇ ଦେଇ ପାରିବି ! ଆପଣ ଆତ୍ମ-ବିଶ୍ଵାସ ପୋଷଣ କରନ୍ତୁ !

 

 

ଅଶୋକ—

ପାରିବ, ପାରିବ ଉପଗୁପ୍ତ ? ତେବେ ଦିଅ ମୋତେ ସେହି ମନ୍ତ୍ରଦୀକ୍ଷା । ହତ୍ୟାର ବିଭୀଷିକା ଦେଖୁ ଦେଖୁ ଚକ୍ଷୁ ମୋର ଅବସନ୍ନ, ମନ ମୋର ଭାରାକ୍ରାନ୍ତ । ଆଜି ଏ ଦେବଭୂମି କଳିଙ୍ଗ ଦେଶ ମୋର ମନଶ୍ଚକ୍ଷୁ ଉନ୍ମୋଚିତ କରିଛି । ଜୀବନର ଏକ ଅଶୁଭ ମୁହୂର୍ତ୍ତର ବଶବର୍ତ୍ତୀ ହୋଇ ମୁଁ ଜଘନ୍ୟ ହିଂସା-ପାପ ଆଚରଣ କରି ପକାଇଛି । ସେଥିପାଇଁ ମୁଁ ଅନୁତପ୍ତ । ଏବେ ମୋତେ ଶାନ୍ତିର ସରଣୀ ଦେଖାଇ ଦିଅ ସନ୍ନ୍ୟାସୀ, ମୁକ୍ତିର ସଦୁପାୟ ବତାଇ ଦିଅ । ଚଣ୍ଡାଶୋକ ନାମର ଘୃଣ୍ୟ କଳଙ୍କ ଦୂରୀଭୂତ କର !

ଉପଗୁପ୍ତ—

ପ୍ରକୃତ ଅନୁତପ୍ତ ବ୍ୟକ୍ତିହିଁ ମୁକ୍ତି-ପିପାସୀ । ମହାରାଜାଙ୍କ ଅନ୍ତରର ଦାବଦାହ ଦୂରୀଭୂତ କରି ପାରିବ–ଏ ଭରସା ମୋର ଅଛି । ଆସନ୍ତୁ ମହାରାଜ, ଆଜି ଏ ଅଭିନବ ମାନବିକ ଧର୍ମସ୍ପର୍ଶରେ ଆପଣଙ୍କର ରୂପାନ୍ତର ହେଉ ! ଶାନ୍ତିର ମନ୍ତ୍ର ଉଚ୍ଚାରଣ କରି, ଅହିଂସାର ବ୍ରତ ଗ୍ରହଣ କରି, ଆପଣ ଆଜି ହୁଅନ୍ତୁ ବୁଦ୍ଧ, ଜିତେନ୍ଦ୍ରିୟ । ଚଣ୍ଡାଶୋକ ପରିଣତ ହେଉନ୍ତୁ ଧର୍ମାଶୋକରେ–ଏହା ହିଁ ଭଗବାନ ବୁଦ୍ଧଙ୍କର ସ୍ଵର୍ଗୀୟ ଆଶୀର୍ବାଦ ! (ଏତିକିବେଳେ ବାହୁଡ଼ି ଆସିଲେ ସଂଘମିତ୍ରା ଓ ମହେନ୍ଦ୍ର)

ସଂଘମିତ୍ରା—

ବାବା ! ତୃଷା ତୁମର ମେଣ୍ଟି ଯାଇଛି ତ ! ଏବେ ଚାଲ ଶିବିରକୁ ବାହୁଡ଼ି ଯିବା !

ଅଶୋକ—

ତୃଷା ମେଣ୍ଟିଲା ପରେ ଆଉ କ’ଣ ସେଠାକୁ ଯାଇ ପୁଣି ତୃଷା ବଢ଼େଇବି ମା ? ଯାଉ ରାଜ୍ୟ, ଯାଉ ରାଜଗାଦି, ତା’ର ବିଷମୟ ଫଳ ବହୁଦିନ ଭୋଗିଲି, ଆଉ ନୁହେଁ । ଏଣିକି ଜୀବନରେ ମୁଁ ଚାହେଁ ଶାନ୍ତି, ମୁକ୍ତି, ନିର୍ବାଣ !

 

 

ସଂଘମିତ୍ରା—

ବାବା ! ଏ ବାବାଜି ଠାକୁରେ ତୁମକୁ କି ମନ୍ତ୍ର ଦେଲେ କି, ଏପରି କଥାଗୁଡ଼ା କହୁଛ । ଛି, ସେ ସବୁ ପାଗଳାମି ଛାଡ଼ । କଳିଙ୍ଗ ବିଜୟ ତ ସରିଲା, ରାଜ୍ୟକୁ ଚାଲ ଫେରିଯିବା । ତେଣେ ମା’ ବଡ଼ ଅସ୍ଥିର ହେଉଥିବେ ।

 

 

ଅଶୋକ—

ଏହି ତ ଆମର ରାଜ୍ୟ ! ଏ ରାଜ୍ୟର ମହିମା ତୁ ଜାଣୁନା ମା’ ! ଏଇଠି ଆମେ ରହିବା ! ଏଇ ଦେଶରେ ଆମ୍ଭେ ଆରମ୍ଭ କରିବା ଆମର ନୂତନ ଜୀବନ । ଏ ବଣର ଫଳ-ମୂଳ ଖାଇ, ଏଇ ଝରଣାର ପାଣି ପିଇ, ତୁ ଏଇଠି ଖେଳିବୁ ବୁଲିବୁ-!

 

 

ସଂଘମିତ୍ରା—

କିନ୍ତୁ ଭାଇ ସିନା ରାଜି ହେଲେ–

 

 

ମହେନ୍ଦ୍ର—

ନା ବାବା ! ମୋର ଏଥିରେ ତିଳେହେଲେ ଆପତ୍ତି ନାହିଁ ।

 

 

ଅଶୋକ—

ବେଶ୍ ! ଆସ ତେବେ, ସନ୍ନ୍ୟାସୀ ଗୁରୁ ଆମକୁ ଅପେକ୍ଷା କରି ରହିଛନ୍ତି । ତାଙ୍କ ବିହାରରେ ଆମେ ଆଜି ଅତିଥି ।

 

 

(ସମସ୍ତେ ପ୍ରସ୍ଥାନ କଲେ)

 

 

ପଟ୍ଟ ପରିବର୍ତ୍ତନ–

 

 

(ପ୍ରବେଶ କଲେ ଇତିହାସ ଧୀରେ ଧୀରେ, ତାଙ୍କ ପଛରେ ବୃଦ୍ଧ ଧଉଳିଗିରି)

 

 

ଇତିହାସ—

ଏ କେବଳ ଗୋଟିଏ ଛିନ୍ନ ପୃଷ୍ଠା ମାତ୍ର । ବୁଝିଲ ଧଉଳି, ଏ ଜାତିର ଇତିହାସରେ ପ୍ରତି ପୃଷ୍ଠା ଏହିପରି ଗୌରବ-ଦୀପ୍ତ, ମହୀୟାନ୍‍ । ଏହିପରି ଉତ୍‍ଥାନ ପତନ ମଧ୍ୟ ଦେଇ ଓଡ଼ିଆ ଜାତି ତା’ର ସଂସ୍କୃତି, ସଭ୍ୟତା ଗଢ଼ି ଆଣିଛି ଯୁଗ ଯୁଗ ଧରି । ଚଣ୍ଡାଶୋକ ପରି କେତେ କେତେ ପ୍ରଳୟର ଧୂମକେତୁ ଏହି ଗଗନରେ ଦେଖା ଦେଇଛି, ପୁଣି ସଙ୍ଗେ ସଙ୍ଗେ ହୋଇଛି ତା’ର ବିଲୟ । ଧ୍ଵଂସର ତାଣ୍ଡବ ଲୀଳା ପରେ ପରେ ଶୁଣାଯାଇଛି ନବ ସୃଷ୍ଟିର ମଧୁର ରାଗିଣୀ ।

 

 

ଧଉଳି—

କିନ୍ତୁ ଦେଶ ବକ୍ଷରେ ଆଜି ଯେଉଁ ଧୂମକେତୁର ଆବିର୍ଭାବ ହୋଇଛି, ତାହା କେବେ କି ବିଲୟ ଭଜିପାରେ ବନ୍ଧୁ ? ଧର୍ମ ଆଜି ହୀନପ୍ରଭ–ଶାନ୍ତି, ପ୍ରୀତି ଅବଲୁପ୍ତ–ଜନସମାଜ ମଧ୍ୟରେ ଈର୍ଷା, ଦ୍ଵେଷ, ବାଦ ବିସମ୍ବାଦ କାଳକୂଟ ବିଷ ପରି ସଞ୍ଚାରିତ ହେଉଛି । ଲାଞ୍ଚ, ମିଛ, ଛଳନା, ଭଣ୍ଡାମି ମାନବର ପବିତ୍ର ଜୀବନକୁ ଦୂଷିତ କରି ପକାଇଲାଣି । ଏ ନବ-ଲବ୍‍ଧ ସ୍ଵାଧୀନତା ଆଜି ସ୍ଵେଚ୍ଛାଚାରରେ ପରିଣତ ହୋଇଛି । ଏ ପତନର କି ଉତ୍‍ଥାନ ଅଛି ବନ୍ଧୁ ?

 

 

ଇତିହାସ—

ଧୈର୍ଯ୍ୟହୀନ ହୁଅନା ଧଉଳି ! ରାତ୍ରି ପରେ ପ୍ରଭାତ ହେବ । ଆଜିର ଏ ଅଶୁଭ ଅମାନ୍ଧକାର କ୍ଷଣସ୍ଥାୟୀ ମାତ୍ର । ଆସ, ଆମେ ଆମର କର୍ତ୍ତବ୍ୟ କରିଯିବା । ନିଜର ଶକ୍ତି ଅନୁସାରେ ଏ ସୁପ୍ତ, ହୀନବୀର୍ଯ୍ୟ ଜାତିକୁ ଉଦ୍‍‍ବୋଧନ ବାଣୀ ଶୁଣାଇ ଜାଗ୍ରତ କରିବା ! ଗାଅ–ମୋ କଣ୍ଠ ସହିତ କଣ୍ଠ ମିଳାଇ ଥରେ ଗାଅ–

 

 

ଉତ୍ତିଷ୍ଠତ ! ଜାଗ୍ରତ ! ପ୍ରାପ୍ୟ ବରାନ୍‍ ନିବୋଧତ !! (ନିଷ୍କ୍ରାନ୍ତ)

✽✽✽

 

ଏମ୍‍: ଏଲ୍‍: ଏ:

 

[ଏମ୍‍: ଏଲ୍‍: ଏ: ମଧୁବାବୁଙ୍କର ବୈଠକଖାନା–କାନ୍ଥରେ ଗାନ୍ଧୀ, ଗୋପବନ୍ଧୁ ପ୍ରଭୃତିଙ୍କର ବଡ଼ ବଡ଼ ଫଟୋ ଟଙ୍ଗା ହୋଇଛି । ଟେବୁଲ୍‍ ଉପରେ ଫାଇଲ୍‍ ପତ୍ର, ଖବରକାଗଜ । ଘରର ଗୋଟିଏ କଡ଼କୁ ଖଣ୍ଡିଏ ଲମ୍ବା ବେଞ୍ଚରେ ୪ ଜଣ ଲୋକ ମଧୁବାବୁଙ୍କୁ ଦେଖା କରିବା ଲାଗି ଅପେକ୍ଷା କରି ବସିଛନ୍ତି । ମୁହଁରେ ବ୍ୟସ୍ତତା । ସମୟ ସକାଳ ପ୍ରାୟ ସାତଟା]

 

 

୧ମ ବ୍ୟକ୍ତି—

(ବିରକ୍ତି ସହ) ଆଉ କେତେ ସମୟ ଏଠି ଅପେକ୍ଷା କରିବା ହେ ?

 

 

୨ଯ—

ତେଣେ ମୋର ସବୁ କାମ ଛାଡ଼ି ଭୋଅରୁ ଭୋଅରୁ ବାହାରି ଆସିଲି ଯେ, ଲାଭଟା କ’ଣ ହେଲା ? ସକାଳୁ ସକାଳୁ ଦୋକାନରେ କିଛି ବିକ୍ରିବଟା କରି ଆଠଟା ବାସ୍‍‍ରେ ଆସିଥିଲେ, ବରଂ ଭଲ ହୋଇଥାନ୍ତା ।

 

 

୩ୟ—

ରହ, ରହ, ଭୋଟ୍‍ ଦେଇ ଏମ୍‍: ଏଲ୍‍: ଏ: ବାଛିଚ, ଏତେ ବ୍ୟସ୍ତ କାହିଁକି ? ଏମ୍‍: ଏଲ୍‍: ଏ: ସାହେବଙ୍କର ଦର୍ଶନ ମିଳିବା କ’ଣ ସହଜ କଥା ?

 

 

୧ମ—

ସେଦିନର ସେ ଭୋଟ୍‍-ଭିକାରି ମଧୁ ମହାନ୍ତି, ଆଉ ଆଜିର ଏମ୍‍: ଏଲ୍‍: ଏ: ମଧୁବାବୁ–ଦୁହିଁଙ୍କୁ ତୁଳନା କଲ ଦେଖି !

 

 

୪ର୍ଥ—

ଆରେ, ବାହାଘର ସରିଲେ ବେଦୀମୁହଁ ପୋଡ଼ା । ୟା ସଚରାଚର ଘଟୁଛି । ଝାଡ଼ାତଲବ ବେଳର ବ୍ୟସ୍ତତା ପାଣି ସାରିଲା ବେଳକୁ କି ଥାଏ ?

 

 

(ଚାକର ଚଣ୍ଡୀ ପହଞ୍ଚି ଟେବୁଲ୍‍-ଚେୟାର ଝାଡ଼ିବାକୁ ଲାଗିଲା)

 

 

୩ୟ—

(ଚଣ୍ଡୀ ପ୍ରତି) ଆରେ, ତମ ବାବୁ କାହାନ୍ତି ?

 

 

ଚଣ୍ଡୀ—

ପାଇଖାନା ଯାଇଥିଲେ ଆଜ୍ଞା ।

 

 

୩ୟ—

ଓହୋ, ସକାଳ ଛ’ଟାରୁ ବାବୁ ପାଇଖାନା ଯାଇଛନ୍ତି– ଆସି ଆଠଟା ବାଜିଲାଣି ।

 

 

୧ମ—

ଘଣ୍ଟା ଘଣ୍ଟା ଧରି ବାବୁ ପାଇଖାନା କରୁଛନ୍ତି ! ବଡ଼ ଆଶ୍ଚର୍ଯ୍ୟ କଥା !

 

 

୪ର୍ଥ—

ମୁଖ୍ୟମନ୍ତ୍ରୀ ସକାଳୁ ପାଇଖାନା ଭିତରେ ବସି ପ୍ରତିଦିନ ଖବରକାଗଜ ପଢ଼ା ସାରି ଦିଅନ୍ତି । ଆମ ଏମ୍‍: ଏଲ୍‍: ଏ: ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କି ଅନୁକରଣ କରୁଛନ୍ତି ।

 

 

୨ୟ—

ମଧୁବାବୁ ତା’ହେଲେ ଦିନେ ମନ୍ତ୍ରୀ ହୋଇପାରନ୍ତି । ଭଗବାନ କରନ୍ତୁ ! ଆମ ଭଳି ପେଟ୍ଟି ବ୍ୟବସାୟୀଙ୍କର ଦୁଃଖ ଯାଉ !

 

 

୩ୟ—

ବହୁତ ବଡ଼ ବଡ଼ କଥା ଆଗକୁ ଭାବି ଯାଉଛ ମହାଜନେ । ହଉ, ବର୍ତ୍ତମାନ କର୍ତ୍ତବ୍ୟ କ’ଣ କହ ! ବସିବା–ନା ଖସିବା !

 

 

୧ମ—

(ଚଣ୍ଡୀ ପ୍ରତି) ଆରେ, ବାବୁଙ୍କୁ ଖବର ଦେଇଥିଲୁ–ଆମେ ସବୁ ଅପେକ୍ଷା କରିଛୁଁ ବୋଲି ?

 

 

ଚଣ୍ଡୀ—

ଖବର ତ ଦେଇଥିଲି ଆଜ୍ଞା । ଆଉଥରେ ଯାଇ କହେଁ ।

 

 

(ଭିତରକୁ ଚାଲିଗଲା)

 

 

୨ୟ—

ଏମ୍‍: ଏଲ୍‍: ଏ: ହେଲା ପରେ ମଣିଷ ବେଶ୍‍ ଆରାମରେ ରହେ ଦେଖୁଛି । ଟଙ୍କା ପଇସାର ତ ଅଭାବ ନାହିଁ ! ପୁଣି ନିର୍ବାଚନମଣ୍ଡଳୀର ହଜାର ହଜାର ଲୋକ ତାଙ୍କ ହାତ ମୁଠାରେ–

 

 

(ଏମ୍‍: ଏଲ୍‍: ଏ: ତରବର ହୋଇ ପ୍ରବେଶ କଲେ–କାନ୍ଧରେ ତଉଲିଆ –ବାଁ ହାତରେ ଦର୍ପଣ–ଡାହାଣ ହାତରେ ସେଫ୍‍ଟି ରେଜର୍‍–ମୁହଁର ଗୋଟିଏ ପାଖ ଦାଢ଼ି ଖିଅର ହୋଇଛନ୍ତି–ଆଉ ଗୋଟିଏ ପାଖ ସାବୁନ ଦିଆ ହୋଇ ସିମିତି ରହିଛି)

 

 

ମଧୁ—

ହଁ, ମୋତେ ବରାବର ଲୋକମାନଙ୍କ ହାତମୁଠାରେ ରହିବାକୁ ପଡ଼ିବ । ଏ ଅଞ୍ଚଳର ଲୋକ-ପ୍ରତିନିଧି ଯେତେବେଳେ–

 

 

୪ ଜଣଯାକ—

(ଉଠି ପଡ଼ି) ନମସ୍କାର–ନମସ୍କାର ଆଜ୍ଞା !

 

 

ମଧୁ—

ନମସ୍କାର । ବସନ୍ତୁ–ବସନ୍ତୁ ! (ମଧୁବାବୁଙ୍କ ସମେତ ସମସ୍ତେ ବସିଲେ) ମୋର ଟିକିଏ ଡେରି ହୋଇଗଲା । ପ୍ରତିଦିନ ସକାଳୁ ନିଜର କେତେକ ନିତ୍ୟ-ନୈମିତ୍ତିକ କାର୍ଯ୍ୟ ସାରିବା ଲାଗି ମୋର ଘଣ୍ଟାଏ ଦି’ଘଣ୍ଟା ସମୟ ଦରକାର । ପାଇଖାନା, ଦାନ୍ତଘଷା କିବା ଖିଅର ହେବା ଆଦି ବାସିକାମ ତ ରହିଛି ! ତା’ ଛଡ଼ା ଆସନ-ପ୍ରାଣାୟମ, ପ୍ରାର୍ଥନା-ଉପାସନା ଲାଗି–

୧ମ—

ଆପଣ, ନିଇତି ନିଇତି ଆସନ-ପ୍ରାଣାୟମ ବି କରନ୍ତି !

ମଧୁ—

ହଁ, ୧୯୪୨ ମସିହାରେ ଜେଲ୍‍‍ରେ ଥିବା ସମୟରେ ଆରମ୍ଭ କରିଥିଲି, ଅଭ୍ୟାସଟା ଏପର୍ଯ୍ୟନ୍ତ ରହି ଯାଇଛି ।

୩ୟ—

ସେଇଥି ଲାଗି ଆପଣ ଦରବୁଢ଼ା ହୋଇ ବି ଟୋକା ଭଳି ଦେଖା ଯାଉଛନ୍ତି । (ସମସ୍ତେ ହସି ଉଠିଲେ)

୨ୟ—

ପୁଣି ଏ ପ୍ରାର୍ଥନା-ଉପାସନାର ମୂଲ୍ୟ କ’ଣ କମ୍‍ ! ଆପଣଙ୍କ ଭଳି ଧର୍ମପରାୟଣ ବ୍ୟକ୍ତି କେବଳ–

ମଧୁ—

ଛାଡ଼ନ୍ତୁ ସେ କଥା ! ଆପଣମାନେ କାହିଁକି ଆସିଥିଲେ କହନ୍ତୁ !

୨ୟ—

ମୋର ବ୍ୟବସାୟ ଏକବାର୍‍ ଅଚଳ ଆଜ୍ଞା । କିରୋସିନି ତେଲ ତ ମିଳୁ ନାହିଁ । ସୁଜି-ମଇଦା ଆଖିରେ ଦେଖିବା ସାତ ସପନ ହେଲାଣି । ଲୁଚାଚୋରାରେ ଯାହା ମିଳୁଛି ।

 

 

ମଧୁ—

ସେଥିପାଇଁ ଆପଣ ସପ୍ଲାଇ ଅଫିସିକି ଯାଆନ୍ତୁ ! ଗାଁ ଗହଳର ପ୍ରତ୍ୟେକ ଖୁଚୁରା ବ୍ୟବସାୟୀଙ୍କ ଲାଗି ସୁଜି-ମଇଦା କିବା କିରୋସିନିର କୋଟା ନିଶ୍ଚୟ ଥିବ ।

 

 

୨ୟ—

ସେ ଅଢ଼େଇସେରିଆ ପାଞ୍ଚସେରିଆ କୋଟା ମୋର ଦର୍କାର ନାଇଁ । ଏତେ ବଡ଼ ପାଟପୁର ଅଞ୍ଚଳ ଲାଗି ତାହା ଓଟ ମୁହଁକୁ ଜିରାଟିଏ ଭଳି । ତା’ଛଡ଼ା ସପ୍ଲାଇ ଅଫିସ୍‍‍ରେ ଦଶ-ପଚିଶ୍‍ ଦାନ-ଦକ୍ଷିଣା ଦେଲା ବେଳକୁ ଆମ ପ୍ରାଣ ଛାଡ଼ି ଯାଉଛି ଆଜ୍ଞା ।

 

 

୪ର୍ଥ—

ସପ୍ଲାଇ ଅଫିସିକି ପ୍ରଥମେ ଆଙ୍ଗୁଳି ଦେଖେଇଛ ତମେ, ବର୍ତ୍ତମାନ ବାହା ପର୍ଯ୍ୟନ୍ତ ଗିଳିଲା ବେଳକୁ ଆପତ୍ତି କରୁଛ କାହିଁକି ?

 

 

୧ମ—

ଲାଞ୍ଚ-ଘୁସ୍‍ ଆଜିକାଲି ଚାରିଆଡ଼େ–ସବୁ ବିଭାଗରେ ! ତାକୁ ବନ୍ଦ କରିବ କିଏ ? ସରକାର ଯଦି କିଛି ଆଇନ୍‍ କରି–

 

 

ମଧୁ—

ଲାଞ୍ଚ-ଘୁସ୍‍ ଆଇନ୍‍ ଦ୍ଵାରା ବନ୍ଦ ହେବ ? ଆପଣ ମୋତେ ହସେଇଲେ । ଆପଣମାନଙ୍କର ବୋଧହୁଏ ଧାରଣା–ଆଇନ୍‍ ଦ୍ଵାରା ଚତୁର୍ବର୍ଗ ଫଳ ମିଳିପାରେ-। ଆସେମ୍ଲିରେ ଶହେ ଦେଢ଼ ଶହ ଏମ୍‍: ଏଲ୍‍: ଏ: ବସି କେତେ ଆଇନ୍‍ କରୁଛନ୍ତି-। ଲୋକେ ଯଦି ତାହା ସବୁ ମାନି ଚଳୁଥାନ୍ତେ, ତା’ହେଲେ ଆଜି ଆଉ ଏତେ ଗୋଳମାଳ ନ ଥାନ୍ତା !

 

 

୩ୟ—

ସତ କଥା । ଜନସାଧାରଣ ଆଇନ୍ ନ ମାନିଲେ ସରକାରଙ୍କର ଆଉ ଚାରା କ’ଣ ?

 

 

ମଧୁ—

ଲାଞ୍ଚ ନେବା-ଲୋକ ଓ ଦେବା ଲୋକ ଉଭୟେ ଯଦି ସଚେତନ ନ ହୁଅନ୍ତି–ଯେ ସେମାନେ ଏକ ଭୁଲ୍ କାମ କରୁଛନ୍ତି, ତା’ହେଲେ ଏ ଲାଞ୍ଚ-ଘୁସ୍‍ କଦାପି ବନ୍ଦ ହୋଇପାରିବ ନାହିଁ । ମୋ ମତରେ ଯେ ଲାଞ୍ଚ ନିଏ, ସେ ତ ସହଜେ ଦୋଷୀ ! ଆଉ ଯେ ଲାଞ୍ଚ ଦିଏ, ସେ ବି ସମାନ ପରିମାଣରେ ଦୋଷୀ । ପାପ କରିବା ଓ ପାପ କରିବାକୁ ପ୍ରଶୟ ଦେବା ଏକା କଥା ।

 

 

୨ୟ—

କେତେକ ସ୍ଥାନରେ କିଛି କିଛି ଲାଞ୍ଚ-ଘୁସ୍‍ ନ ଦେଲେ, କାମ ଚଳୁ ନାହିଁ ବାବୁ ।

 

 

ମଧୁ—

ଲାଞ୍ଚ ଦେଇ କରି ବି ଆପଣଙ୍କର କାମ ଯେ ଅଚଳ ରହୁଛି–ସେ କଥା ବୁଝିପାରୁ ନାହାନ୍ତି । ନୋହିଲେ ଆପଣ ମୋ ପାଖକୁ ଆଜି ଆସିଥାଆନ୍ତେ କାହିଁକି ?

 

 

୨ୟ—

ଯା’ ହେଉ, ସପ୍ଲାଇ ଇନ୍‍ସପେକ୍ଟର୍‍ଙ୍କ ସହିତ ଆପଣଙ୍କର ଭଲ ଜଣାଶୁଣା ଅଛି, ଆପଣ ତାଙ୍କୁ ଟିକିଏ ମୋ ବିଷୟରେ ଲେଖି ଦିଅନ୍ତୁ ।

 

 

ମଧୁ—

(କିଛି କ୍ଷଣ ଚିନ୍ତା କରି) ଲେଖିବି ଆଉ କ’ଣ ? ଦେଖା ହେଲେ, ତାଙ୍କୁ ଆପଣଙ୍କ ବିଷୟ କହିବି । ଆପଣଙ୍କ ନାମ ମୁଁ ଲେଖି ରଖୁଛି, ଆପଣ ବର୍ତ୍ତମାନ ଆସନ୍ତୁ । (୨ୟ ବ୍ୟକ୍ତି ନମସ୍କାର କରି ଚାଲିଗଲେ–ମଧୁବାବୁ ତାଙ୍କ ନାମ ଲେଖିଲା ବେଳେ ଟେବୁଲ୍ ଉପରେ ଥିବା ଦର୍ପଣରେ ଦୃଷ୍ଟି ପଡ଼ିଗଲା) ଆରେ, ଅଧା ଖିଅର ହୋଇ ସିମିତି ରହିଛି ।

 

 

(ତଉଲିଆରେ ମୁହଁ ପୋଛି ପକେଇଲେ)

 

 

୧ମ—

ଆପଣ ଯାଆନ୍ତୁ, ନିତ୍ୟକର୍ମ ସାରି ଆସନ୍ତୁ ! ଆମେ ପଛେ ଏଠି ଅପେକ୍ଷା କରୁଛୁଁ-

 

 

ମଧୁ—

ନା, ନା, ଆପଣମାନେ ୫ / ୬ ମାଇଲ ଦୂରରୁ ଆସିଛନ୍ତି, ଆଗେ ଆପଣମାନଙ୍କ କାମ ଶେଷ କରିଦିଏଁ ।

 

 

୧ମ—

(୪ର୍ଥ ପ୍ରତି) ନିରଞ୍ଜନ ବାବୁ, ତମ କାମଟା ଆଗେ ସାରି ନିଅ ! ଆମର ବଡ଼ ବଡ଼ କଥା ପଛକୁ ଥାଉ !

 

 

୪ର୍ଥ—

(ମଧୁବାବୁ ପ୍ରତି) ମୋତେ ଆଜ୍ଞା ଚିହ୍ନି ପାରୁଛନ୍ତି ?

 

 

ମଧୁ—

ନିରଞ୍ଜନ ଦାଶଟି ! ମଲା, ତମ କଥା ମୁଁ ଭୁଲିଯିବି ? ଭୋଟ୍ ସମୟରେ ମୋତେ ଏତେ ସାହାଯ୍ୟ କରିଛ–ଭୁଲିବା କ’ଣ ସହଜ ।

 

 

୪ର୍ଥ—

ଭୁଲିଯାଇ ନ ଥିଲେ, ଆମେ କ’ଣ ଆଜି ଏଇ ଅବସ୍ଥାରେ ପଡ଼ି ଥାଆନ୍ତୁ ?

 

 

ମଧୁ—

କି ଅବସ୍ଥା ? ବର୍ତ୍ତମାନ କ’ଣ କରୁଛ ?

 

 

୪ର୍ଥ—

ତୁଚ୍ଛାଟାରେ ଘରେ ବସିଛି । ଦୁଇ ଦୁଇ ଥର ପରୀକ୍ଷା ଦେଇ ଆଇ: ଏ: ଖଣ୍ଡକ ପାସ୍ କରିପାରିଲି ନାହିଁ । ବର୍ତ୍ତମାନ ବେକାର ।

 

 

ମଧୁ—

ବଡ଼ ଦୁଃଖର କଥା ! କୌଣସିଠିଁ କିଛି ବ୍ୟବସ୍ଥା କରିପାରୁ ନାହଁ ?

 

 

୪ର୍ଥ—

ନା, ସେଥିପାଇଁ ଆପଣଙ୍କ ଉପରେ ଭରସା କରି ଆସିଥିଲି–

 

 

ମଧୁ—

ଏ ତ ମୁସ୍କିଲ କଥା ! ମୁଁ ତମ ଲାଗି କି ବ୍ୟବସ୍ଥା କରିପାରିବି କହିଲ ? ମୁଁ ଚାକିରି ସୃଷ୍ଟି କରିପାରିବି, ନା ଆର୍ଥିକ ସାହାଯ୍ୟ ଦେଇ ଚଳାଇ ପାରିବି ? ଶୁଣୁଛ ନିରଞ୍ଜନ, ତମ ଭଳି ଶିକ୍ଷିତ ଲୋକ ଯଦି ମୋ ଅବସ୍ଥା ନ ବୁଝିବ, ତା’ହେଲେ ମୋ’ର ଆଉ ଉପାୟ କ’ଣ ! ଜନସାଧାରଣଙ୍କ ଧାରଣା–ଏମ୍: ଏଲ୍: ଏ: ମାନେ ସବୁ କିଛି ପାରନ୍ତି– ନିର୍ବାଚନ ମଣ୍ଡଳୀ ଉପରେ ଘିଅ-ମହୁ ବରଷି ଦେଇ ପାରନ୍ତି–ଲୋକମାନଙ୍କୁ ଏକାବେଳେ ସ୍ଵର୍ଗସୁଖ ଆଣି ଦେଇ ପାରନ୍ତି ।

 

 

୪ର୍ଥ—

ସେ କଥା ନୁହେଁ ଆଜ୍ଞା । ମୁଁ ଆପଣଙ୍କୁ ଆଦୌ ବ୍ୟସ୍ତ କରିବାକୁ ଚାହୁଁ ନାଇଁ । ମୋ ନିଜ କଥା ମୁଁ ବ୍ୟବସ୍ଥା କରୁଛି । ଆପଣ ଖାଲି ଟିକିଏ—

 

 

ମଧୁ—

କ’ଣ କେଉଁଠି କିଛି ଅନୁସନ୍ଧାନ କରିଛ ?

 

 

୪ର୍ଥ—

ଆମ ପାଟପୁର ପଞ୍ଚାୟତର ସେକ୍ରେଟେରୀ ଚାକିରିଟା–

 

 

ମଧୁ—

ସେଠି ପରା ଶ୍ରୀଧର ବିଶ୍ଵାଳ ସେକ୍ରେଟେରୀ ଅଛନ୍ତି !

 

 

୪ର୍ଥ—

ହିଁ ଆଜ୍ଞା, ସେ କିନ୍ତୁ ସେ ଦଳର ଲୋକ । ସବୁ କାମ ତାଙ୍କ ଦଳର ସ୍ଵାର୍ଥ ଦୃଷ୍ଟିରୁ କରୁଛନ୍ତି ।

 

 

ମଧୁ—

କିନ୍ତୁ ତାଙ୍କ ନାମରେ କିଛି ଆପତ୍ତି ଅଭିଯୋଗ ନାହିଁ । ବିନା ଦୋଷରେ ତାଙ୍କୁ କିପରି ସେଠୁ ତଡ଼ି ଦିଆଯିବ ? ନା, ସେ କଥା ହେବ ନାହିଁ । ଅନ୍ୟ ବ୍ୟବସ୍ଥା କିଛି ଦେଖ !

 

 

୪ର୍ଥ—

ତା’ହେଲେ.....ହଁ, ଏ ଅଞ୍ଚଳରେ ପବ୍ଲିସିଟି ଓ୍ୟାର୍କର୍ ବର୍ତ୍ତମାନ କେହି ନାହାନ୍ତି । ଆପଣ ଯଦି ଦୟାକରି ମୋ ବିଷୟରେ ଥରେ ଚେଷ୍ଟା କରନ୍ତେ–

 

 

ମଧୁ—

ହଁ, ସେ ବ୍ୟବସ୍ଥା କରାଯାଇ ପାରେ । ତମେ ସେଇ କାମକୁ ଭଲ ପାରିବ । ମୁଁ ବୁଝିବି ସେ ବିଷୟ । ତମ କଥା ମୋର ମନେ ରହିଲା ।

 

 

୪ର୍ଥ—

ମୁଁ ତେବେ ଆସୁଛି ଆଜ୍ଞା ।

 

 

ମଧୁ—

ହଉ ଆସ ! ଗାଁରେ ଯୁବକ-ସଂଘ ଭଲ ଭାବରେ ଚଳାଉଥିବ । ମୁଁ ଏହା ଭିତରେ କେବେ ଥରେ ସେଆଡ଼େ ଯିବି ।

 

 

(ନମସ୍କାର କରି ୪ର୍ଥ ବ୍ୟକ୍ତି ଜଣକ ପ୍ରସ୍ଥାନ କଲା)

 

 

୩ୟ—

ଆମ ଆଡ଼େ ଆଉ କେବେ ଆପଣଙ୍କ ପାଦ ପଡ଼ିଲା ନାଇଁ ଆଜ୍ଞା । ସେଇ ଯାହା ଭୋଟ୍ ସମୟରେ ଦି’ବର୍ଷ ତଳେ ଯାଇଥିଲେ–

 

 

ମଧୁ—

କାହିଁକି ? ଏଇ ଗତ ଦୋଳ ସମୟରେ ତ ଯାଇଥିଲି । ସାଙ୍ଗରେ ଥିଲେ ବି: ଡି: ଓ : । ଚିତଳ ନଈରେ କିପରି ପୋଲ ହୋଇପାରିବ, ଦେଖିବାକୁ ଯାଇଥିଲି । ଏପଟରୁ ରାସ୍ତାଟା ଏକବାର୍ ନଈ ପର୍ଯ୍ୟନ୍ତ ଚାଲିଗଲାଣି । ବାକି ସେ ପଟରୁ ଆପଣଙ୍କ ଗାଁ ପର୍ଯ୍ୟନ୍ତ ଅଧ ମାଇଲିଏ ରାସ୍ତା ବନ୍ଧାଇ ଦେଲେ, ସରକାରଙ୍କ ତରଫରୁ ନଈ ଉପରେ ମଜବୁତ୍ ପୋଲଟାଏ କରି ଦିଆଯିବ ।

 

 

୧ମ—

ସେଇ କଥା ତ ପଡ଼ିଛି ଆଜ୍ଞା । ବର୍ତ୍ତମାନ ଅଧ ମାଇଲିଏ ରାସ୍ତା । କିଏ କିମିତ କରିବ ! ଗାଁରେ ଦୁଇ-ତିନିଟା ଦଳ । ଦଳେ କହୁଛନ୍ତି–ଗାଁର ପୂର୍ବ ଦିଗରୁ ରାସ୍ତା ବାହାରୁ ! ଆଉ ଦଳେ କହୁଛନ୍ତି–ପଶ୍ଚିମ ଦିଗରୁ ହେଉ ! ପୁଣି ଆଉ କେହି କେହି–

 

 

ମଧୁ—

ଇମିତି ଦଳାଦଳି ଲାଗିଲେ ତ କୌଣସି ଉନ୍ନୟନମୂଳକ କାମ ହୋଇପାରିବ ନାହିଁ । ଶେଷେ ପୋଲ ଲାଗି ମଞ୍ଜୁର ହୋଇଥିବା ସରକାରୀ ଟଙ୍କା ଫେରସ୍ତ ଯିବ ।

 

 

୩ୟ—

ଗାଁରେ ଦେଢ଼ ଶହ ଘର ଆଜ୍ଞା ଆମ ପକ୍ଷରେ । ସେ ପଟରେ ମୋଟେ ଚାଳିଶ ପଚାଶ ଘର । ଏ ଗଣତନ୍ତ୍ର ଶାସନରେ ସଂଖ୍ୟାଗରିଷ୍ଠ ଦଳର ମତ କ’ଣ ଏକାବେଳେ ମୂଲ୍ୟହୀନ !

 

 

ମଧୁ—

ସଂଖ୍ୟାଗରିଷ୍ଠ ଦଳ ସବୁବେଳେ ଠିକ୍ କଥା କହନ୍ତି ଏବଂ ଠିକ୍ କାମ କରନ୍ତି–ସେ କଥା ଭାବନ୍ତୁ ନାହିଁ । ତେବେ ଉପସ୍ଥିତ କ୍ଷେତ୍ରରେ ସମସ୍ତଙ୍କ ସୁବିଧା ଦୃଷ୍ଟିରୁ ଯେଉଁ ପଟରେ ରାସ୍ତା ଯିବା ଉଚିତ ଓ ନ୍ୟାୟସଙ୍ଗତ, ସେଇ ପଟରେ ରାସ୍ତା ପଡ଼ିବ ?

 

 

୧ମ—

ବର୍ତ୍ତମାନ ସେଇ ଉଚିତ, ନ୍ୟାୟସଙ୍ଗତ କଥାଟା ବାଛିବ କିଏ ?

 

 

୩ୟ—

ଆପଣ ତ ଆମର ଏମ୍: ଏଲ୍: ଏ :–ଆପଣ ବାଛି ଦିଅନ୍ତୁ । ଆପଣଙ୍କ କଥା ସବୁ ଦଳର ଲୋକେ ନିଶ୍ଚୟ ମାନିବେ ।

 

 

ମଧୁ—

ଭଲ କଥା ! ମୋର ସେଥିରେ ଆପତ୍ତି ନାହିଁ ।

 

 

(ଚଣ୍ଡୀର ପ୍ରବେଶ)

 

 

ଚଣ୍ଡୀ—

ମା ଡାକୁଛନ୍ତି ଆଜ୍ଞା । ତେଣେ ଚା-ଜଳଖିଆ ଥଣ୍ଡା ହୋଇ ଯାଉଛି ।

 

 

ମଧୁ—

(ଚେୟାର ଛାଡ଼ି ଉଠିଲେ) ହଉ, ମୁଁ ତା’ହେଲେ ସୁବିଧା ଦେଖି ଆପଣଙ୍କ ଗାଁକୁ ଯିବି । ଯିବା ପୂର୍ବରୁ ଆପଣମାନଙ୍କୁ ଖବର ଦେବି । ଆପଣମାନେ ଯାଆନ୍ତୁ, ମିଳିମିଶି ଗାଁରେ କିଛି କାମ କରନ୍ତୁ ! ଏବଂ ମୋତେ ମଧ୍ୟ କିଛି କାମ କରିବାକୁ ସୁଯୋଗ ଦିଅନ୍ତୁ ! ଆପଣମାନଙ୍କ ମଧ୍ୟରେ ଯେତେ ଦିନ ପର୍ଯ୍ୟନ୍ତ ଏପରି ଦଳାଦଳି, ଭେଦଭାବ ଥିବ, ମୁଁ ଆପଣମାନଙ୍କ ଲାଗି କୌଣସି ଭଲ କାମ କରିପାରିବି ନାହିଁ । ଏ କଥା ବରାବର ମନେ ରଖିଥିବେ । ହଉ, ନମସ୍କାର ! (ଭିତରକୁ ଯିବାକୁ ଉଦ୍ୟତ ହେଉଛନ୍ତି, ଏତିକିବେଳେ ଜଣେ ଯୁବକ ଡାକ୍ତର ପ୍ରବେଶ କଲେ । ଲୋକ ଦୁଇଜଣ ପ୍ରସ୍ଥାନ କଲେ)

 

 

ଡାକ୍ତର—

ନମସ୍କାର ସାର୍ ।

 

 

ମଧୁ—

(ସାନନ୍ଦେ ଓ ସବିସ୍ମୟେ) ଆରେ ଡାକ୍ତର, ତମେ ଏ ସକାଳୁ ସକାଳୁ କୁଆଡ଼େ ?

 

 

ଡାକ୍ତର—

ସିଧା ମାଲକାନ୍‍ଗିରିରୁ ଆସୁଛି । ଆପଣଙ୍କ ପାଖରେ ବିରାଟ କାମ ।

 

 

ମଧୁ—

ବିରାଟ କାମ । ହଉ, ବସ, ! ଡାକ୍ତରଙ୍କୁ ବସାଇ ନିଜେ ବସିଲେ ଏବଂ ଚଣ୍ଡୀକୁ କହିଲେ–) ଚଣ୍ଡୀ, ଯା–ଚା ଜଳଖିଆ ଏକାଠି ଘେନି ଆ । ଆଉ ଘରେ ଖବର ଦେ–ତାଙ୍କ ମାମୁଁ ପୁଅ ଭାଇ ଡାକ୍ତର ଆସିଛନ୍ତି । (ଚଣ୍ଡୀ ଭିତରକୁ ଗଲା)

 

 

ଡାକ୍ତର—

ଆଚ୍ଛା ଆପଣମାନେ ମୋତେ କାହିଁକି ଏତେ ହଇରାଣ କରୁଛନ୍ତି କହିଲେ ?

 

 

ମଧୁ—

(ବିସ୍ମିତ ହୋଇ) ହଇରାଣ କରୁଛୁଁ ଆମେ ?

 

 

ଡାକ୍ତର—

ହଁ, ହଁ, ଆପଣମାନେ ଅର୍ଥାତ୍ ଆପଣଙ୍କ ସରକାର, ଆଉ ସରକାରୀ ସ୍ୱାସ୍ଥ୍ୟ ବିଭାଗ । ଘର ହେଲା– ଓଡ଼ିଶାର ଉତ୍ତର ସୀମା ବାଲେଶ୍ଵର, ଆଉ ଚାକିରି କରିବି–ଏକାବେଳେ ଦକ୍ଷିଣ ସୀମା କୋରାପୁଟରେ । ଏ ଯେପରି ଆକାଶ ପାତାଳର ସମ୍ପର୍କ !

 

 

ମଧୁ—

ଖରାପ କ’ଣ ହେଲା ? ଏ ସ୍ପୁଟନିକ୍‍ ଯୁଗରେ ଆକାଶ-ପାତାଳ ଭିତରେ କୌଣସି ପାର୍ଥକ୍ୟ ନାହିଁ । ଯୁବକ ତମେ, ତମ ପାଖରେ ଦୂର-ନିକଟ ଏକା କଥା-! ଯେଉଁଠି ରହିବ, ସେଠି ତମ ଘର । ଦୂର-ଦୂର ଜାଗାକୁ ତମମାନଙ୍କୁ ନ ପଠାଇ ଆଉ କ’ଣ ବୁଢ଼ାମାନଙ୍କୁ ପଠାଇବୁଁ ?

 

 

ଡାକ୍ତର—

ସେ ସବୁ ବଡ଼ ବଡ଼ ନେତାଗିରି କଥା ଢେର ଶୁଣିଛି । ଶୀଘ୍ର ମେତେ ଏକ ପାଖଆଖ ଜାଗାକୁ ବଦଳି କରାଇବେ ଯଦି କରନ୍ତୁ ! ନୋହିଲେ ଚାକିରି ଛାଡ଼ିଲି-

 

 

ମଧୁ—

ଆରେ ପାଗଳ, ନା ପେଟ ଖରାପ ! ଆଉ କିଛି ଦିନ ସେଠି ରହି ଯାଅ ! ଅନ୍ତତଃ ଗୋଟିଏ ବର୍ଷ ପୂରିଯାଉ । ତା’ପରେ ଦେଖିବା ।

 

 

(ଚଣ୍ଡୀ ଜଳଖିଆ, ପାଣି ଆଣିବାକୁ ଲାଗିଲା)

 

 

ଡାକ୍ତର—

ଆଉ ଗୋଟାଏ ଦିନ ବି ସେଠି ରହି ପାରିବି ନାହିଁ । ପାଞ୍ଚ ମାସ ହେଲା ବରାବର ମୋ ଦେହ ସେଠି ଖରାପ ରହୁଛି । ମୁଁ ଆଉ କାମ କରିବି କ’ଣ ?

 

 

ମଧୁ—

ତମେ ଏ ଶାସନ କଳ କଥା ଟିକିଏ ସହାନୁଭୂତି ସହିତ ବିଚାର କର ଡାକ୍ତର । ସମସ୍ତ ସରକାରୀ କର୍ମଚାରୀ ଯଦି ନିଜ ନିଜର ବ୍ୟକ୍ତିଗତ ସ୍ଵାର୍ଥ-ସୁବିଧା ଖୋଜି ବସିବେ, ତା’ହେଲେ ଶାସନ ଚଳିବ କିମିତି ?

 

 

ଡାକ୍ତର—

ସେ ଯାହାହେଉ, ମୋର ବଦଳିଟା କିନ୍ତୁ ନିହାତି ଜରୁରୀ ।

 

 

ମଧୁ—

ହଉ, ସେ କଥା ଦେଖିବା । ତମେ ଆଗେ ଜଳଖିଆ ଖାଅ ।

 

 

(ଦୁହେଁ ଜଳଖିଆ ଖାଇବାକୁ ଲାଗିଲେ, ଚଣ୍ଡୀ ଚା’ ଆଣିବାକୁ ଗଲା)

 

 

ଡାକ୍ତର—

ମୁଁ ଜଣେ ମୋର ଡାକ୍ତର ବନ୍ଧୁ ସହିତ କଥାବାର୍ତ୍ତା କରିଛି । ସେ ସେହି କୋରାପୁଟ ଲୋକ । ତାକୁ ମାଲକାନଗିରି ପଠାଇ ତା’ର ଜାଗାରେ–

 

 

ମଧୁ—

ସେ ବର୍ତ୍ତମାନ ଅଛନ୍ତି କେଉଁଠି ?

 

 

ଡାକ୍ତର—

ଏଇ ଯାଜପୁରରେ । ଯାଜପୁର ଯିବା ଲାଗି ମୋର ଆପତ୍ତି ନାହିଁ । (ଚଣ୍ଡୀ ଚା ଘେନି ଆସିଲା–ତା’ପଛରେ ଆସିଛି ଅଶୋକ–ମଧୁବାବୁଙ୍କ ପୁଅ, ଡାକ୍ତରଙ୍କ ପାଦ ଛୁଇଁ ପ୍ରଣାମ କଲା) ଆରେ ଆଶୋକ ! ଭଲ ଅଛୁ ? ତୁ’ ଏଥର ମେଟ୍ରିକ୍ ପାସ୍‍ କଲୁ ପରା ?

 

 

ଅଶୋକ—

ହଁ, ଫାଷ୍ଟ୍ ଡିଭିଜନରେ ।

 

 

ଡାକ୍ତର—

ସାବ୍‍ବାସ୍‍ ! (ମଧୁବାବୁଙ୍କ ପ୍ରତି) ୟାକୁ ପୁଣି କ’ଣ ପଢ଼ାଇବାକୁ ସ୍ଥିର କରିଛନ୍ତି ?

 

 

ମଧୁ—

ଆଇ: ଏସ୍: ସି: ପଢ଼ୁ ! ତା’ ପରେ ଡାକ୍ତରୀ କି ଇଞ୍ଜିନିୟରିଂ କିଛି ଗୋଟିଏ ଦେଖିବା ।

 

 

ଡାକ୍ତର—

(ଆଶୋକ ପ୍ରତି)ତୋର ଲକ୍ଷ୍ୟ କଣରେ ?

 

 

ଅଶୋକ—

ମୁଁ ଡାକ୍ତରୀ ପଢ଼ିବି । (ଅଳ୍ପ କ୍ଷଣ ରହି) ଆପଣଙ୍କୁ ମା’ ଭିତରେ ଡାକୁଛନ୍ତି ।

 

 

ମଧୁ—

ଯାଅ, ଯାଅ, ତମ ଅପାଙ୍କୁ ଆଗେ ଦେଖା କରି ଆସ ।

 

 

(ଡାକ୍ତର ଭିତରକୁ ଗଲେ)

 

 

ଅଶୋକ—

ବାପା, ଆଜି ମୁଁ କଟକ ଯିବି–ଏଇ ଆସାନ୍‍‍ସୋଲ ଗାଡ଼ିରେ । କାଲି ନାମଲେଖା ତାରିଖ ।

 

 

ମଧୁ—

ଆରେ ସତେ ତ ! ଶହେ ଦେଢ଼ ଶହ ଟଙ୍କା ଏକ୍ଷଣି ଦରକାର । ଟଙ୍କା କଥା ତୋ ମାଆଙ୍କୁ କହିଚୁଟି ?

 

 

ଅଶୋକ—

ମା କହିଲେ–ତାଙ୍କ ପାଖରେ ଟଙ୍କା ନାହିଁ । ସେ ମୋତେ ଆପଣଙ୍କ ପାଖକୁ ପଠାଇଲେ ।

 

 

ମଧୁ—

(ବିବ୍ରତ ହୋଇ) ବଡ଼ ମୁସ୍କିଲ କଥା ! ଟଙ୍କା କାହିଁ ?–ଦେଢ଼ ଶହ ଟଙ୍କା ! ହଉ, ରହ ! ମୁଁ ଆସୁଛି ।

 

 

(ଭିତରକୁ ଚାଲିଗଲେ)

 

 

ଚଣ୍ଡୀ—

(କପ୍ ପ୍ଲେଟ ଗୋଟାଉଁ ଗୋଟାଉଁ) ବେଶୀ ବଡ଼ ପାଠ ପଢ଼ିବାକୁ ତମେ କଟକ ଯିବ ବାବୁ ! କଟକଟା ଭାରି ବଡ଼ ସହର । ହୁସିଆର୍ ହୋଇ ଚଳିବ ।

 

 

ଅଶୋକ—

ସତେ ! ତୁ’ ତା’ହେଲେ କଟକ ଦେଖିଛୁ !

 

 

ଚଣ୍ଡୀ—

ଅନେକ ଥର ଆଜ୍ଞା । କଟକ ଚଣ୍ଡୀ ସେଠି ଭାରି ପ୍ରତ୍ୟକ୍ଷ ଦେବତୀ । ମୁଁ ଯେତେବେଳେ ମା’ ପେଟରେ ଥାଏଁ, ମୋ ବାପ-ମା କଟକ ଚଣ୍ଡୀ ଦର୍ଶନ କରି ଯାଇଥିଲେ । ମା’ ଚଣ୍ଡୀଙ୍କ ପାଖରେ ପୁଅଟିଏ ମାନସିକ କରି ବାପା ଭୋଗ ଲଗେଇଲାରୁ ମୁଁ ଜନ୍ମ ହେଲି । ସେଇଠୁ ବାପ-ମା’ ମୋ ନାଁ ଦେଲେ ଚଣ୍ଡୀ ।

 

 

ଅଶୋକ—

ଚଣ୍ଡୀ ନାଁଟା କିନ୍ତୁ ଭାରି ଖରାପ–ମାଇକିନିଆ ନାଁ ।

 

 

ଚଣ୍ଡୀ—

ଛିଃ, ଠାକୁରାଣୀଙ୍କର ନାଁକୁ ସିମିତି କହନ୍ତି ! (ହାତଯୋଡ଼ି ନମସ୍କାର କରି) ମା’ କଟକ ଚଣ୍ଡୀ, ଆଶୋକବାବୁଙ୍କର ମଙ୍ଗଳ କରନ୍ତୁ ।

 

 

(ମଧୁବାବୁ ପ୍ରବେଶ କଲେ–ହାତରେ ଗୋଟିଏ ନେକ୍‍‍ଲେସ୍‍‍ କେସ୍)

 

 

ମଧୁ—

(ଚେୟାରରେ ବସି ଚିଠିଟାଏ ଲେଖୁଁ ଲେଖୁଁ) ବାବା ଅଶୋକ, ତୁ’ ଏଇ ସୁନା ହାରଟା ଘେନି ମନୋହରଲାଲ ମାରଓ୍ୱାଡ଼ି ଗଦିକି ଚାଲି ଯା ! ମୋର ଏ ଚିଠି ସେଠ୍‍ଜୀଙ୍କି ଦେବୁ । କହିବୁ–ବାପା ପଠାଇଛନ୍ତି, ଦୁଇ ଶହ ଟଙ୍କା ଏକ୍ଷଣି ଜରୁରୀ ଦରକାର । (ଚିଠିଟା ବଢ଼ାଇ ଦେଲେ) ଚଣ୍ଡୀ ତୁ’ ବି ଅଶୋକ ସାଙ୍ଗରେ ଯା ! ବଜାର-ସହର ଜାଗା, ଟଙ୍କା ସାବଧାନରେ ଆଣିବ । ଏ କପ୍-ପ୍ଲେଟ୍‍ଗୁଡ଼ା ଆଗେ ଘରେ ଥୋଇ ଦେଇ ଯା ।

 

 

(ଚଣ୍ଡୀ କପ୍ ପ୍ଲେଟ୍ ଘେନି ଭିତରକୁ ଗଲା ଓ ସଙ୍ଗେ ସଙ୍ଗେ ଫେରି ଆସିଲା)

 

 

ଚଣ୍ଡୀ—

(ଅଶୋକ ପ୍ରତି) ଆସ ବାବୁ ! (ଅଶୋକ ଓ ଚଣ୍ଡୀଙ୍କର ପ୍ରସ୍ଥାନ–ମଧୁବାବୁ ଚିନ୍ତିତ ମନ, ବିରସ ବଦନରେ ବସି ମଥାରେ ବାଳ ଟାଣୁଥିଲା ବେଳେ ବାହାର ପଟରୁ ଜଣେ ପ୍ରୌଢ଼ ବାବାଜିଙ୍କର ଡାକ ଶୁଭିଲା–)

 

 

ବାବାଜି—

ମଧୁସୂଦନ ବାବା ଘରେ ଅଛନ୍ତି ?

 

 

ମଧୁ—

ଆସନ୍ତୁ, ଆସନ୍ତୁ, ଭିତରକୁ ଆସନ୍ତୁ !

 

 

ବାବାଜି—

(ପହଞ୍ଚି) ଜୟ ମା କାଳୀ– ଜୟ ମା କାଳୀ ! (ମଧୁବାବୁ ପ୍ରଣାମ କଲେ) ଜିତେ ରହୋ ବେଟା ! ତମର ସବୁ ଆଚ୍ଛା ମଙ୍ଗଳ ତ ? (ମଧୁବାବୁଙ୍କ ମଥାରେ ସିନ୍ଦୂର ପିନ୍ଧାଇ ଦେଲେ)

 

 

ମଧୁ—

ଆପଣଙ୍କ ଆଶୀର୍ବାଦରୁ ସବୁ ମଙ୍ଗଳ । ତା’ ପରେ ଆପଣଙ୍କର ଖବର କ’ଣ ?

 

 

ବାବାଜି—

ଜୟ ମା କାଳୀ ! ଆମର ଆଉ ଖବର କ’ଣ ବାବା ! ତମମାନଙ୍କ ସାହାଯ୍ୟ-ସହଯୋଗରୁ ମାଆଙ୍କ ମନ୍ଦିରଟା ତୋଳା ହୋଇଗଲା । ବାକି ଦେଉଳର ମୁଣ୍ଡି ମରିବ କିମିତି ! ଏକ୍ଷଣି ଆଉ ଶହେ ଦୁଇଶହ ଟଙ୍କା ଲୋଡ଼ା । ମୁଁ ସେଥିପାଇଁ କିଛି ଚିନ୍ତା କରୁ ନାଇଁ ବାବା । ତମମାନଙ୍କ ଭଳି ଭକ୍ତ ଥାଉଁ ଥାଉଁ–

 

 

ମଧୁ—

ମୁଁ ଆଉ କ’ଣ କରିପାରିବି ? ମୋର ଆର୍ଥିକ ଅବସ୍ଥା ଏ କ୍ଷଣି ଖରାପ ।

 

 

ବାବାଜି—

ନା, ନା, ବାବା, ମା’ ତୁମର କିଛି ଅପୂର୍ଣ୍ଣ ରଖି ନାହାନ୍ତି କି ରଖିବେ ନାହିଁ । ମୁଁ ବରାବର ତମଲାଗି ମାଆଙ୍କୁ ପ୍ରାର୍ଥନା କରୁଛି । ମା’ ନିଶ୍ଚେ ଜବାବ ଦେବ । ଭୋଟ୍ ପୂର୍ବରୁ ତ ଦେଖିଛ– ମାଆଙ୍କୁ ଯିମିତି ଡାକିଲି– ତମେ ଭୋଟ୍ ଜିତିଗଲ !

 

 

ମଧୁ—

ସବୁ ମାଆଙ୍କ ଲୀଳା । ମଣିଷ ନିମିତ୍ତ ମାତ୍ର ।

 

 

ବାବାଜି—

ଜୟ ମା’ କାଳୀ ! ମାଆଙ୍କ କାମ କେବେ ଭଗ୍ନ ହେବ ନାହିଁ ବାବା । ନିଶ୍ଚେ ମନ୍ଦିରର ମୁଣ୍ଡି ମରିବ । ଧର୍ମପଦ କୋଣାର୍କ ମନ୍ଦିରର ମୁଣ୍ଡି ମାରି ଦୁନିଆଁରେ ନାମ ରଖିଛି । ମଧୁସୂଦନ ବାବା ସେହିପରି ମା’ ଭୁଟକେଶ୍ଵରୀଙ୍କ ଦେଉଳର ମୁଣ୍ଡି ମାରି କୀର୍ତ୍ତି ରଖିବ ।

 

 

ମଧୁ—

ମୋତେ ବଡ଼ ଅଡ଼ୁଆରେ ପକାଇଲେ ଆପଣ । ହଉ, ଆପଣ ଥରେ ଏଠାକାର ଅନ୍ୟାନ୍ୟ ଧର୍ମପ୍ରାଣ ବ୍ୟକ୍ତିମାନଙ୍କ ପାଖକୁ ଯାଆନ୍ତୁ । ଆମ ଏଇ ମାରଓ୍ୱାଡ଼ି ପଟ୍ଟିରୁ ମୋଟା ରକମ କିଛି ମିଳି ପାରିବ । ଶେଷକୁ ଯାହା ଅଭାବ ହେବ ଦେଖିବା । ବୁଝିଲେ ?

ବାବାଜି—

ଯାହାହେଉ, ତମକୁ ବାବା ମୁଁ ମୂଳ କରି ଧରିଛି । ତମେ କାମଟା ମଥାକୁ ନ ନେଲେ, ହୋଇପାରିବ ନାହିଁ । ଏହା ପୂର୍ବରୁ ମୁଁ ଏଠିକି ଦୁଇ ଥର ଆସି ଫେରିଛି, ସେତେବେଳେ ତମେ ଭୁବନେଶ୍ଵରରେ ଥିଲ ।

ମଧୁ—

ହଉ, ଆପଣ ବର୍ତ୍ତମାନ ଯାଆନ୍ତୁ ! ମୋର ଟିକିଏ ବାହାରକୁ ଯିବାର ଅଛି । (ଠିଆ ହେଲେ)

ବାବାଜି—

ଜୟ ମା’ କାଳୀ ! (ଠିଆ ହେଲେ) ଆଜି କ’ଣ ବାବା ଶୂନ୍ୟ ହସ୍ତରେ ଫେରିବାକୁ ହେବ ?

ମଧୁ—

(ପକେଟ୍‍‍ରୁ ଟଙ୍କାଟିଏ କାଢ଼ି ଦେଲେ) ଏଇ ନିଅନ୍ତୁ ! ଏକ୍ଷଣି ଆଉ ବେଶୀ କିଛି ହୋଇପାରିବ ନାହିଁ– ମାସ ଶେଷ ବେଳ

ବାବାଜି—

ଜୟ ମା କାଳୀ–ଜୟ ମା କାଳୀ ! (ମଧୁବାବୁ ପ୍ରଣାମ କଲା ପରେ ବାବାଜି ପ୍ରସ୍ଥାନ କଲେ)

(ସଙ୍ଗେ ସଙ୍ଗେ ପଶି ଆସିଲେ ସୁର ମହାପାତ୍ର ଓକିଲ)

 

 

ସୁର—

ନମସ୍କାର ! କୁଆଡ଼େ ବାହାରିଛନ୍ତି ନା କ’ଣ ?

 

 

ମଧୁ—

ଆରେ, ଓକିଲ ବାବୁ ! ଆସନ୍ତୁ– ଆସନ୍ତୁ ! ଆଜି କିମିତି ଏ ଗରିବଙ୍କ କଥା ମନେ ପଡ଼ିଗଲା ?

 

 

ସୁର—

ଏମ୍: ଏଲ୍: ଏ: ମାନେ ଯଦି ଗରିବ ବୋଲାଇବେ, ତା’ହେଲେ ଭାଷାକୋଷରେ ‘ଗରିବ’ ଶବ୍ଦର ଅର୍ଥ ବଦଳାଇବାକୁ ପଡ଼ିବ ଦେଖୁଛି ।

 

 

ମଧୁ—

କୌଣସି ଶବ୍ଦର ଅର୍ଥ ବଦଳାଇବା ଦର୍କାର ନାହିଁ । ରାଜନୈତିକ ନେତାମାନେ ହିଁ କାଳେ ଦରିଦ୍ର । ଆଉ ଧନୀ ବୋଇଲେ ଆଜିକାଲି ଓକିଲ-ଆଡ୍‍‍ଭୋକେଟ୍‍ମାନଙ୍କୁ ହିଁ ବୁଝାଇଥାଏ ।

 

 

ସୁର—

ନେତାମାନଙ୍କୁ କଥାରେ କିଏ ପାରିବ ? ହଉ ଛାଡ଼ନ୍ତୁ ! କଥା କଟାକଟି କରିବାକୁ ଆପଣଙ୍କ ଲାଗି ଆସେମ୍ଲି ହଲ୍ ଅଛି । ଆଜି ମୁଁ ଗୋଟାଏ ବଡ଼ ସିରିଅସ୍ କାମରେ ଆସିଛି ।

 

 

ମଧୁ—

କହନ୍ତୁ ।

 

 

ସୁର—

ମୋ ପୁତୁରା ଏଇ ସପ୍ଲିମେଣ୍ଟାରି ବି: ଏ: ପରୀକ୍ଷାରେ କପି କରି ଧରା ପଡ଼ିଛି–ଏକ୍ସପେଲ୍‍ଡ (expelled) ହୋଇଯାଇ ପାରେ ।

 

 

ମଧୁ—

ଦୋଷ କଲା, ଦଣ୍ଡ ପାଇବ । ଆଉ ଖରାପ ହେଲା କ’ଣ ?

 

 

ସୁର—

ବିଚରା କପି କାଗଜ ଦି’ଖଣ୍ଡ ସାଙ୍ଗରେ ନେଇଥିଲା ମାତ୍ର । କିନ୍ତୁ ବ୍ୟବହାର କରିପାରି ନାହିଁ । ଖାତା ତଳୁ କପି ଦି’ଖଣ୍ଡ ଧାରା ପଡ଼ିଗଲା । ବୁଝିବାକୁ ଗଲେ–ସେମିତି ତାହାର ବିଶେଷ କିଛି ଦୋଷ ନାହିଁ ।

 

 

ମଧୁ—

ମୋତେ ଆଉ କ’ଣ କରିବାକୁ କହୁଛନ୍ତି ?

 

 

ସୁର—

ୟୁନିଭରସିଟି ଭାଇସ୍‍ଚାନସେଲାରଙ୍କ ସହିତ ଆପଣଙ୍କର ଭଲ ପରିଚୟ ଅଛି । କେତେକ ସିଣ୍ଡିକେଟ୍ ମେମ୍ବର ମଧ୍ୟ ଆପଣଙ୍କର ଅନ୍ତରଙ୍ଗ ବନ୍ଧୁ । ଦୟାକରି ଆପଣ ଯଦି ନିଜର ବ୍ୟକ୍ତିଗତ ପ୍ରଭାବ ପକାଇ–

 

 

ମଧୁ—

(ବ୍ୟସ୍ତ ହୋଇ) ମୋତେ ଆପଣ ବଡ଼ ବିପଦରେ ପକାଉଛନ୍ତି ସୁର ବାବୁ ।

 

 

ସୁର—

କିଛି ବିପଦ ନୁହେଁ ଆଜ୍ଞା । ପିଲାଟିର ଜୀବନ ନଷ୍ଟ ହୋଇଯିବ । ଆପଣଙ୍କ ଚେଷ୍ଟାରେ ଯଦି କିଛି ହୋଇପାରେ–

 

 

ମଧୁ—

(କିଛି କ୍ଷଣ ନୀରବ ରହି) ହଉ, ମୁଁ କଟକ ଗଲେ, ଚେଷ୍ଟା କରିବି ।

 

 

ସୁର—

ଏଇ ପହରି ଦିନ ଚାଲନ୍ତୁ–ରଥ ଛୁଟି ଅଛି । ମୁଁ ଆପଣଙ୍କ ସଙ୍ଗରେ ଯିବି ।

 

 

ମଧୁ—

(ଚିନ୍ତିତ ମନରେ) ଆଚ୍ଛା ହଉ, ଦେଖିବା !

 

 

ସୁର—

ନ ଗଲେ ଆଜ୍ଞା ଚଳିବ ନାହିଁ । ଆପଣଙ୍କୁ ଅଯଥା ବ୍ୟସ୍ତ କରୁଛି–ମୋତେ ମାଫ୍ କରିବେ ।

 

 

ମଧୁ—

ହଉ ଯିବା ! ପହରିଦିନ ମୋତେ ଥରେ ଖବର ଦେବେ ।

 

 

ସୁର—

ମୁଁ ତା’ହେଲେ ବର୍ତ୍ତମାନ ଉଠେଁ । ତେଣେ ମହକିଲଗୁଡ଼ା ମୋତେ ଅପେକ୍ଷା କରି ବସିଛନ୍ତି । (ନମସ୍କାର କରି ଚାଲିଗଲେ–ମଧୁବାବୁ ଉଠି ଠିଆ ହେଲେ)

 

 

ମଧୁ—

(ଦୁଃଖିତ ମନରେ ଘର ଭିତରକୁ ଯାଉଥିଲା ବେଳେ ହଠାତ୍ କାନ୍ଥରେ ଝୁଲୁଥିବା ଗାନ୍ଧୀ ମୂର୍ତ୍ତି ଉପରେ ଦୃଷ୍ଟି ପଡ଼ିଗଲା–ମୂର୍ତ୍ତିର ପାଦ ତଳେ ଅଟକି ଠିଆ ହେଲେ–)

 

 

ବାପୁଜୀ ଆପଣ ଏ ଅଭାଗା ଅଭିଶପ୍ତ ଜାତିକୁ କାହିଁକି ସ୍ଵାଧୀନତା ଆଣିଦେଲେ-? କାହିଁକି ବା ଏ ଅଯୋଗ୍ୟ ଜନତା ମସ୍ତକରେ ଏପରି ଗୁରୁ ଦାୟିତ୍ଵ ଲଦି ଦେଲେ ? କେବେ ଏ ଜାତି ଆତ୍ମସଚେତନ ହେବ ବାପୁଜୀ, କେବେ ତାହାର ପ୍ରକୃତ ମୁକ୍ତି ଆସିବ ? ହେ ମହାତ୍ମା, ହେ ପୁରୁଷୋତ୍ତମ, ବର୍ତ୍ତମାନ ଏ ସମସ୍ୟାସଙ୍କୁଳ ପଥରେ ଗତି କାହିଁ ? ମୁକ୍ତି କାହିଁ ?

 

(ମଞ୍ଚ ଅନ୍ଧକାର ହୋଇଗଲା)

Image